ମୁଖ୍ୟମନ୍ତ୍ରୀଙ୍କ ନାମରେ ଠକେଇ ଅଭିଯୋଗ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ବର୍ଷକୁ ୧୦ହଜାର ଟଙ୍କା ଲେଖାଏଁ ଦେବେ ବୋଲି ପ୍ରତିଶ୍ରୁତି ଦେଇ ୭୦ଲକ୍ଷ ଚାଷୀଙ୍କୁ ଠକେଇ ଏବଂ ସେମାନଙ୍କ ସହ ବିଶ୍ୱାସଘାତକତା କରିଥିବାରୁ ଆଜି ନବ ନିର୍ମାଣର କୃଷକ ସଂଗଠନର ରାଜ୍ୟ ବ୍ୟାପୀ ଡାକରାରେ ଗଂଜାମ ଜିଲ୍ଲା ସଂଗଠନ ପକ୍ଷରୁ ସ୍ଥାନୀୟ ଅପର ବସଷ୍ଟାଣ୍ଡ୍ ଠାରୁ ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତଙ୍କ ନେତୃତ୍ୱରେ ଜିଲ୍ଲାର ଶହ ଶହ ଚାଷୀ ମାନେ ଏକ ଶୋଭାଯାତ୍ରାରେ ବାହରି ଛତ୍ରପୁର ସହର ପରିକ୍ରମା କରି ଏସପିଙ୍କ କାର୍ଯ୍ୟାଳୟ ଆଗରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗର୍ଜିଥିଲେ । ମୁଖମନ୍ତ୍ରୀଙ୍କ ନାମରେ ୪୧୫/ ୪୨୦/୪୦୯/୪୦୬ ଦଫାରେ ମକଦ୍ଦମା ରୁଜୁ କରିବା ପାଇଁ ଗଂଜାମ ଏସପିଙ୍କ ଉଦ୍ଦେଶ୍ୟରେ ଡ଼ିଏସପି ହେଡ଼କ୍ୱାଟର ଉତ୍କଳ କେଶରୀ ଦାଶଙ୍କୁ ଏତଲା ପତ୍ର ପ୍ରଦାନ କରିଥିଲେ । ଗଂଜାମ ଜିଲ୍ଲାରେ ତୁରନ୍ତ ଧାନ ମଣ୍ଡି ଖୋଲିବାକୁ ଦାବି କରାଯାଇଛି । ଏହା ସହ ମାଙ୍କଡ଼ ବାରହା ଉପଦ୍ରବରେ ନଷ୍ଟ ହୋଇଥିବା ଚାଷୀ ମାନଙ୍କର ଚାଷ ଜମିର ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ ଦାବି କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ଉପଦେଷ୍ଟା ରମେଶ କର, ରଙ୍ଗେଇଲୁଣ୍ଡା ସଂଯୋଜକ ସୁଦର୍ଶନ ପାତ୍ର, ଖଲିକୋଟ ସଂଯୋଜକ ସୁବାସ ସାହୁ, ରଙ୍କନାଥ ପାତ୍ର, ପଙ୍କଜିନ ନାହାକ, କୁମୁଦ ସାହୁ, ଛତ୍ରପୁରର ଇଜୁ ଆମିନ୍ ଖାଁଙ୍କ ସମେତ ଜିଲ୍ଲାର ସଂଗଠନର ମହିଳା ଓ ପୁରୁଷ ସଭ୍ୟ ମାନେ ଉପସ୍ଥିତ ଥିଲେ ।


