ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ, ଯୁବ ସମାବେଶରେ ଯୋଗଦେଇ ତାଳସାରୀ ମହୋତ୍ସବର ଶୁଭ ଉଦ୍ଘାଟନ
ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ଗତକାଲି ଦିନିକିଆ ବାଲେଶ୍ୱର ଗସ୍ତରେ ଯାଇ ଯୁବ ସମାବେଶରେ ଯୋଗ ଦେଇ ତାଳସାରୀ ମହୋତ୍ସବକୁ ଉଦ୍ଘାଟନ କରିଛନ୍ତି । ଏଥିସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଉଦ୍ଘାଟନ କରି ଫେରି ଆସିଛନ୍ତି । ମଧ୍ୟାହ୍ନ ୧୨.୧୫ରେ ମୁଖ୍ୟମନ୍ତ୍ରୀ ତାଳସାରୀଠାରେ ପହଞ୍ଚି ସେଠାରେ ୭୫.୭୩ କୋଟି ବ୍ୟୟ ଅଟକଳରେ ୨୧ଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ସହ ୭୫.୮୭ କୋଟି ବ୍ୟୟରେ ନିର୍ମିତ ୧୨ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ । ପରେ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ତାଳସାରୀ ମହୋତ୍ସବର ଶୁଭ ଉଦ୍ଘାଟନ କରି ଜିଲ୍ଳାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଲୋକେ ଉପକୃତ ହେବେ ବୋଲି କହିଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ତାଳସାରୀ ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ପ୍ରତିଥର ଆସି ଅଞ୍ଚଳବାସୀଙ୍କୁ ଧନ୍ୟ କରିଛନ୍ତି ବୋଲି କହିଥିଲେ । ଏହି ସଭାରେ ଜିଲ୍ଳାପାଳ ରମେଶ ଚନ୍ଦ୍ର ରାଉତ ସ୍ୱାଗତ ଭାଷଣ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚାଲିଥିବା ବିକାଶ ପ୍ରକ୍ରିୟାରେ ସମଗ୍ର ରାଜ୍ୟ ବିକଶିତ ହେବ ବୋଲି କହିଥିଲେ । ସେ ପ୍ରାଚୀନ ଚନ୍ଦନେଶ୍ୱର ମନ୍ଦିରର ସଂରକ୍ଷର ଓ ଉନ୍ନତିକରଣ ଏବଂ ପାନ୍ଥନିବାସର ନବୀକରଣ ଲାଗି ୪ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ଅପରାହ୍ଣ ୩ଟାରେ ବାଲେଶ୍ୱର ପୋଲିସ ପରେଡ୍ ପଡ଼ିଆରେ ଆୟୋଜିତ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ୫ ହାଜର କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପ ସମେତ ମୋଟ ୫୭୮୨.୬୫ କୋଟି ଟଙ୍କାର ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେହିପରି ବାଲେଶ୍ୱର ତାମୁଳିଆ ଫ୍ଲାଏ ଓଭର ଏବଂ ସୋର ଫ୍ଲାଏ ଓଭର ସମେତ ମୋଟ ୩୧୧.୧୪ କୋଟି ଟଙ୍କାର ୩୩ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଏହାପରେ ସେ ବିଶାଳ ଯୁବ ସମାବେଶରେ ଉପସ୍ଥିତ ହଜାର ହଜାର ବିଜୁ ଯୁବ ବାହିନୀ ସଦସ୍ୟସଦସ୍ୟା ତଥା ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ରାଜ୍ୟର ବିକାଶ ପ୍ରକ୍ରିୟାରେ ସମସ୍ତେ ସାମିଲ୍ ହେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଓ ରାଜ୍ୟ ଯୁବ କଲ୍ୟାଣ ପରିଷଦର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀ ବନୀକରଣ କାର୍ଯ୍ୟକ୍ରମ ଏବଂ ନିଶା ନିବାରଣ କାର୍ଯ୍ୟକ୍ରମରେ ସମ୍ପର୍କରେ ଅନୁଭୂତି ଉପସ୍ଥାପନ କରିଥିଲେ । ସେହିପରି ବନୀକରଣ, ନିଶାନିବାରଣ କାର୍ଯ୍ୟକ୍ରମ ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସମ୍ପର୍କିତ ଅଡିଓ-ଭିଜୁଆଲ ପ୍ରଦର୍ଶନ କରାଯାଇଥିଲା । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା ନିଶା ନିବାରଣ ଉପରେ ଆଧାରିତ ନୃତ୍ୟ ପରିବେଷଣ କରାଯାଇଥିଲା । ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରଦାନ କରଯାଇଥିଲା । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ମୁଁ ହିରୋ’ ଏବଂ ବିଜୁ ଯୁବ ବାହିନୀ ସଦସ୍ୟ/ସଦସ୍ୟାଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ । ପରେ ମୁମ୍ବାଇରୁ ଆସିଥିବା କଳାକାର ସଲିମ୍ ସୁଲେମାନ, ଭୂମି ତ୍ରିବେଦୀ ଓ ବିପୁଲ ମେହେଟ୍ଟାଙ୍କ ସହିତ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ନୃସିଂହ ଚରଣ ସାହୁ, ଅନନ୍ତ ଦାସ, ବାଲେଶ୍ୱର ସାଂସଦ ରବିନ୍ଦ୍ର କୁମାର ଜେନଳ, ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ସୋର ବିଧାୟକ ପର୍ଶୁରାମ ଧଡ଼ା, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି, ବାଶ୍ୱେର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାରୁ ଆସିଥିବା ବିଜୁ ଯୁବ ବାହିନୀର ପ୍ରାୟ ୩୦ ହଜାର ସଦସ୍ୟାସଦସ୍ୟା, ବରିଷ୍ଠ ପ୍ରଶାସିନକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣ ଯୋଗ ଦେଇଥିଲେ ।