ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ୱ୍ୟସ୍ଥ୍ୟକାର୍ଡ଼ ବଣ୍ଟନ ଶୁଭାରମ୍ଭ ପାଇଁ ବାଲେଶ୍ୱର ଗସ୍ତରେ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ନିମନ୍ତେ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ପୂର୍ବାହ୍ଣ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ଯୋଗେ ରିଜର୍ଭ ପୁଲିସ ପଡ଼ିଆରେ ଅବତରଣ କରିବେ । ୪୫ ମିନିଟର କାର୍ଯ୍ୟକ୍ରମ ପରେ ପୁଣି ଫେରିଯିବେ ବୋଲି ଗୁରୁବାର ଆପରାହ୍ଣରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ୩୬୬ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଜିଲାର ୭୭ ଗୋଟି ପ୍ରକଳ୍ପୁ ଉଦଘାଟନ ଓ ୧୧୮୬ କୋଟି ଟଙ୍କା ଅଟକଳ ମୂଲ୍ୟରେ ୧୦୯ ଗୋଟି ନୂତନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ବୋଲି ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ସେ ସୂଚନା ଦେଇଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିଶ୍ର କହିଛନ୍ତି । ଏନେଇ ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୧୩ଜଣ ଉପ-ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ ନିରାପତ୍ତା ବ୍ୟବସ୍ଥା ପରିଚାଳନା ପାଇଁ ୨୨ଜଣ ଆରକ୍ଷୀ ନିରୀକ୍ଷକ, ୯୪ଜଣ ଉପ-ଆରକ୍ଷୀ ନିରୀକ୍ଷକ ଓ ସହକାରୀ ଉପ-ଆରକ୍ଷୀ ନିରୀକ୍ଷକ ନିଯୁକ୍ତ ହୋଇଛନ୍ତି । ଏହା ବ୍ୟତୀତ ୨୫ ପ୍ଲାଟୁନ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଉତ୍ସବସ୍ଥଳକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକପ୍ରତିନିଧି, ନେତା, କର୍ମୀ, ସରକାରୀ ଅଧିକାରୀ, ଅତି ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ ହିତାଧିକାରୀ ଯିବା ବ୍ୟବସ୍ଥା କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିଶ୍ର କହିଛନ୍ତି ।


