ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତକୁ ନେଇ ଜିଲା କଂଗ୍ରେସର ପ୍ରତିକ୍ରିୟା

ବାଲେଶ୍ୱର, (ସରୋଜ ପଣ୍ଡା):ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଜିଲା କଂଗ୍ରେସ କମିଟି । କେତେକ ରାସ୍ତାଘାଟର ଉନ୍ନତିକରଣକୁ ବିକାଶର ଆଖ୍ୟା ଦେଉଥିବା ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲାବାସୀଙ୍କୁ ଆଉ କେତେଦିନ ଭୂଆଁ ବୋଲାଇବେ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ଜିଲା କଂଗ୍ରେସ ସଭାପତି ସଂଜୀବ ଗିରି । ବାଲେଶ୍ୱର ଜିଲାର ଯାହା ବି କିଛି ବିକାଶ ହୋଇଛି ତାହା ୧୯୮୦ରୁ ୧୯୮୫ ଓ ୨୦୦୯ରୁ ୨୦୧୪ ମସିହା ମଧ୍ୟରେ ହୋଇଛି ବୋଲି ଶ୍ରୀ ଗିରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏମିତିକି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାକୁ ଯାଉଥିବା ଶୋଭାରାମପୁର ରେଳ ଫ୍ଲାଇ ଓଭରବ୍ରିଜ ମଧ୍ୟ କଂଗ୍ରେସର ଅବଦାନ ବୋଲି ସେ କହିଛନ୍ତି । କେବଳ ଏହି ଗୋଟିଏ ବ୍ରିଜ ନୁହେଁ କଂଗ୍ରେସର ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଶ୍ରୀକାନ୍ତ ଜେନାଙ୍କ ଉଦ୍ୟମରେ ଜିଲାରେ ୫ ଗୋଟି ରେଳ ଓଭର ବ୍ରିଜକୁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ । ରାସ୍ତାଘାଟ ନବୀକରଣକୁ ରାଜ୍ୟ ସରକାର ବିକାଶର ରୂପ ଦେଉଥିବା ବେଳେ ବାସ୍ତବରେ ସାଧାରଣ ଲୋକେ କେତେ ଦୟନୀୟ ସ୍ଥିତିରେ ଅଛନ୍ତି, ତାହା ବୋଧୁଏ ମୁଖ୍ୟମନ୍ତ୍ରୀଙ୍କୁ ଜଣା ନାହିଁ । ଜିଲାବାସୀଙ୍କ ମୌଳିକ ଆବଶ୍ୟକତା ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ନିଯୁକ୍ତି ଅଭାବରୁ ବୋକରୀ ହୁହୁ ହୋଇ ବଢ଼ି ଚାଲିଛି । ନୂଆ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ତ ଦୂରର କଥା କେବଳ ହାତ ଗଣତି କେତେକ ଋଗଣ ଶିଳ୍ପାନୁଷ୍ଠାନରେ ଜିଲାର ଶିଳ୍ପାୟନ ବଞ୍ଚିଛି । ଏଭଳି ସ୍ଥିତିରେ କିଛି ରାସ୍ତାଘାଟ ନବୀକରଣ ପ୍ରକଳ୍ପ ଶିଳାନ୍ୟାସ ଓ ନବନିର୍ମିତ ପ୍ରକଳ୍ପକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଜିଲାବାସୀଙ୍କୁ କେଉଁ ବିକାଶର ସ୍ୱପ୍ନ ଦେଖାଇବେ ବୋଲି କଂଗ୍ରେସ କର୍ମକର୍ତ୍ତାମାନେ ଅଭିଯୋଗ ଉଠାଇଛନ୍ତି । ରାଜ୍ୟ ସରକାରଙ୍କ ତଞ୍ଚକତାକୁ ଭରସା ନ କରି ଜିଲାବାସୀ ଏଣିକି ଉଚିତ ଜବାବ ଦେବେ ବୋଲି କଂଗ୍ରେସ ନେତା ଆଶା ପ୍ରକାଶ କରିଛନ୍ତି । ସେହିଭଳି ଜଲା କଂଗ୍ରେସ କାର୍ଯ୍ୟାଳୟ ନବୀକରଣ ଓ ଏହାର ପରିସର ଉନ୍ନତିକରଣ ନେଇ ଆରମ୍ଭ ହୋଇଥିବା ଉପକ୍ରମକୁ ସୋସିଆଲ ମିଡିଆରେ କରାଯାଉଥିବା କଦର୍ଥକୁ ଜିଲା ସଭାପତି ଶ୍ରୀ ଗିରି ନିନ୍ଦା କରିଛନ୍ତି । ଜଲା କାର୍ଯ୍ୟାଳୟ ନବୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଗତ ୨୦୨୧ ମସିହା ଅଗଷ୍ଟ ୨୪ ତାରିଖ ଜିଲା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହାର ଅନୁମୋଦନ ପାଇଁ ପିସିସି ଓ ଏଆଇସିସିକୁ ପ୍ରସ୍ତାବ ମଧ୍ୟ ଯାଇଛି । ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପିସିସି ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞା ପାରମିତା ମହାନ୍ତି ଓ ଜାତୀୟ ଶ୍ରମିକ କଂଗ୍ରେସ ଯୁବ ବିଭାଗ ଜିଲା ସଭାପତି ବିକାଶ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ