ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥରାଶି ଦାନ
ବାଲେଶ୍ୱର (ସରୋଜ ପଣ୍ଡା) : କରୋନା ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି । ରେମୁଣା ଅଂଚଳର ରୁଦ୍ରାଣୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ସ୍ୱର୍ଣ୍ଣପ୍ରଭା ପରମାଣିକ, ସମ୍ପାଦିକା ବିଦ୍ୟୁତ ପ୍ରଭା ମହାନ୍ତି ଓ ଅନ୍ୟାନ୍ୟ ସଦସ୍ୟାମାନେ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ବାଲେଶ୍ୱର ପୌରାଂଚଳ ଅନ୍ତର୍ଗତ ମଠବାଡି ଅଂଚଳର ମା ତାରିଣୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ୧୦ହଜାର ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି । ଏସଏଚଜିର ସଭାପତି ଯଶୋଦା ବେହେରା, ସମ୍ପାଦିକା ଗୀତାଞ୍ଜଳୀ ସେଠୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟାମାନେ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ଜରିଆରେ ଏହି ଅର୍ଥରାଶି ଦେଇଛନ୍ତି । ସେହିପରି ବାଲେଶ୍ୱର ପୌରାଂଚଳର ସିଆଡି ମଙ୍ଗଳା ଏସଏଚଜି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଚଙ୍କାର ସହାୟତା ରାଶି ଦିଆଯାଇଛି । ଏସଏଚଜିର ସଭାପତି ପ୍ରଣତୀ ମହାରଣା ଆଜି ୧୦ହଜାର ଟଙ୍କାର ଚେକ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ପ୍ରଦାନ କରିଛନ୍ତି । ଏତଦବ୍ୟତୀତ ସିଆଡି ମଙ୍ଗଳା ଏସଏଚଜି ତରଫରୁ ମାଗଣାରେ ୩୫୦ମାସ୍କ ଓ ହର୍ବାଲ ସାନିଟାଇଜର ବଂଟନ କରାଯିବା ସହ ୬୦୦୦ ମାସ୍କ ବିକ୍ରୟ କରାଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମମାଳା ମିଶ୍ର, ବାଲେଶ୍ୱର ପୌରାଂଚଳ ନିର୍ବାହୀ ଅଧିକାରୀ ପ୍ରଣୟ ଜେନା, ମିଶନ ଶକ୍ତି ଡିପିସି ବିଶ୍ୱଜିତ ପରିଡା, ସିଡିପିଓ ସାଗରିକା ଦତ, ସବିତା ରାଉତ, ବିପିସି ଶ୍ରୀ ସତ୍ୟବ୍ରତ ଦେ, ବିଏମଏସସି ଶୁଭଶ୍ରୀ ଦାଶ ପ୍ରମୁଖ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ଏଭଳି କାର୍ଯ୍ୟର ପ୍ରଶଂସା କରିଛନ୍ତି ।