ମୁଖ୍ୟମନ୍ତ୍ରୀଙ୍କ ଶେଷ ଅଭିନୟ ଏଥର ଶେଷ ହେବ : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରୀୟ ଅବହେଳା ଅଭିଯୋଗ ଉପରେ ସାମାଜିକ ଗଣମାଧ୍ୟମରେ କଡା ପ୍ରତିକ୍ରିୟା ରଖି ଏଥର ମୁଖ୍ୟମନ୍ତ୍ରୀଙ୍କ ଶେଷ ଅଭିନୟ ଶେଷ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କ ବିଜେପି ନେତାମାନଙ୍କର ଓଡିଶାର ସମସ୍ୟା ସମୟରେ ଦେଖାନଥିବା ବେଳେ ନିର୍ବାଚନ ସମୟରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଅଭିଯୋଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ମିଥ୍ୟା ତଥ୍ୟର ସୌଦାଗର କହି କଡା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡିଶାରେ ୧୦ ହଜାର କିମି ଜାତୀୟ ରାଜପଥ ଆସିଥିବା ବେଳେ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ କାମକୁ କିଏ ଅଟକାଇଛି? ପାଇକବିଦ୍ରୋହର ସ୍ମୃତି ପାଇଁ ଜମି ଦେବାକୁ କହି କିଏ ଠକିଛି? ଖୋର୍ଦ୍ଧା ରେଳ ଲାଇନ ପାଇଁ ଜାଗା କିଏ ଦେଇନାହିଁ? ମାଲକାନଗିରି, ନବରଙ୍ଗପୁର ଜିଲ୍ଲାକୁ ରେଳ ଲାଇନ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଥିବା ସର୍ତରେ କିଏ ଖିଲାପ କରିଛି? ମୁଖ୍ୟମନ୍ତ୍ରୀ ପ୍ରଜାତନ୍ତ୍ର ମାଧ୍ୟମରେ ବାରମ୍ବାର ଓଡିଆ ଲୋକଙ୍କୁ ଲଣ୍ଠନ ଦେଖାଇବେ ବୋଲି ଭାବୁଛନ୍ତି । ଏଥର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଆ ଲୋକଙ୍କ ମଧ୍ୟରେ ପ୍ରହେଳିକା ସୃଷ୍ଟି କରିବାର ଅପଚେଷ୍ଟା ବିଫଳ ହେବ ବୋଲି ସେ କହିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଚିରାଚରିତ ଅଶ୍ୱୀୟା ଭାବକୁ ବାମମ୍ବାର ପ୍ରକାଶ କରୁଛନ୍ତି । ଓଡିଶାକୁ ବିପଦ ସମୟରେ ଭାରତୀୟ ଜନତା ପାର୍ଟିର ନେତୃମଣ୍ଡଳି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡେ ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି । ନବୀନ ବାବୁଙ୍କୁ ସ୍ମରଣ ଶକ୍ତି ଅବକ୍ଷୟ ହୋଇଯାଇଥିବ । ୧୯୯୯ ମହାବାତ୍ୟା ବେଳେ ଓଡିଶାର ଅଧା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଓଡିଶା ନିଜ ଗୋଡରେ କପରି ଛିଡାହେବ ସେ ନେଇ ଚିନ୍ତାଜନକ ସ୍ଥିତିରେ ଥିଲା । ଏହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଓଡିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବଜ୍ର ଘୋଷଣା କରି ଏହାର ଦାୟିତ୍ୱ ନେଇଥିଲେ । ଏହାକୁ ଆଜି ସମୀକ୍ଷା କରିବାର ସମୟ ଆସିଛି, ମହାବାତ୍ୟା ପରେ ବାଜପେୟୀ ୭ ଲକ୍ଷ ଇନ୍ଦିରା ଆବାସ ଓଡିଶାକୁ ଯୋଗାଇ ଦେଇଥିଲେ । ସେହିପରି ଓଡିଶାରେ ଉପକୂଳରେ ବାତ୍ୟା ସହାୟତା କେନ୍ଦ୍ର ବାଜପେୟୀଙ୍କ ତତ୍ୱାବଧାନରେ ନିର୍ମାଣ ହୋଇଥିଲା, ଯେଉଁ ଆଧାରରେ ଆଜି ଓଡିଶା ସରକାର ବନ୍ୟା, ବାତ୍ୟା ମୁକାବିଲାର ବଡ ଡିଣ୍ଡିମ ପିଟୁଛନ୍ତି । ପାରାଦୀପ ଅଏଲ ରିଫାଇନାରୀ କାହାର ଯୋଜନା ଥିଲା? ୧୬୦୦ କିମି ଜାତୀୟ ରାଜପଥକୁ ବାଜପେୟୀ ୩୨୦୦ କିମି ଜାତୀୟ ରାଜପଥ କରିବାକୁ କାହିଁକି ଭୁଲି ଯାଉଛନ୍ତି ମୁଖ୍ୟମନ୍ତ୍ରୀ? ଓଡିଶାକୁ ଏମସ୍ କିଏ ଆଣିଥିଲା ବୋଲି ପ୍ରଶ୍ନ କରିବା ସହ ନବୀନ ବାବୁ ତାଙ୍କ ସୁବିଧା ପାଇଁ ଏଗୁଡିକ ଭୁଲିଯିବା ପାଇଁ ଚାହିଁବେ ତା’ ହେଲେ ତାଙ୍କୁ ଧନ୍ୟବାଦ ଦେବାକୁ ପଡିବ । ମୋଦିଙ୍କ ସରକାରରେ ୧୪ଶ ଅର୍ଥ କମିଶନରେ ୧୩ଶ ଅର୍ଥ କମିଶନ ଠାରୁ ଲକ୍ଷାଧିକ ଟଙ୍କା ଅଧିକ ଆସିଲା । ଓଡିଶାର ଖଣିଖାଦାନକୁ ନବୀନ ବାବୁ ମାଗଣାରେ ଶିଳ୍ପପତିମାନଙ୍କୁ ଟେକି ଦେଉଥିବା ବେଳେ ମୋଦି ସରକାର ଆସିବା ପରେ ନିୟମକୁ ବଦଳାଯାଇ ଖଣିଖାଦାନ ନିଲାମୀର ପଇସା ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ସ୍ୱରୂପ ରାଜ୍ୟରେ ରହିବାର ବ୍ୟବସ୍ଥା ପ୍ରଥମ ଥର ପାଇଁ ଭାରତରେ କରାଗଲା । ରାଜ୍ୟରେ ଡିଏମଏଫରେ ସାଢେ ୬ ହଜାରରୁ ଅଧିକ ଟଙ୍କା ଥିବାବେଳେ ଏହି ପଇସାକୁ ନବୀନ ବାବୁ ଖର୍ଚ୍ଚ କରିପାରୁନାହାଁନ୍ତି । କେନ୍ଦ୍ରରେ ୨୦୦୯ ରୁ ୧୪ କଂଗ୍ରେସ ସରକାର ସମୟରେ ଓଡିଶାକୁ ୪ ଲକ୍ଷ ୯୦ ହଜାର ଇନ୍ଦିରା ଆବାସ ଦେଇଥିଲେ । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୯ ଲକ୍ଷ ଲକ୍ଷ ୨୦ ହଜାର ପକ୍କା ଘର ଦେଇଥିବା ବେଳେ ୮ ଲକ୍ଷ ଘର ସମ୍ପୂର୍ଣ୍ଣ ହେଲାଣି । ମୁଖ୍ୟମନ୍ତ୍ରୀଙ୍କ ହିସାବରେ ୪ ଲକ୍ଷ ୯୦ ହଜାର ଯଦି ବଡ ଓ ୯ ଲକ୍ଷ ୨୦ ହଜାର ସାନ ତେବେ ମୁଖ୍ୟମନ୍ତ୍ରୀ ଗଣିତ ଜ୍ଞାନକୁ ଧନ୍ୟବାଦ ଦେବାକୁ ପଡିବ ବୋଲି ସେ କହିଛନ୍ତି । ସେହିଭଳି କୁମ୍ଭୀର କାନ୍ଦଣା କିଏ କାନ୍ଦୁଛି ଓଡିଶା ଲୋକମାନେ ତାକୁ ବୁଝୁଛନ୍ତି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ସରକାର ଓଡିଶା ଓ ଦିଲ୍ଲୀରେ ହେବ ।


