ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସ ପାଳନ ଅବସରରେ ରାମସାଗରର ଦଳ ଓ ଆବର୍ଜନା ସଫେଇ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ନିର୍ମାଣ ହେଉଥିବା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କରୁଥିବା ସେବକ ଦୁର୍ଗାମାଧବ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଏଭିନବ ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମୃତି ଉଦ୍ଦେଶ୍ୟରେ ପାଳନ କରିବା ପାଇଁ ପାରଳା ସହର ଉପକଣ୍ଠରେ ଥିବା ବହୁ ପୁରାତନ ରାମସାଗରର ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଚଳିତ ମାସ ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ହୋଇଯାଇଥିଲେ ମଧ୍ୟ ଏହାକୁ ଏକ ସପ୍ତାହ ଧରି ପାଳନ କରାଯାଉଛି । ଆଜି ସକାଳ ଠାରୁ ମଧ୍ୟହ୍ନ ପର୍ଯ୍ୟନ୍ତ ରାମସାଗରର ଦଳ ଓ ଆବର୍ଜନା ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ପାରଳା ଯୁବରାଣୀ ତଥା ବରିଷ୍ଠ ବିଜେଡି ନେତ୍ରୀ କଲ୍ୟାଣୀ ଗଜପତି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ସଫେଇ କାର୍ଯ୍ୟକ୍ରମକୁ ପାରଳା ସହରରେ ନିର୍ମାଣଧୀନ ନୂତନ ଜଗନ୍ନାଥ ମନ୍ଦିରର ସେବକ ଦୁର୍ଗାମାଧବ ପାଣିଗ୍ରାହୀ, ରାଜେନ୍ଦ୍ର ବେହେରା,ଇଂ.ତିରୁପତି ପାତ୍ର,କରୁଣାକର ନାୟକ ପ୍ରମୁଖଙ୍କ ସହ ୫୦ଜଣ ସେବକ ଯୋଗ ଦେଇ ରାମଶାଗରର ଦଳ ଓ ଆବର୍ଜନାକୁ ସଫା କରିଥିଲେ । ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କରୁଥିବା ସେବକ ଦୁର୍ଗାମାଧବ ପାଣିଗ୍ରାହୀଙ୍କ ଏଭଳି ଉଦ୍ୟମ ଓ ସଫେଇ କାର୍ଯ୍ୟକ୍ରମ ଯୋଗୁଁ ଅଞ୍ଚଳବାସୀ ତାଙ୍କୁ ସାଧୁବାଦ ଜମାଇଛନ୍ତି ।