ମୁଖ୍ୟମନ୍ତ୍ରୀ ମିଛ କହିଛନ୍ତି ଓ ଠିକା କର୍ମଚାରୀଙ୍କୁ ଧୋକା ଦେଉଛନ୍ତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆମ ଦେଶ ଓ ରାଜ୍ୟ ଏକ ଗଣତନ୍ତ୍ରିକ ରାଷ୍ଟ୍ର ଓ ରାଜ୍ୟ । ଏ ଦେଶରେ ଓ ରାଜ୍ୟରେ ସମସ୍ତ କାର୍ଯ୍ୟ ଆଇନ, ନୀତି, ନିୟମ ଓ ସମ୍ବିଧାନିକ ବ୍ୟବସ୍ଥା ଭିତରେ ପର୍ଯ୍ୟବେସିତ । ଯେକୌଣସି ସରକାର ଓ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଯେକୌଣସି ଯୋଜନା ଘୋଷଣା କରିବା ପୂର୍ବରୁ ରହିଥିବା ଆଇନ ବ୍ୟବସ୍ଥା ଓ ସାମ୍ବିଧାନିକ ବ୍ୟବସ୍ଥାକୁ ତର୍ଜମା କରି ଘୋଷଣା କରିବାର ଆବଶ୍ୟକତା ରହିଛି । କିନ୍ତୁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନିକଟରେ ସମସ୍ତ ଠିକା ବ୍ୟବସ୍ଥା ଉଚ୍ଛେଦ କରାଗଲା ଓ ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ମାନ୍ୟତା ଦିଆଗଲା ବୋଲି ଯେଉଁ ଘୋଷଣା କଲେ ତାହା ସମ୍ପୂର୍ଣ୍ଣ ମିଥ୍ୟା, ଅସାମ୍ବିଧାନିକ ଓ ସମସ୍ତ ବର୍ଗର ଠିକା କର୍ମଚାରୀଙ୍କ ପ୍ରତି ଏକ ବଡ଼ ଧରଣର ଧୋକା ବୋଲି କ୍ରାନ୍ତିକାରୀ ସଂଗଠନ କ୍ରାନ୍ତି ଓଡ଼ିଶା ଅଭିଯୋଗ କରିଛି ।ରାଜ୍ୟ ସରାକରଙ୍କର ଏଭଳି ମିଥ୍ୟା ଓ ଧୋକାବାଜି ଘୋଷଣା ନେଇ କ୍ରାନ୍ତି ଓଡ଼ିଶା ରାଜ୍ୟରେ ଓ ଦେଶର ରାଜଧାନୀ ନୂଆଦିଲ୍ଲୀରେ ବ୍ୟାପକ ଗଣ ଆନ୍ଦୋଳନ, ଗଣସତ୍ୟାଗ୍ରହ ଓ ଆଇନଗତ ପଦକ୍ଷେପ ନେବାପାଇଁ ସ୍ଥିର କରିଛି । କୌରସି ପରିସ୍ଥିତିରେ କୌଣିସି ବର୍ଗର ଠିକା କର୍ମଚାରୀ, ବେକାର ଯୁବକ ଯୁବତୀ ଓ ସାଧାରଣ ନାଗରିକଙ୍କ ପ୍ରତି କୌଣସି ପ୍ରକାର ଅନ୍ୟାୟକୁ କ୍ରାନ୍ତି ଓଡ଼ିଶା ବରଦାସ୍ତ କରିବ ନାହିଁ । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଓ ସ୍ୱାସ୍ଥ୍ୟ ବିଭାଗରେ ଏବଂ ସମସ୍ତ ବର୍ଗର ସ୍ୱାସ୍ଥ୍ୟକର୍ମୀଙ୍କ ମାନଙ୍କ ପ୍ରତି ହୋଇଥିବା ଅବିଚାର ବିରୁଦ୍ଧରେ ଆଜି ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତି କରିଛି । ଭାରତୀୟ ସମ୍ବିଧାନରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମୌଳିକ ଅଧିକାର ଅନ୍ତର୍ଭୁକ୍ତ ସମସ୍ତ ନାଗରିକଙ୍କୁ ନିଶ୍ଚିିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିର୍ବାଚିତ ସରକାରର ମୁଖ୍ୟ ଦାୟିତ୍ୱ ଓ କର୍ତବ୍ୟ । କିନ୍ତୁ ରାଜ୍ୟ ସରାକର ଆଇସିଏମ୍ଆର ନିୟମ ଅନୁଯାୟୀ ରାଜ୍ୟରେ ଆବଶ୍ୟକ ର୍ନସିଂ ଅଫିସର, ଏଏନ୍ଏମ୍, ଫାର୍ମାସିଷ୍ଟ, ଏଲ୍ଟି ଓ ଆବଶ୍ୟକ ଡ଼ାକ୍ତର ନିଯୁକ୍ତି କରିନାହାଁନ୍ତି । ରାଜ୍ୟରେ ହଜାର ହଜାର ଅବସର ଓ ମୃତ୍ୟୁକାଳୀନ ସ୍ଥାୟୀ ପଦବୀ ଖାଲି ପଡ଼ିଛି । ଯେଉଁ ପଦବୀ ଗୁଡ଼ିକ ସାମ୍ବିଧାନିକ ପଦବୀ, ସେହି ପଦବୀ ନିମନ୍ତେ କେନ୍ଦ୍ର ଓ ରାଜ୍ୟର ସ୍ୱାସ୍ଥ୍ୟ ବଜେଟରେ ପ୍ରତ୍ୟେକ ବର୍ଷ ପୂର୍ଣ୍ଣ ଦରମାର ବ୍ୟବସ୍ଥା ହେଉଛି । ସେହିପରି କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ରାଜ୍ୟକୁ ସ୍ଥାୟୀ ପାରାମେଡ଼ିକାଲ ପଦବୀ ଖୋଲିବା ନିମନ୍ତେ ଶତପ୍ରତିଶତ ଆର୍ଥିକ ଅନୁଦାନ ପ୍ରଦାନ କରି ଆସୁଛନ୍ତି । କିନ୍ତୁ ରାଜ୍ୟ ସରକାର ଖାଲି ଥିବା ସ୍ଥାୟୀ ପଦବୀରେ ଯୋଗ୍ୟ ପାରାମେଡ଼ିକାଲ ଷ୍ଟାଫଙ୍କୁ ଠିକା ଭାବରେ ସ୍ୱଳ୍ପ ଦରମାରେ ନିୟୋଜିତ କରି ଦାଦନ ଭଳି ଖଟାଇ ଆସୁଛନ୍ତି, ଯାହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ । ଯଦି ସ୍ଥାୟୀ ପଦବୀ ସ୍ଥାନରେ ଠିକା ଭାବେ ନିଯୁକ୍ତି ଦିଆଗଲା, ତେବେ ସ୍ଥାୟୀ ପଦବୀ ନିମନ୍ତେ ସ୍ୱାସ୍ଥ୍ୟ ବଜେଟରେ ଅନୁମୋଦିତ ପୂର୍ଣ୍ଣ ଦରମା ଆଜି ପର୍ଯ୍ୟନ୍ତ ଯାଉଥିଲା କୁଆଡ଼େ, ତାର ଜବାବ ଏ ସରକାର ଓ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେବା ଦରକାର ଅଛି । ଯେକୌଣସି ସ୍ଥାୟୀ ପଦବୀରେ ଯେକୌଣସି ଠିକା କର୍ମଚାରୀ ନିୟୋଜିତ ହେବେ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ସମାନ କାମକୁ ସମାନ ଦରମା ଭାବରେ ପ୍ରଥମରୁ ସମସ୍ତ ବର୍ଗର ଠିକା କର୍ମଚାରୀ କାହିଁକି ପୂର୍ଣ୍ଣ ଦରମା ପାଇବେ ନାହିଁ । ଠିକା କର୍ମଚାରୀ ଭାବରେ ନର୍ସିଂ ଅଫିସର ପଦବୀ ନିମନ୍ତେ ସରକାର ବିଜ୍ଞାପନ ପ୍ରକାଶ କଲେ । ହଜାର ହଜାର କୋଭିଡ଼ ଯୋଦ୍ଧା ସେଥିନିମନ୍ତେ ଆବେଦନ କଲେ । ରାଜ୍ୟ ଷ୍ଟାଫ ସିଲେକ୍ସନ ଯୋଗ୍ୟତା ଭିତିରେ ମନୋନୟନ ତାଲିକା ପ୍ରକାଶ କଲେ । ଦେଶର ଓ ରାଜ୍ୟର ନୀତି ଆଇନ ଅନୁଯାୟୀ ଯେତିକ ପଦବୀ ନିମନ୍ତେ ବିଜ୍ଞାପନ ପ୍ରକାଶ ହୋଇଥିବ ତାହାର ୧.୫ ଅନୁପାତରେ ମନୋନୟନ ତାଲିକା ପ୍ରକାଶ ପାଇବ । ମନୋନୟନ ତାଲିକାର ୫୦ ଭାଗ ପ୍ରାର୍ଥୀଙ୍କ ନାମ ଅପେକ୍ଷାରତ ତାଲିକାରେ ଏକବର୍ଷ ପର୍ଯ୍ୟନ୍ତ ରହିବ । ଯେକୌଣସି ପଦବୀ ସେହି ଏକବର୍ଷ ମଧ୍ୟରେ ଖାଲି ହେବ, ସେହି ମନୋନୟନ ତାଲିକାର ପ୍ରାର୍ଥୀମାନଙ୍କୁ ସେଥିରେ ନିୟୋଜିତ କରିବାର ସାମ୍ବିଧାନିକ ବ୍ୟବସ୍ଥା ରହିଛି । କିନ୍ତୁ ଏ ରାଜ୍ୟ ସରକାର ନର୍ସିଂ ଅଫିସର ନିମନ୍ତେ ବିଜ୍ଞାପନ ପ୍ରକାଶ କଲେ, ଷ୍ଟାଫ ସିଲେକ୍ସନ ମନୋନୟନ ତାଲିକା ପ୍ରକାଶ କଲା, ସେଥିରୁ ଅଧା ପ୍ରାର୍ଥୀଙ୍କୁ ନର୍ସିଂ ଅଫିସର ଭାବେ ନିଯୁକ୍ତି ଦିଆଗଲା ଏବଂ ପୁଣି ଆଉ ଏକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରି ଏହି ପ୍ରାର୍ଥୀମାନଙ୍କୁ ଆବେଦନ କରିବା ପାଇଁ ମାଧ୍ୟ କରାଗଲା । କେଉଁ ଆଇନ ଆଧାରରେ ରାଜ୍ୟ ସରକାର ଓ ଷ୍ଟାଫ ସିଲେକ୍ସନ ଏଭଳି ଅନୈତିକ, ବେଆଇନ ଓ ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି ଏବଂ ସେହିମାନଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧାନ ଆଇନର ଅପରାଧିକ ମାମଲା ଲାଗୁ କରାଯିବ ନାହିଁ ବୋଲି କ୍ରାନ୍ତି ଓଡ଼ିଶା ପ୍ରଶ୍ନ କରିଛି । ନିୟୋଜିତ ଠିକା କର୍ମଚାରୀଙ୍କୁ ଛଟେଇ କରି ପୁଣି ଆଉ ଏକ ଠିକା କର୍ମଚାରୀ ନିୟୋଜିତ କରାଯାଇ ପାରିବ ନାହିଁ ଏବଂ ଯେତେବେଳେ ସ୍ଥାୟୀ ନିଯୁକ୍ତି ହେବ, ସେତେବେଳେ ଅଭିଜ୍ଞ ଠିକା କର୍ମଚାରୀମାନଙ୍କୁ ସର୍ବ ଅଗ୍ରାଧିକାର ଦେବା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମାନ୍ୟବର ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ରାୟ ରହିଛି । କୋଭିଡ଼ ସମୟରେ ଯେଉଁ କରୋନା ଯୋଦ୍ଧାମାନେ ନିୟୋଜିତ ହୋଇଥିଲେ, ସେହିମାନଙ୍କୁ ସରକାର ଠିକା କର୍ମଚାରୀ ଭାବେ ନିୟୋଜିତ କରିଥିଲେ, ସେହିମାନେ ରାଜ୍ୟ ସରକାରଙ୍କ ଅଧିନରେ ଠିକା ଭାବେ ନିଯୁକ୍ତି ପାଇଥିଲେ । କିନ୍ତୁ ରାଜ୍ୟ ସରକାର କେତେକଙ୍କୁ ବର୍ତମାନ ଛଟେଇ କରିଥିବା ବେଳେ ଆଉ କେତେକ କାର୍ଯ୍ୟରତ ଅଛନ୍ତି । ଦେଶର ସୁପ୍ରିମକୋର୍ଟଙ୍କ ଆଇନ ଅନୁଯାୟୀ କୌଣସି ଠିକା କର୍ମରୀଙ୍କୁ ଛଟେଇ କରି ସେହି ସ୍ଥାନରେ ପୁଣି ଠିକା କର୍ମଚାରୀ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ କରିବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ସର୍ବୋଚ୍ଚ ନ୍ୟାୟଳୟଙ୍କ ରାୟର ଉଲଂଘନ ସଦୃଶ । ତେଣୁ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଓ ରାଜ୍ୟର ଅନ୍ୟାନ୍ୟ ବିଭାଗରେ କୌଣସି ଠିକା କର୍ମଚାରୀଙ୍କୁ ଛଟେଇ କରି ସେହି ସ୍ଥାନରେ ନୂତନ ଠିକା କର୍ମଚାରୀ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ କରିବା ତୁରନ୍ତ ବନ୍ଦ କରନ୍ତୁ । ଯେଉଁ କ୍ଷେତ୍ରରେ ଠିକା କର୍ମଚାରୀ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଛି ତାହା ପରିବର୍ତନ କରି ଯଦି ବାସ୍ତବରେ ସରକାର ଠିକା ନିଯୁକ୍ତି ଉଚ୍ଛେଦ କରିଛନ୍ତି, ତେବେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତିର ନିଯୁକ୍ତି ପତ୍ର ପ୍ରଦାନ କରନ୍ତୁ ଏବଂ ଯେଉଁମାନେ ଅତୀତରେ ଠିକା କର୍ମଚାରୀରୁ ୬ ବର୍ଷ କାର୍ଯ୍ୟକଳାପରେ ସ୍ଥାୟୀ ହୋଇଛନ୍ତି, ସେମାନଙ୍କୁ ନିଯୁକ୍ତି ଦିନଠାରୁ ସ୍ଥାୟୀ କର୍ମଚାରୀର ମାନ୍ୟତା ଦେଇ ପୂର୍ଣ୍ଣ ଦରମା ଓ ଅନ୍ୟାନ୍ୟ ସମସ୍ତ ସୁବିଧା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଜାରି କରନ୍ତୁ । ଆଇସିଏମ୍ ନିୟମ ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗରେ ଆବଶ୍ୟକ ନର୍ସିଂ ଅଫିସର, ଏଏନ୍ଏମ୍, ଫାର୍ମାସିଷ୍ଟ, ଏଲଟି ଓ ଡ଼ାକ୍ତର ତୁରନ୍ତ ନିଯୁକ୍ତି କରିବା ସହ ରାଜ୍ୟର ସମସ୍ତ ଅବସର ଓ ମୃତ୍ୟୁକାଳୀନ ସାମ୍ବିଧାନିକ ପଦବୀକୁ ତୁରନ୍ତ ପୂରଣ କରିବା ହୁଅନ୍ତୁ ବୋଲି କ୍ରାନ୍ତି ଓଡ଼ିଶା ଦୃଢ ଦାବି କରିଛି । ନଚେତ କ୍ରାନ୍ତି ଓଡ଼ିଶା ଓ ରାଜ୍ୟର ସମସ୍ତ ପାରାମେଡ଼ିକାଲ କର୍ମଚାରୀ ଏବଂ ଅନ୍ୟାନ୍ୟ ବର୍ଗର ଠିକା କର୍ମଚାରୀ ଓ ବେକାର ଯୁବକ ଯୁବତୀ ରାଜ୍ୟରେ ଜୋରଦାର ଗଣଆନ୍ଦୋଳନ, ଗଣସତ୍ୟାଗ୍ରହ କରିବା ସହ ଦିଲ୍ଲୀ ଦରବାରରେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ଘରୋଇ ମନ୍ତ୍ରୀ ଓ ମହାମାନ୍ୟ ରାଷ୍ଟ୍ରପତି ଓ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିବେ ବୋଲି ଚେତାବନୀ ଦେଇଛନ୍ତି ।