ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଏବେ ଘରୋଇ ନର୍ସିଂହୋମରେ ! ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ଚେତାବନୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଉଦବେଗ ପ୍ରକାଶ କରିଛି ବାଲେଶ୍ୱର ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି । ଏଠାରେ କାର୍ଯ୍ୟରତ ଡାକ୍ତର, ନର୍ସ ଏମିତିକି କର୍ମଚାରୀଙ୍କଠାରୁ ସମ୍ପ୍ରତି ସେବା ପାଇବା ଦୁରୂହ ବ୍ୟାପାର ହୋଇଥିବା କମିଟିର କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି । ବିଶେଷକରି ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତ ପାଇଥିବା କେତେକ ବିଶେଷଜ୍ଞ ଡାକ୍ତର ନିଜର କର୍ତ୍ତବ୍ୟରେ ଅବହେଳା କରି ଘରୋଇ ଚିକିତ୍ସା କରୁଥିବା ନେଇ କ୍ରିୟାନୁଷ୍ଠାନ କମିଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ସହରର ବିଭିନ୍ନ ମେଡିସିନ୍ ଦୋକାନ ଓ ଘରୋଇ ନର୍ସିଂହୋମ୍ରେ ଏହି ଡାକ୍ତରମାନେ ନିର୍ଦ୍ଦିଷ୍ଟ ସମୟରେ ଉପସ୍ଥିତ ରହୁଥିବା ବେଳେ ନିଜର ସରକାରୀ କାର୍ଯ୍ୟରେ ଅବହେଳା କରି ଚାଲିଥିବା କମିଟି କର୍ମକର୍ତ୍ତାମାନେ କହିଛନ୍ତି । ଘରୋଇ ଚିକିତ୍ସାରେ ଥିବା ଏହି ଅଭିଜ୍ଞ ଡାକ୍ତରମାନେ ରୋଗୀମାନଙ୍କଠାରୁ ଚିକିତ୍ସା ଚିଠା ତିଆରି କରିବାରେ ଥରକୁ ୨୦୦ ଟଙ୍କାରୁ ୭୦୦ ଟଙ୍କା ନେଉଛନ୍ତି । ଅନ୍ୟପକ୍ଷରେ ସରକାରୀ ଡାକ୍ତରଖାନାରେ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ପାଇଁ ମାଗଣା ସୁଯୋଗ ଥିବାବେଳେ ରୋଗୀମାନଙ୍କୁ ଏହି ଡାକ୍ତରମାନେ ନିର୍ଦ୍ଦିଷ୍ଟ କେତେକ ଘରୋଇ ଲାବକୁ ରୋଗୀମାନଙ୍କୁ ପଠାଉଛନ୍ତି । ଏମିତିକି ମାଇକ ଓ ପ୍ରଚାରପତ୍ର ମାଧ୍ୟମରେ ଏହି ଅର୍ଥନ୍ୱେଷୀ ଡାକ୍ତରଙ୍କର ନାମ ପଦବୀର ବହୁଳ ପ୍ରଚାର କରାଯାଉଛି । ଯଦ୍ୱାରା ସାଧାରଣ ରୋଗୀମାନେ ନିଃଶୁଳ୍କ ସରକାରୀ ସ୍ୱାସ୍ଥ୍ୟ ପରିବର୍ତ୍ତେ ଘରୋଇ ଡାକ୍ତରଖାନାକୁ ଯାଇ ଶୋଷଣର ଶିକାର ହେଉଛନ୍ତି ବୋଲି କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ କମିଟିର ଏକ ପ୍ରତିନିଧି ଦଳ ବାଲେଶ୍ୱର ସହରରେ ଥିବା ଦୁଇଜଣ ଡ୍ରଗ୍ ଇନ୍ସପେକ୍ଟରଙ୍କୁ ଶୁକ୍ରବାର ସାକ୍ଷାତ ସହ ସ୍ମାରକପତ୍ର ପ୍ରଦାନ କରିଛି । ଏହି ଅଭିଯୋଗ ଉପରେ ମେଡିକାଲ୍ କଲେଜ୍ ସୁପରିଟେଣ୍ଡେଙ୍କୁ ମଧ୍ୟ ଅବଗତ କରାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାର ରୋଗୀମାନଙ୍କ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ବ୍ୟାପକ ନିଶୁଳ୍କ ବ୍ୟବସ୍ଥା କରିଥିବା ବେଳେ ଏବେ ତାହା ବାଟବଣା ହେବାରେ ଲାଗିଛି । ଫଳରେ କୋଟି କୋଟି ଟଙ୍କାର ସ୍ୱାସ୍ଥ୍ୟ ଯୋଜନା ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରୁନି ବୋଲି କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ଯଦି ଚଳିତ ମାସ ଶେଷ ସୁଦ୍ଧା ଏହି ସମସ୍ୟାର ନିରାକରଣ ଦିଗରେ ଜିଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆସନ୍ତା ଜୁଲାଇ ମାସରୁ କ୍ରିୟାନୁଷ୍ଠାନ କମିଟି ଜିଲାବାସୀଙ୍କ ସହଯୋଗରେ ଚରମ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏହି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ବେଳେ ଜିଲା କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ତଥା ଆଇନଜୀବୀ ନିରଞ୍ଜନ ପରିଡ଼ାଙ୍କ ନେତୃତ୍ୱରେ ଗୌରାଙ୍ଗ ପାଣିଗ୍ରାହୀ, ପ୍ରଫୁଲ ଦାସ, ମୀନତି ରାୟ ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


