ମୁଖ୍ୟ ରାସ୍ତାରେ ଗର୍ତ୍ତ ବଢୁଛି ଦୁର୍ଘଟଣା
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଭଞ୍ଜନଗର ଠାରୁ ବ୍ରହ୍ମପୁର ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର ଗାଡ଼ି ଯିବା ଆସିବା କରେ I ଏହି ରାସ୍ତା ଦେଇ ନେତା,ମନ୍ତ୍ରୀ ଏବଂ ଅଫିସର୍ ମଧ୍ୟ ଯିବା ଆସିବା କରନ୍ତି I କିନ୍ତୁ ସେହି ରାସ୍ତାରେ ଥିବା ବିଭିନ୍ନ ସମସ୍ୟା ପ୍ରତି କାହାର ନଜର ନଥାଏ I ଫଳରେ ଦୈନନ୍ଦିନ ବିଭିନ୍ନ ପ୍ରକାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେବାର ନଜର ମଧ୍ୟ ରହିଛି I ଏହି ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ଗୋବରା ଅଞ୍ଚଳରେ I ଗୋବରା ମୁଖ୍ୟ ସଡକରେ ପାଖାପାଖି ଏକ ମାସ ହେବ ଦୁଇଟି ଗର୍ତ୍ତ ସୃଷ୍ଟି ହୋଇଛି I ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏ ଦିଗରେ ପ୍ରଶାସନ କୌଣସି ଦୃଷ୍ଟି ନଦେବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି I ଗତ ଏକ ମାସ ତଳେ ବସୁଧା ଯୋଜନାର ପାଇପ୍ ଲାଇନ ମରାମତି ପାଇଁ ଗୋବରା ଠାରୁ ମରାଇପାଟ ଯିବା ରାସ୍ତାକୁ ଖୋଳା ଯାଇଥିଲା I କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସେହି ଖୋଳା ଯାଇଥିବା ସ୍ଥାନକୁ ଆଉ ମରାମତି କରାଯାଇନାହିଁ I ଠିକ୍ ସେହି ପରି ଗୋବରା ମୁଖ୍ୟ ସଡ଼କରୁ ଗୋବରା ଗାଆଁ ଭିତରକୁ ଯିବା ରାସ୍ତାରେ ମଧ୍ୟ ଏକ ଗାତ ସୃଷ୍ଟି ହୋଇଛି I ଏହି ଗାତ ଗୁଡିକରେ ପ୍ରତ୍ୟେକ ଛୋଟବଡ ଦୁର୍ଘଟଣା ଘଟି ଲୋକେ ଖଣ୍ଡିଆଖାବରା ହେବାର ନଜର ରହିଛି I ଏନେଇ ଦଶଦିନ ତଳେ ଗଣମାଧ୍ୟମ ପ୍ରତିନିଧି ଗର୍ତ୍ତ ଦୁଇଟି ମରାମତି ସମ୍ପର୍କରେ ପାଇଁ ଆର୍.ଡବ୍ଲୁଏସ ଏସ କନିଷ୍ଠ ଯନ୍ତ୍ରୀ ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ଗ୍ରହଣ ନକରି ସମୟ ଗଡ଼ାଇ ଚାଲିଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି I ସେହିପରି ବସୁଧା ଯୋଜନା ପାଇପ୍ ଜଳରେ ବାହାର ମଇଳା ଜଳ ମିଶୁଥିବା ନେଇ ଦୁଇ ତିନିମାସ ତଳେ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ଦିଗରେ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ I ଫଳରେ ଅଞ୍ଚଳରେ ପାନୀୟ ଜଳ ପାଇଁ ମଧ୍ୟ ଅସନ୍ତୋଷ ବୃ୍ଦ୍ଧି ପାଇଛି I ଏ ଦିଗରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଏହାର ମରାମତି ପାଇଁ ଦାବି ହୋଇଛି I