ମୁଖ୍ୟ ଶାସନ ସଚିବଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ୍‌): ସରକାରୀ କର୍ମଚାରୀମାନେ ଜନସାଧାରଣ ଏବଂ ରାଜ୍ୟର ସମୃଦ୍ଧିରେ ସହାୟକ ହୁଅନ୍ତୁ । ଏହା ଦ୍ୱାରା ସେମାନେ ସମସ୍ତଙ୍କର ବିଶ୍ୱାସଭାଜନ ହୋଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କ୍ଷେତ୍ର ପରିଦର୍ଶନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍‌ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ସକାଳୁ ଯୋଡ଼ା, ବଡ଼ବିଲ ଏବଂ ଚମ୍ପୁଆ ଅଂଚଳରେ ଡିଏମ୍‌ଏଫ୍ ଏବଂ ଓମ୍ବାଡିସି ଅର୍ଥରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ତଦାରଖ କରିବା ସହ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍‌ଠାରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ଜିଲ୍ଲାର ବିଭିନ୍ନ ଶ୍ରୀ ତ୍ରୀପାଠୀ କହିଥିଲେ ଯେ ସୁଶାସନ ପ୍ରତିଷ୍ଠା ଓ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । “ମୋ ସରକାର” ଓ “୫ଟି” କାର୍ଯ୍ୟକ୍ରମ ପ୍ରଚଳିତ ହେବା ଫଳରେ ସରକାରୀ କର୍ମଚାରୀମାନଙ୍କର ଉତରଦାୟିତ୍ୱ ବଢିଯାଇଛି । ଏଣୁ ସରକାରୀ କର୍ମଚାରୀମାନେ ନିଜର କର୍ତବ୍ୟ ପ୍ରତି ନିଷ୍ଠା ଓ ଅଙ୍ଗୀକାର ରଖି କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଭଲ କାମ କଲେ ପୁରସ୍କାର ଏବଂ କର୍ତବ୍ୟରେ ଅବହେଳା କଲେ କିମ୍ବା ଦୁର୍ନୀତିରେ ଲିପ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଶ୍ରୀ ତ୍ରିପାଠୀ ସତର୍କ କରାଇଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ଭାବନା ଅନୁଯାୟୀ ଜନସାଧାରଣଙ୍କୁ ମୂଲ୍ୟବୋଧଭିତିକ ସେବା ଯୋଗାଇଦେବା ପାଇଁ ସରକାରୀ କର୍ମଚାରୀମାନେ ବିନା ଭୟରେ ଏବଂ ବିନା ଚାପରେ କାର୍ଯ୍ୟ ନିର୍ବାହ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ପୁନଶ୍ଚ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଡିଏମ୍‌ଏଫ୍ ଏବଂ ଓମ୍ବାଡିସି ପାଣ୍ଠି ବିନିଯୋଗରେ ଜିଲ୍ଲାର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ପ୍ରାକୃତିକ ସମ୍ପଦରେ ଭରପୁର କେନ୍ଦୁଝର ଜିଲ୍ଲାରେ ଅଧିକ ଶିଳ୍ପଭିତିକ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଜିଲ୍ଲାର ବିକାଶ ପ୍ରକ୍ରିୟାରେ ଜିଲ୍ଲାପାଳଙ୍କ ଉଦ୍ୟମକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ । ଜିଲ୍ଲାରେ ଡିଏମ୍‌ଏଫ୍ ଅର୍ନ୍ତଗତ ବିଭିନ୍ନ ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓମ୍ବାଡିସି ଅର୍ଥରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସହ ଗ୍ରାମୀଣ ଆବାସ ନିର୍ମାଣ, ରାସ୍ତା ଓ ଗୃହ ନିର୍ମାଣ, ପୋଖରୀ ଖନନ, ଜୀବିକା ମିଶନ, ଦକ୍ଷତା ବିକାଶ, ଶିକ୍ଷା, ସମନ୍ୱିତ ଆଦିବାସୀ ଉନ୍ନୟନ, ଉଦ୍ୟାନ କୃଷି ଆଦି ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କହିଥିଲେ । ପ୍ରାରମ୍ଭରେ ଜିଲ୍ଳାପାଳ ଆଶିଷ ଠାକରେ ସ୍ୱାଗତଭାଷଣ ପ୍ରଦାନ କରିବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ଡି.ଏମ୍‌.ଏଫ୍‌. ଏବଂ ଓମ୍ବାଡିସିର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ଏସ୍‌.ପି. ମିତ୍ରଭାନୁ ମହାପାତ୍ର, ଡି.ଏଫ୍‌.ଓ. ସନ୍ତୋଷ କୁମାର ଯୋଶୀ, ଅତିରିକ୍ତ ଜିଲ୍ଳାପାଳ ଡଃ ଭକ୍ତଚରଣ ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ, ଓମ୍ବାଡିସିର ସି.ଇ.ଓ. ଉମା ନନ୍ଦୁରୀ, ଜେନେରାଲ୍ ମ୍ୟାନେଜର ମନୋଜ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଯୋଡା ପୌରପାଳିକା ଅଂଚଳରେ ଡି.ଏମ୍‌.ଏଫ୍‌. ଅର୍ଥରେ ନିର୍ମିତ ହୋଇଥିବା ପାଠାଗାର ବୁଲି ଦେଖିଥିଲେ ଏବଂ ପାଠାଗାରର ଆନୁସଙ୍ଗିକ ବ୍ୟବସ୍ଥା ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଯୋଡା ପୌରାଂଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସ୍ଥାପିତ କ୍ଷୁଦ୍ର ଜୈବିକ ସାର କେନ୍ଦ୍ର ପରିଦର୍ଶନ କରିଥିଲେ । ତତ୍‌ପରେ ବଡବିଲ୍ ଗସ୍ତ କରି ଉଷୁ ଇଣ୍ଡୋର ଷ୍ଟାଡିୟମ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଉଷୁ କ୍ରୀଡା କ୍ଷେତ୍ରରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ସାମରିକ କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ । ତତ୍‌ପରେ ବଡବିଲ୍ ନୋଡାଲ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ଖାଦ୍ୟ ପ୍ରସ୍ତୁତି ସଂପର୍କରେ ତଦାରଖ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସେଠାରୁ ବଡବିଲସ୍ଥିତ କଳିଙ୍ଗ ଆଇରନ ୱାର୍କସ୍‌ର ମୁଖ୍ୟ କାର୍ଯ୍ୟାଳୟକୁ ଗସ୍ତ କରି ସେଠାରେ କ୍ୟାମ୍ପସ୍ ପରିସର ବୁଲି ଦେଖିଥିଲେ । ତାପରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଦ୍ୱାରା ସ୍ଥାପିତ ସେରେଣ୍ଡାସ୍ଥିତ ଆଦିବାସୀ ବିକାଶ ସମିତି ପରିଦର୍ଶନରେ ଯାଇଥିଲେ । ସେଠାରୁ ମୁଖ୍ୟ ଶାସନ ସଚିବ ଡି.ଏମ୍‌.ଏଫ୍‌. ଅର୍ଥ ଦ୍ୱାରା ପରିଚାଳିତ କାହ୍ନୁପୁରଠାରେ ଶିଶୁମାନଙ୍କ ପାଇଁ ସ୍ଥାପିତ ହୋଇଥିବା ମମତା ଘର ପରିଦର୍ଶନ କରି ତାହା କିପରି କାର୍ଯ୍ୟକ୍ଷମ ହେଉଛି ତଦାରଖ କରିଥିଲେ । ଏହାପରେ କାହ୍ନୁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ପିଲାମାନଙ୍କୁ ଗଣିତ ପ୍ରଶ୍ନ ପଚାରିଥିଲେ ଏବଂ ଆଂଚଳିକ ଭାଷା ମାଧ୍ୟମରେ ଶିକ୍ଷାଦାନ ପଦ୍ଧତି ତଦାରଖ କରିଥିଲେ । ଏହା ପରେ ଚମ୍ପୁଆ ବ୍ଳକ୍ ଅର୍ନ୍ତଗତ ମିରିଗିସିଙ୍ଗାଠାରେ ଡି.ଏମ୍‌.ଏଫ୍‌. ଅର୍ଥରେ ଏବଂ ଓମ୍ବାଡିସି ଅର୍ଥରେ ବୈତରଣୀ ନଦୀରେ ନିର୍ମାଣାଧିନ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ତଦାରଖ କରିଥିଲେ । ଏହାପରେ କୋଦଗାଡିଆଠାରେ ପାନୀୟଜଳ ବିଶଧନାଗାରର ବିଭିନ୍ନ ୟୁନିଟ୍ ବୁଲି ଦେଖିଥିଲେ ଏବଂ ସେଠାରେ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ