ମୁନିସିପାଲଟି କାର୍ଯ୍ୟାଳୟର ଦୂଷିତ ଜଳ ମୁଖ୍ୟ ରାସ୍ତା ଉପରେ ପ୍ରବାହିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରେ ଥିବା ମୁନିସିପାଲଟି କାର୍ଯ୍ୟାଳୟର ଦୂଷିତ ଜଳ ନିଷ୍କାସିତ ନ ହୋଇପାରି ମୁଖ୍ୟ ରାସ୍ତାରେ ପ୍ରବାହିତ ହେଉଛି । ଫଳରେ ରାସ୍ତା ଖାଲଖମା ହେବା ସହ ଏହି ଦୂଷିତ ଜଳ ସାମନାରେ ଥିବା ରାମ ମନ୍ଦିର ଓ ସିଙ୍କିସାହି ଆଦିକୁ ପ୍ରବେଶ କରୁଛି । ଫଳରେ ଲୋକେ ଏହି ଦୂଷିତ ଜଳ ତଥା କର୍ଦମାକ୍ତ ପରିବେଶରେ ଅସ୍ୱାସ୍ଥ୍ୟକର ପରିବେଶରେ ଯାତାୟତ ତଥା ବସବାସ କରୁଛନ୍ତି । ଏନେଇ ସିଙ୍କିସାହି ବାସିନ୍ଦା କହିଛନ୍ତି ଯେ, ମୁନିସିପାଲଟି କାର୍ଯ୍ୟାଳୟରେ ଥିବା ଶୌଚାଳୟ, ବାଥ୍ରୁମ ଆଦିର ଦୂଷିତ ଜଳ ମୁଖ୍ୟ ଡ୍ରେନ ନଥିବା ଯୋଗୁଁ ପ୍ରାୟ ୨ବର୍ଷ ହେଲା ମୁଖ୍ୟରାସ୍ତାରେ ପାଣି ଜମାଟ ବାନ୍ଧୁଛି । ଫଳରେ ରାସ୍ତା ଖାଲ ଖମା ହେବା ସହ ଶୌଚାଳୟ ପାଣି ଓ ବାଥ୍ରୁମ ପାଣି ଗୁଡିକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଏନେଇ ପୌର କର୍ତ୍ତୃପକ୍ଷ କୌଣସି ପଦକ୍ଷେପ କରୁନାହାନ୍ତି କି ଅଭିଯୋଗ କଲେ ଶୁଣୁନାହାନ୍ତି ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଯେ, ପାରଳାଖେମୁଣ୍ଡି ମୁନିସିପାଲଟି କାର୍ଯ୍ୟାଳୟକୁ ନବକଳେବର କରାଯାଇଥିଲା । ଏହି ସମୟରେ ସେ ପାଶ୍ୱର୍ରେ ଥିବା ମୁଖ୍ୟ ଡ୍ରେନଟି ନିର୍ମାଣ ସାମଗ୍ରୀ ଗୁଡିକ ପଡି ପୋତି ହୋଇଯାଇଥିଲା । ସେବେ ଠାରୁ ଏହି ମୁଖ୍ୟ ଡ୍ରେନ ପୋତି ହୋଇଯାଇଥିଲେ ମଧ୍ୟ କୌଣସି ବନ୍ଦବସ୍ତ ନ କରି ଅଞ୍ଚଳବାସୀ ତଥା ଯାତାୟତ କରୁଥିବା ସାଧାରଣଙ୍କୁ ସଂକ୍ରମଣର ଶିକାର ହେବା ପାଇଁ ବା ମୃତ୍ୟୁମୁଖକୁ ଠେଲିଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ଏଥି ପ୍ରତି ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ନିକ୍ଷେପ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ।