ମୁନି ସମାଜର ଅରାଡ଼ ଶାଖା କାର୍ଯ୍ୟାଳୟ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜର ବେଡ଼ପଛ ଅରାଡ଼ ଶାଖା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ସଦ ଗୁରୁଦେବ ଆଦି ମୁନିଶ୍ୱର ଶିବମୁନି ମହାରାଜଙ୍କୁ ସ୍ମରଣ ସହ ଏହି କାର୍ଯ୍ୟାଳୟକୁ ବିଧି ପୂର୍ବକ ଉଦଘାଟନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁନି ସମାଜ ଓଡ଼ିଶା ପ୍ରାନ୍ତୀୟ ଅଧ୍ୟକ୍ଷ ଯୋଗାଚାର୍ଯ୍ୟ କମଳାକାନ୍ତ ପାଣିଗ୍ରାହୀ ଯୋଗଦେଇ ଏହି କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମାଜ କଲ୍ୟାଣ କ୍ଷେତ୍ରରେ ମୁନି ସମାଜର ଦାୟିତ୍ୱବୋଧତା ସମ୍ପର୍କରେ ସେ ଆଲୋଚନା କରିଥିଲେ । ଯୋଗାଚାର୍ଯ୍ୟ କଳାକୃଷ୍ଣ ମିଶ୍ର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂସ୍କାରଯୁକ୍ତ ପରିବାର ଓ ସମାଜ ପ୍ରତିଷ୍ଠାରେ ମୁନିମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଏହି ଶାଖା କାର୍ଯ୍ୟାଳୟ ପାଇଁ ଭୂମିଦାନ କରିଥିବା ମୁନିମତି ମଞ୍ଜୁଲତା ସାହୁ ଓ କାର୍ଯ୍ୟାଳୟ ନିର୍ମାଣରେ ଆର୍ଥିକ ସହାୟତା କରିଥିବା ଅବସରପ୍ରାପ୍ତ ସିଡିଏମଓ ଡ. ସୁଖୋଦା ଦାସଙ୍କ ଅବଦାନ ସର୍ବଦା ପ୍ରଶଂସନୀୟ ବୋଲି ଶ୍ରୀ ମିଶ୍ର ମତ ପ୍ରକାଶ କରିଥିଲେ । ଶାଖା ସଭାପତି ମୁନିରାଜ କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ସୁଖୋଦା ଦାସ ଓ ମଞ୍ଜୁଲତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁନି ସମାଜର ଆଦର୍ଶରେ ଅନୁପ୍ରାଣୀତ ହୋଇ ସେମାନଙ୍କୁ ମିଳୁଥିବା ଆତ୍ମସନ୍ତୋଷ ଓ ମାନସିକ ଶାନ୍ତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଶାଖା ସମ୍ପାଦକ ମୁନିରାଜ ରାଜେନ୍ଦ୍ର କୁମାର ସାହାଣୀ ଏହି କାର୍ଯ୍ୟକ୍ରମରେ ବିବରଣୀ ଉପସ୍ଥାପନ କରିଥିଲେ । ଉପ-ସଭାପତି ମୁନିରାଜ ବାଇଧର ନାୟକ, କୋଷାଧ୍ୟକ୍ଷ ମୁନିରାଜ ସନ୍ତୋଷ କୁମାର ଦଳେଇ, ମୁନିରାଜ ବିଜୟ କୁମାର ସାହାଣୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ।