ମୁମ୍ବାଇରୁ ଗଜପତିର ଭିଟାମାଟିକୁ ୩ଟି ଟ୍ରକ୍ରେ ଫେରୁଛନ୍ତି ପ୍ରବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସୁଦୂର ମହାରଷ୍ଟ୍ର ରାଜ୍ୟର ନଭି ମୁମ୍ବାଇ ମହାନଗରରୁ ଗଜପତି ଜିଲ୍ଲାର ନିଜ ଭିଟାମାଟିକୁ ଟ୍ରକ୍ ଯୋଗେ ୧୫୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡିଆ ଶ୍ରମିକ ଫେରୁଥିବା ସୁଚନା ମିଳିଛି । ବର୍ତ୍ତମାନ କରୋନା ପାଇଁ ସାରା ଦେଶ,ରାଜ୍ୟ ଓ ଜିଲ୍ଲାରେ ଲକ୍ଡାଉନ୍ ପରିସ୍ଥିତି ଲାଗିରହିଥିବା ବେଳେ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡିଆମାନେ ଏକପ୍ରକାର ଧୌର୍ଯ୍ୟ ହରା ହୋଇସାରିଲେଣି । ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ଅନଲାଇନ୍ ଓ ଅଫ ଲାଇନ୍ ପଞ୍ଜିକରଣ କରିବା ସହ ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ କିଛି ସ୍ଥାନରେ ପ୍ରବାସୀ ଓଡିଆମାନେ ନିଜ ଭିଟାମାଟିକୁ ଫେରିବା ପାଇଁ ଏକ ପ୍ରକାର ଅଥୟ ଅବସ୍ଥାରେ ରହିଛନ୍ତି । ଗଜପତି ଜିଲ୍ଲାର ଗୁମ୍ମା ଓ ରାୟଗଡା ଜିଲ୍ଲାର କିଛି ଶ୍ରମୀକମାନେ ୩ଗୋଟି ଟ୍ରକ ମାଧ୍ୟମରେ ନଭି ମୁମ୍ବାଇରୁ ଗଜପତିକୁ ଫେରୁଛନ୍ତି । ସେଠାରୁ ଫେରୁଥିବା ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ବାବୁଲୁ ଲୁଆର,ଜୁରାସ ଗମା,ଲିଭିଙ୍ଗ୍ଷ୍ଟନ୍ ଭୁୟାଁ,ଇଶ୍ରାଏଲ ଭୁୟାଁ,ମିଶାଇଲ ଭୁୟାଁ ପ୍ରମୁଖ ମୋବାଇଲ ଯୋଗେ ଆମ ପ୍ରତିନିଧିଙ୍କୁ କହିଛନ୍ତି,ଲକ୍ଡାଉନ୍ ପୁର୍ବରୁ ମହାରଷ୍ଟ୍ରର ନଭି ମୁମ୍ବାଇରେ ଶ୍ରମଭିତ୍ତିକ କାର୍ଯ୍ୟ ଠିକ୍ ଭାବେ ମିଳୁଥିଲା । ଦୈନିକ ୫ରୁ ୬ଶହ ପର୍ଯ୍ୟନ୍ତ ଟଙ୍କା ପାରିଶ୍ରମିକ ପାଉଥିଲୁ । ହେଲେ ଲକ୍ଡାଉନ୍ ହେବା ଠାରୁ ସମସ୍ତ କାମ ବନ୍ଦ ହେଲା । ସଞ୍ଚିତ କିଛି ଅର୍ଥରେ ପ୍ରାୟ ଦେଢମାସ ଚଳିଲୁ । ପରେ ଅର୍ଥ ଅଭାବ ଯୋଗୁଁ ମୁମ୍ବାଇରେ ଚଳିବା ବହୁ କଷ୍ଟ ହେଲା । ତେଣୁ କୌଣସି ରାସ୍ତା ନ ପାଇ ନିଜ ଚେଷ୍ଟାରେ ୩ଗୋଟି ଟ୍ରକ୍ରେ ୧୫୦ରୁ ଉର୍ଦ୍ଧ୍ୱ ଶ୍ରମିକ ଗଜପତି ଫେରୁଛୁ । ରାୟଗଡ ଜିଲ୍ଲାର ଅଳ୍ପ କିଛି ଶ୍ରମିକ ଆମ ସହ ଫେରୁଛନ୍ତି । ଜଣକ ପିଚ୍ଛା ୪୫୦୦ଟଙ୍କା ଭଡା ଟ୍ରକ ମାଲିକକୁ ଦିଆଯାଇଛି । ୧୨ତାରିଖ ଦିନ ୨ଗୋଟି ଟ୍ରକ୍ ବାହାରି ଥିବା ବେଳେ ଅନ୍ୟ ଏକ ଟ୍ରକ୍ ୧୩ତାରିଖ ଦିନ ବାହାରିବ ବୋଲି ଏମାନେ ସୁଚନା ଦେଇଛନ୍ତି । ଏହି ୩ଗୋଟି ଟ୍ରକରେ ମୋଟ ୧୫୦ରୁ ୧୬୦ ଶ୍ରମିକ ଫେରିବା ସ୍ଥିର ହୋଇଛି ବୋଲି ପ୍ରକାଶ କରି ଏମାନେ କହିଛନ୍ତି,୧୫ ଓ ୧୬ତାରିଖ ସୁଦ୍ଧା ଆମ୍ଭେମାନେ ଗଜପତି ଜିଲ୍ଲାକୁ ଫେରିବୁ ।