ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୧୭ତମ ସଂସ୍କରଣ ଆରମ୍ଭ ହେବ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମଆଇଏଫଏଫ)ର ୧୭ତମ ସଂସ୍କରଣ ମୁମ୍ବାଇର ଓ୍ବର୍ଲିସ୍ଥିତ ନେହେରୁ ସେଣ୍ଟର ଅଡିଟୋରିୟମ ଠାରେ ଆୟୋଜିତ ହେବାକୁ ଥିବା ଉଦଘାଟନୀ ସମାରୋହକୁ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଓ ବୟନ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମେ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏମଆଇଏଫଏଫରେ ସାରା ବିଶ୍ବରୁ ପ୍ରାମାଣିକ ଚଳଚ୍ଚିତ୍ର, କ୍ଷୁଦ୍ର କାଳ୍ପନିକ ଚଳଚ୍ଚିତ୍ର, ଓ ଏନିମେସନ ଚଳଚ୍ଚିତ୍ର ହାଇବ୍ରିଡ୍ ମୋଡରେ ପ୍ରଦର୍ଶିତ ହେବ । ଉଦଘାଟନୀ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ମତ୍ସ୍ୟ ପାଳନ, ପଶୁ ସମ୍ପଦ ଓ ଡାଏରୀ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ଅଧ୍ୟକ୍ଷା କରିବେ । ରେଳ, କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ ଦାନଭେ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଠାଓ୍ବଲେ, ପଞ୍ଚାୟତିରାଜ ରାଷ୍ଟ୍ର ମନ୍ତ୍ରୀ କପିଲ ମୋରେଶ୍ବର ପାଟିଲ, ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାଗବତ ରାଓ କରାଡ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶାଜି ଏନ କରୁନ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏମଆଇଏଫଏଫ ୧୭ତମ ସଂସ୍କରଣ ଅନେକ ଦୃଷ୍ଟିରୁ ବିଶେଷ । ପ୍ରତିଯୋଗିତା ବର୍ଗରେ ୧୧୯ଟି ଜାତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସ୍କ୍ରିନିଂ ହେବାକୁ ଥିବା ବେଳେ ୨୬୪ଟି ଚଳଚ୍ଚିତ୍ର ଅଣପ୍ରତିଯୋଗିତା ବର୍ଗରେ ସ୍କ୍ରିନିଂ ହେବ । ଏମଆଇଏଫଏଫରେ ସ୍ବତନ୍ତ୍ର ପ୍ୟାକେଜ୍ ରହିବ । ବିଟୁବି, ମାଷ୍ଟର କ୍ଲାସେସ ଓ ବିଭିନ୍ନ କର୍ମଶାଳା ମଧ୍ୟ ଆୟୋଜନ କରାଯିବ । ବାଂଲାଦେଶ ସ୍ବାଧୀନତା ସଂଗ୍ରାମର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତ ବର୍ଷ ଏହି ଦେଶକୁ “ଫୋକସ୍ କଣ୍ଟ୍ରୀ” ଭାବେ ଚୟନ କରାଯାଇଛି । ବାଂଲାଦେଶର ୧୧ଟି ଚଳଚ୍ଚିତ୍ରକୁ ଚଳିତ ବର୍ଷ ପ୍ରଦର୍ଶିତ କରାଯିବ । ଏମଆଇଏଫଏଫ ୨୦୨୨ରେ ଲୋକପ୍ରିୟ ଚଳଚ୍ଚିତ୍ର ହାସିନା – ଏ ଡଟର୍ସ ଟେଲ୍ ପ୍ରଦର୍ଶିତ ହେବ । ପ୍ରଥମ ଥର ପାଇଁ ମଆଇଏଫଏଫ ଅନଲାଇନ ପ୍ରଦର୍ଶିତ ହେବ । ହାଇବ୍ରିଡ୍ ମୋଡରେ ପ୍ରତିଯୋଗିତାରେ ଚଳଚ୍ଚିତ୍ରଗୁଡ଼ିକ ଅଂଶଗ୍ରହଣ କରିପାରିବେ ଏବଂ ପ୍ରିଜମ ସେକ୍ସନକୁ ଲୋକେସନ ବାହାରେ ଥିବା ସାରା ବିଶ୍ବର ପ୍ରତିନିଧିମାନେ ସେମାନଙ୍କର ବ୍ୟକ୍ତିଗତ କମ୍ପ୍ୟୁଟରରେ ଦେଖିପାରିବେ । ଓସ୍କାର ଫିଲ୍ମ ପ୍ୟାକେଜ, ଇଟାଲୀ ଓ ଜାପାନରୁ ସ୍ବତନ୍ତ୍ର କ୍ୟୁରେଟ୍ ପ୍ୟାକେଜ, ଭାରତୀୟ ପାନୋରାମା ଆଦି ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ । ଉତ୍ତର ପୂର୍ବାଞ୍ଚଳର ଚଳଚ୍ଚିତ୍ର, ଛାତ୍ରଛାତ୍ରୀଙ୍କ ଚଳଚ୍ଚିତ୍ର ପ୍ୟକେଜ, ପଟେକ ଫିଲ୍ମ ପ୍ଲାଟଫର୍ମରୁ କ୍ଷୁଦ୍ର କାଳ୍ପନିକ ଚଳଚ୍ଚିତ୍ର, ବିଶେଷ କରି ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର ସୁକୁମାର ରାୟର ପୁନରୁଦ୍ଧାର ସଂସ୍କରଣ ପ୍ରଦର୍ଶିତ ହେବ । ଶିଳ୍ପ ବିଶେଷଜ୍ଞ ଓ ରିସୋର୍ସ ପର୍ସଙ୍କ ଦ୍ବାରା ମାଷ୍ଟର କ୍ଲାସ ଓ କର୍ମଶାଳା ଆୟୋଜନ କରାଯିବ । ଏସିଆର ବିଶିଷ୍ଟ ଚଳଚ୍ଚିତ୍ର ସାଉଣ୍ଡ ଟେକ୍ନିସିଆନ ପଦ୍ମଶ୍ରୀ ପୁରସ୍କାର ବିଜେତା ଡକ୍ଟର ରସୁଲ ପୁକୁଟ୍ଟୀ ଚଳଚ୍ଚିତ୍ରରେ ସାଉଣ୍ଡ ବା ଶବ୍ଦ ଗ୍ରହଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ । ମିଡିଆ ପେସାଦାର ରିଜଓ୍ବାନ ଅହମ୍ମଦ ବଡ଼ ପରଦା ଠାରୁ ଆରମ୍ଭ କରି ଓଟିଟି ପ୍ଲାଟଫର୍ମ ପର୍ଯ୍ୟନ୍ତ ଚଳଚ୍ଚିତ୍ରର କ୍ରମ ବିକାଶ-କୋଭିଡ ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ର ଦୁନିଆ ଉପରେ ମାର୍ଗଦର୍ଶନ କରିବେ । ଓସ୍କାର ଓ ବାଫଟାର ବିଚାରକ କାର୍ଟର ପିଲଚର ଆମେରିକାରୁ ଏଥିରେ ଯୋଗ ଦେଇ ଓସ୍କାର ପୁରସ୍କାର ପାଇଁ ଚଳଚ୍ଚିତ୍ରର ଯୋଗ୍ୟତା ଅର୍ଜନ କରିବା ଉପରେ ମାଷ୍ଟର କ୍ଲାସରେ ଯୋଗ ଦେବେ । କାହାଣୀ କହିବାର ପରିବର୍ତ୍ତନଶୀଳ ମାଧ୍ୟମ ଭାବେ ବିଏଫଏକ୍ସ ଉପରେ ଆୟୋଜିତ କର୍ମଶାଳାରେ ପିସି ସନଥ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦର୍ଶନ କରିବେ । ଆମାଜନ ପ୍ରାଇମ, ମୁବି, ପକେଟ ଫିଲ୍ମର୍ସ, ମାଇ ସିନେମା ହଲ, ପ୍ଲାନେଟ୍ ମରାଠୀ, ଡକ୍ୟୁବେ ଓ ସର୍ଟସ୍ ଟିଭି ଭଳି ପ୍ରମୁଖ ଓଟିଟି ସଂସ୍ଥା ପ୍ରମାଣିକ ଚଳଚ୍ଚିତ୍ର, କ୍ଷୁଦ୍ର କାଳ୍ପନିକ ଚଳଚ୍ଚିତ୍ର ଏବଂ ଏନିମେସନ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ବିଟୁବି ସୁଯୋଗ ଦେବେ । ଏମଆଇଏଫଏଫରେ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ସ୍ବର୍ଣ୍ଣ ଶଙ୍ଖ ସହିତ ୧୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଦିଆଯିବ ଯାହାକି ଏସୀୟ କ୍ଷେତ୍ରରେ ସର୍ବାଧିକ । ଅନ୍ୟ ପୁରସ୍କାର ବିଜେତାମାନଙ୍କୁ ରୁପା ଶଙ୍ଖ ସହିତ ୧ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ । ଶ୍ରେଷ୍ଠ ବିଦ୍ୟାର୍ଥୀ ଚଳଚ୍ଚିତ୍ରକୁ ୧ ଲକ୍ଷ ଟଙ୍କା ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ । ଶ୍ରେଷ୍ଠ ଅଭିନବ ଚଳଚ୍ଚିତ୍ର ପାଇଁ ପ୍ରମୋଦ ପତି ପୁରସ୍କାର, ଶ୍ରେଷ୍ଠ ପଦାର୍ପଣକାରୀ ନିର୍ଦ୍ଦେଶକଙ୍କୁ ଦାଦାସାହେବ ଫାଲକେ ଚିତ୍ରନଗରୀ ସମ୍ମାନ ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ