ମୁର୍ଶିଦାବାଦ ଫାଇଲ୍

ରାଜାର ଧର୍ମ ରାଜ୍ୟରେ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ ବଜାୟ ରଖିବା, ଶାନ୍ତି ସୁରକ୍ଷା ଉପରେ ଗୁରୁତ୍ବ ଦେବା, ରାଜ୍ୟରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ହାତକୁ ନେବା ଓ ରାଜ୍ୟବାସୀଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କାର୍ଯ୍ୟ କରିବା । ଅବଶ୍ୟ ପରିବର୍ତ୍ତନର ସମୟ ସୁଅରେ ରାଜାରାଜୁଡ଼ା ଶାସନର ଅବସାନ ଘଟିଛି ଅନେକ ଆଗରୁ । ବଦଳରେ ଆସିଛି ଗଣତନ୍ତ୍ରର ଶାସନ । ଲୋକଙ୍କ ଦ୍ବାରା ନିର୍ବାଚିତ ସରକାର ଶାସନ ଗାଦିରେ ବସି ଦେଶ ଓ ରାଜ୍ୟ ଚଳାଉଛନ୍ତି ଯାହା ବିଶ୍ବରେ ଏକ ଉତ୍ତମ ଶାସନ ବ୍ୟବସ୍ଥା ରୂପେ ଗ୍ରହଣୀୟ ହେଇଛି । କିନ୍ତୁ କ୍ଷମତା ପଦବୀ ଦଖଲର ଭୋକ ମେଣ୍ଟେଇବାକୁ ଯାଇ ନୀତି ନୈତିକତାକୁ ଜଳାଞ୍ଜଳି ଦେଇଦେଲେ, ଅରାଜକତା ଓ ବର୍ବରତାର ବିଷମଞ୍ଜି ବୁଣୁଥିବା ତତ୍ତ୍ଵକୁ ପ୍ରଶ୍ରୟ ଦେଲେ , ରାଜ୍ୟରେ ବିଶୃଙ୍ଖଳା ପରିଲକ୍ଷିତ ହେବା ସ୍ବଭାବିକ । ସର୍ବସାଧାରଣଙ୍କ ହିତରେ ଲାଗୁଥିବା ସମ୍ପତ୍ତି , ସାଧାରଣ ଲୋକଙ୍କ ଧନଜୀବନ ଓ ମାଆ ଭଉଣୀଙ୍କ ଇଜ୍ଜତ ମହତ ଯଦି ସୁରକ୍ଷିତ ନୁହେଁ ତାହେଲେ ରାଜଧର୍ମ ଆଉ ରହିଲା କେଉଁଠି ? ସନ୍ତୁଷ୍ଟିକରଣର ରାଜନୀତି ସମାଜକୁ ଭାଗ ଭାଗ କରେ ବୋଲି ଆମେ ବୁଝି ପାରୁନୁ ନା ଜାଣିଶୁଣି ଅନ୍ଧ ଧୃତରାଷ୍ଟ୍ରର ଅଭିନୟ କରୁଛୁ ? ଧର୍ମ ନିରପେକ୍ଷତା ନାମରେ ଧର୍ମ ଆଧାରରେ ଅରାଜକତାର ବାତାବରଣ ସୃଷ୍ଟି କରିବା କ’ଣ ଯୁକ୍ତିଯୁକ୍ତ ? ସ୍ବାଧୀନତା ପ୍ରାପ୍ତି ପରେ ଭାରତର ମୂଳ ସମ୍ବିଧାନରେ ତ ଧର୍ମ ନିରପେକ୍ଷତା ଶବ୍ଦ ନଥିଲା । ୧୯୭୬ ରେ ସମ୍ବିଧାନର ୪୨ ତମ ସଂଶୋଧନ ବଳରେ ଏହି ଶବ୍ଦଟି ଭାରତୀୟ ସମ୍ବିଧାନରେ ଯୋଡ଼ି ଦିଆଗଲା । ସେତେବେଳେ ଦେଶର ପରିସ୍ଥିତି କ’ଣ ଥିଲା, ୧୯୭୫ ରେ କାହିଁକି ଜରୁରୀ କାଳୀନ ପରିସ୍ଥିତି ଲାଗୁ ହେଇଥିଲା , ଦେଶର ତୁଙ୍ଗ ନେତାମାନଙ୍କୁ କାହିଁକି ଜେଲରେ ବନ୍ଦୀର ଜୀବନ କାଟିବାକୁ ପଡ଼ିଲା , ଏସମସ୍ତ ବିଷୟରେ ଇତିହାସ ଓ ସମୟ ସାଖି ।

୧୯୯୦ ଦଶକରେ ଧର୍ମ ଆଧାରରେ କାଶ୍ମୀରରେ ଯାହା ଘଟିଥିଲା, ତାହା କ’ଣ ଘୃଣ୍ୟ ନିନ୍ଦନୀୟ ନୁହେଁ ? ନିଜ ଦେଶରେ ନିଜର ପୈତୃକ ସଂପତ୍ତି, ଘରଦ୍ଵାର, ଭିଟାମାଟି ଛାଡ଼ି ଅସ୍ଥାୟୀ ତମ୍ବୁ ତଳେ ଶରଣାର୍ଥୀ ଭଳି ଲକ୍ଷ ଲକ୍ଷ ଲୋକ ଜୀବନ କଟେଇଲେ । ଅକାଳରେ ମୃତ୍ୟୁବରଣ କଲେ ହଜାର ହଜାର ଲୋକ । କେତେ ନୀରିହ ଝିଅ ବୋହୂମାନେ ପାଶବିକତାର ଶିକାର ହେଲେ । ଏବେବି କ’ଣ କାଶ୍ମୀର ପଣ୍ଡିତମାନେ ନିଜ ଘରକୁ ଫେରିଛନ୍ତି କି ? ମାନବିକତା ଓ ମଣିଷର ଜୀବନଠାରୁ କ’ଣ ଧର୍ମ ବଡ଼ ? ୨୦୨୫ ଅପ୍ରିଲ୍ ମାସର ଦ୍ବିତୀୟ ସପ୍ତାହରେ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଘଟିଥିବା ହିଂସାକାଣ୍ଡ ଓ ବର୍ବରତା ନବେ ଦଶକରେ କାଶ୍ମୀରରେ ଘଟିଥିବା ଛାତିଥରା ବର୍ବରତାକୁ ମନେ ପକେଇ ଦେଉଛି । ମୁର୍ଶିଦାବାଦ ବିଷୟରେ ଆମେ ଟିଭିରେ ଦେଖୁଛୁ ଓ ଖବରକାଗଜରେ ପଢ଼ୁଛୁ । ଘଟଣାକୁ ଅତ୍ୟନ୍ତ ଗୁରୁତର ସହିତ ବିଚାରକୁ ନେଇ ପଶ୍ଚିମବଙ୍ଗର ଉଚ୍ଚ ନ୍ୟାୟାଳୟ ମୁର୍ଶିଦାବାଦରେ କେନ୍ଦ୍ରୀୟ ବଳ ମୁତୟନ ପାଇଁ ନିର୍ଦ୍ଦେଶ ଦେବାପରେ ଏବେ ପରିସ୍ଥିତି କିଛିଟା ନିୟନ୍ତ୍ରଣାଧୀନ ରହିଛି । କିନ୍ତୁ ଜୀବନ ବଞ୍ଚାଇବାକୁ ଯାଇ ଘରଦ୍ୱାର ଛାଡ଼ି ପଳାୟନ କରିଥିବା ଶହ ଶହ ପରିବାର ଏବେ ବି ଭୟଭୀତ ଅବସ୍ଥାରେ ଆଶ୍ରୟ ନେଇଛନ୍ତି କିଛି ଶିକ୍ଷାନୁଷ୍ଠାନରେ । ଜଣେ ମଧ୍ୟମ ବୟସ୍କା ସ୍ତ୍ରୀଲୋକ ଟିଭି ପରଦାରେ ଅସହାୟତା ପ୍ରକାଶ କରି କାନ୍ଦି କାନ୍ଦି କହୁଛନ୍ତି, ହିଂସାକାଣ୍ଡ ଭିଆଉଥିବା ଲୋକମାନେ ଖଣ୍ଡା ଭୁଜାଲି ବନ୍ଧୁକ ଧରି ଆମ ଘର ଭିତରେ ପଶି ଆମକୁ ଜୀବନରୁ ମାରିଦେବାର ଧମକ ଦେଲେ । ଆମ ଘରର ଝିଅ ବୋହୂଙ୍କ ଚୁଟିଧରି ଘୋଷାରି ନେଇ ବାହାରେ ଛାଡି ଦେଲେ । କିଛି ଦୁର୍ବୃତ ସେମାନଙ୍କ ଇଜ୍ଜତ ଲୁଟିବାକୁ ବି ଉଦ୍ୟମ କଲେ । ଘରଦ୍ୱାର ଖାଲି ନକଲେ ଜୀବନରୁ ମାରିଦେବାର ଧମକ ଦେଲେ । ଘରର ଦାମିକା ଆସବାବପତ୍ର ଜୋରଜବରଦସ୍ତ ନେଇ ଯାଇଛନ୍ତି, କିଛି ଜିନିଷ ବାଡ଼େଇ ପିଟି ଭଙ୍ଗାରୁଜା କରିଛନ୍ତି । କେତେକ ଘର ଓ ଗାଡିଘୋଡାକୁ ପେଟ୍ରୋଲ ପକେଇ ନିଆଁ ଲଗେଇ ଦେଇଛନ୍ତି । ଘରର ପୁରୁଷ ଲୋକ ଏ ଅନ୍ୟାୟକୁ ବିରୋଧ କରିବାରୁ ସେମାନଙ୍କ ଉପରେ ହେଇଛି ଅମାନୁଷିକ ଆକ୍ରମଣ ଓ ଦିଆଯାଇଛି ଅକଥନୀୟ ନିର୍ଯାତନା । ଯାହା ସବୁ ଘଟିଛି, ଭାଷାରେ ପ୍ରକାଶ କରିବା ଅସମ୍ଭବ । ବିଦ୍ୟାଳୟରେ ପଢୁଥିବା , ଜୀବନର ଜଟିଳତାକୁ ବୁଝି ନଥିବା ସରଳ ନୀରିହ ଛୋଟ ଛୋଟ ପିଲା ସେମାନଙ୍କ ମାଆକୁ ପଚାରୁଛନ୍ତି ସେମାନେ ଆଉ କ’ଣ ପାଠ ପଢିବାକୁ ଯାଇ ପାରିବେନି ? ବାଟରେ ସେମାନଙ୍କୁ କେହି ମାରଧର କରିବେନି ତ ? ଆମ ନିଜ ଭିଟାମାଟିରେ ଆମକୁ ଏମିତି ଜିଇଁବାକୁ ହେବ, କେବେ ସ୍ବପ୍ନରେ ବି ଭାବି ନଥିଲୁ । ଏ ସମସ୍ୟାର ସମାଧାନ କରିବା ବଦଳରେ କିଛି ନିର୍ବାଚିତ ଜନପ୍ରତିନିଧି ନିଆଁରେ ଘିଅ ଢାଳି ଗଣ୍ଡଗୋଳକାରୀଙ୍କୁ ଆହୁରି ବଳ ଦେଇଛନ୍ତି ଯାହାଦ୍ବାରା ହିଂସାକାଣ୍ଡ ଜଙ୍ଗଲ ନିଆଁ ଠାରୁ ଅଧିକ ପ୍ରଖର ଓ କ୍ଷୀପ୍ର ଗତିରେ ବ୍ୟାପିଛି । ଖୁଲମଖୁଲା ମାଇକ୍ ଆଗରେ ବଡ଼ ପାଟିରେ ଆହୁରି କ୍ଷତି କରିବାର ଧମକ ଦେଉଛନ୍ତି କିଛି ଅବିବେକୀ । ଆଖି ତାଡି ଦେବା, ହାତ ଗୋଡ ଶରୀରରୁ ଅଲଗା କରି ଦେବାର ଧମକ । ଏମିତି ଅନେକ ଛାତିଥରା ହିଂସାକାଣ୍ଡର ଚିତ୍ର ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଯାହା ଦେଖିଲା ପରେ ଆଖିର ଲୁହ ବୋଲ ମାନୁନି । ଧର୍ମ ଭିତ୍ତିରେ ନିଜର ଦେଶ, ନିଜର ରାଜ୍ୟ ଓ ଜିଲ୍ଲାରେ ସଂଖ୍ୟା ଗରିଷ୍ଠ ସଂପ୍ରଦାୟର ଲୋକ ଏମିତି ଭୟଙ୍କର ଦୁର୍ଦ୍ଦଶାର ଶିକାର ହେବା ନିଶ୍ଚିତ ଚିନ୍ତାଜନକ ଓ ହୃଦୟ ବିଦାରକ । ନୃଶଂସ ଆକ୍ରମଣର ଶିକାର ହେଉଥିବା, ବାରମ୍ବାର ଲହୁ ଲୁହାଣ ହେଉଥିବା ମଣିଷ କ’ଣ ସବୁଦିନ ଚୁପ୍ ରହି ପାରିବ ? ସାବରମତୀ ରିପୋର୍ଟ, କେରଳ ଷ୍ଟୋରି, କାଶ୍ମୀର ଫାଇଲ୍ସ ଭଳି ଚଳଚ୍ଚିତ୍ରକୁ ପ୍ରୋପାଗଣ୍ଡା କହୁଥିବା ଲୋକମାନେ ଏବେ ନିଜ ଆଖିରେ ପଶ୍ଚିମବଙ୍ଗରେ ଦେଖୁଛନ୍ତି ଆଉ ଏକ ମଧ୍ୟଯୁଗୀୟ ବର୍ବରତାର ଜୀବନ୍ତ ଚଳଚ୍ଚିତ୍ର ଯାହାକୁ ମୁର୍ଶିଦାବାଦ ଫାଇଲ୍ କୁହାଯାଇ ପାରେ । ଭାରତର ସଂସଦ ଭିତରେ ପାଲେଷ୍ଟାଇନ ଜିନ୍ଦାବାଦ ନାରା ଦେଉଥିବା, ପାଲେଷ୍ଟାଇନ ଲେଖାଥିବା ବ୍ୟାଗ୍ ନେଇ ସଂସଦ ଭିତରକୁ ଯାଉଥିବା ନେତାମାନେ ମୁର୍ଶିଦାବାଦ ଘଟଣାରେ ପୁରା ଚୁପ୍ । ସିଏଏ, ଧାରା ୩୭୦ ଉଛେଦ, ତିନି ତଲାକ ଆଦି ସ୍ବାଗତଯୋଗ୍ୟ ବିଲ୍ କୁ ବିରୋଧ କରି ହିଂସାକାଣ୍ଡ ଓ ଗଣ୍ଡଗୋଳ । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଘଟଣାରେ ଅବାଞ୍ଛିତ ଅବାନ୍ତର ପ୍ରଶ୍ନ । ଶ୍ରୀରାମ କେଉଁଠି କେବେ କେଉଁ କୋଠରୀରେ ଜନ୍ମଗ୍ରହଣ କରିଥିଲେ । ରାମ କେଉଁ କଲେଜରେ ପାଠ ପଢିଥିଲେ । ଶ୍ରୀରାମ ଓ ରାମସେତୁ କାଳ୍ପନିକ । କିଛି ପ୍ରମାଣ ନାହିଁ ରାମଙ୍କ ଉପରେ । ଶ୍ରୀରାମଙ୍କ ମନ୍ଦିର ନିର୍ମାଣକୁ ନେଇ ଯେଉଁ ବାବୁମାନେ କୋର୍ଟ ଭିତରେ ଓ ବାହାରେ ବିଭ୍ରାନ୍ତିକର ବୟାନ ବାଜି କରୁଥିଲେ, ଏବେ ସେହିମାନେ କହୁଛନ୍ତି ୱକଫ ବୋର୍ଡର ସମ୍ପତ୍ତି ଦୁଇଶହ ତିନିଶହ ବର୍ଷର । ଏ ସମ୍ପତ୍ତି ଉପରେ କାଗଜପତ୍ର କେଉଁଠି ମିଳିବ । ହଜାର ହଜାର ବର୍ଷ ଧରି କୋଟିକୋଟି ଲୋକଙ୍କର ଆସ୍ଥା ବିଶ୍ବାସର ପ୍ରତୀକ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉପରେ ପ୍ରମାଣପତ୍ର ମାଗିବ କିନ୍ତୁ ଦୁଇଶହ ତିନିଶହ ବର୍ଷ ତଳର କାଗଜପତ୍ର ଦେଖେଇ ପାରିବନି । କି ବିଚିତ୍ର ମାନସିକତା ଆମର !!! ବୋଧହୁଏ ଏମିତି ଦୂର୍ଭାଗ୍ୟଜନକ ଘଟଣା କେବଳ ଭାରତରେ ଘଟେ ।

ୱକଫ ସଂଶୋଧନ ବିଲ୍ ଆଗରୁ କେତେଥର ସଂସଦରେ ଆସିଛି । କିନ୍ତୁ ଏଥର ସେହି ବିଲ୍ ରେ କିଛିଟା ପରିବର୍ତ୍ତନ ହେବାପରେ ଏମିତି ଅବସ୍ଥା ଘଟିଲା ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ଦ୍ବାରା । ମଧ୍ୟଯୁଗୀୟ ବର୍ବରତାର ସବୁ ସୀମା ଟପିଗଲେ କିଛି ଲୋକ । ମାନବୀୟ ଗୁଣ ଓ ମାନବବାଦକୁ ପାଦରେ ଦଳି ମକଚି ଦେଲେ ଧର୍ମର ଅଫିମ ନିଶାରେ ନିଶାସକ୍ତ ହୋଇ । ଭାଇଚାରାର ମନୋଭାବ ନେଇ ଜିଉଁଥିବା ନିଜର ପଡୋଶୀ ମାନଙ୍କୁ କଲେ ମରଣାନ୍ତକ ଆକ୍ରମଣ । ଶାନ୍ତିର ବାତାବରଣକୁ ହଠାତ୍ ଅଶାନ୍ତ କରିଦେଲେ । ମାଆ ଭଉଣୀଙ୍କ ଇଜ୍ଜତ ସହିତ ଖେଳିବାକୁ ବି ପଛେଇଲେନି । ଆଖି ଆଗରେ ଯାହା ପଡିଲା, ସବୁ ଧୂଳିସାତ ହେଲା । ଜଳେଇ ଦେଲେ ଘରଦ୍ୱାର ଗାଡିଘୋଡା। ଗୃହପାଳିତ ପଶୁ ବି ବାଦ୍ ପଡ଼ିଲେ ନାହିଁ ସୈତାନ୍ ମାନସିକତାରୁ । ପ୍ରକୃତରେ ଏହି ସଂଶୋଧିତ ବିଲ୍ ଦ୍ବାରା କ’ଣ ଲାଭ ହେବ ବା କାହାର କ’ଣ କ୍ଷତି ହେବ, ସେ ବାବଦରେ ଆଗଧାଡିରେ ରହି ଗଣ୍ଡଗୋଳ ଓ ହିଂସାକାଣ୍ଡ ରଚୁଥିବା ସାଧାରଣ ଲୋକମାନେ ସଂପୂର୍ଣ୍ଣ ଅଜ୍ଞ । ସେମାନଙ୍କୁ ଯେମିତି କୁହାଯାଇଛି, ସେମାନେ ନିଜର ବୁଦ୍ଧି ବିବେକ ହରେଇ ମୂର୍ଖ ଗଧ ପରି ସେମିତି କରୁଛନ୍ତି। ଗଣ୍ଡଗୋଳରେ ସାମିଲ୍ ଲୋକମାନଙ୍କୁ ଯଦି ପଚରାଯାଏ ଧର୍ମ କ’ଣ ବୋଲି, ସେମାନେ କହି ପାରିବେ ନାହିଁ। ୱକଫ ବିଲ୍ ରେ କ’ଣ ପରିବର୍ତ୍ତନ ହେଇଛି, କେବେଠାରୁ ଭାରତରେ ୱକଫ ବୋର୍ଡ କାମ କରୁଛି, ବାସ୍ତବରେ ୱକଫ ବୋର୍ଡର ଉଦେଶ୍ୟ କ’ଣ , ବିଶ୍ବରେ ଆଉ କେଉଁ କେଉଁ ଦେଶରେ ୱକଫ ବୋର୍ଡ ଅଛି, ଏସବୁ ବିଷୟରେ ସେମାନଙ୍କର ସାମାନ୍ୟତମ ଧାରଣା ବି ନଥିବ । ବାସ୍ତବରେ ଏମିତି କାହାଣୀର ପ୍ରଯୋଜକ ଓ ନିର୍ଦ୍ଦେଶକ ପରଦା ପଛରେ ରହି ଖେଳ କରୁଛନ୍ତି ଓ ରାଜନୈତିକ ମୈଦାନରେ ସେମାନଙ୍କର କେତେ ଫାଇଦା ହେବ ତା’ର ହିସାବ କରୁଛନ୍ତି । ଏଇଠି ଏକଥା କହିରଖେ ଯେ ଭୌଗଳିକ ଦୃଷ୍ଟିରୁ ଭାରତବର୍ଷର ପଶ୍ଚିମବଙ୍ଗ ରାଜ୍ୟର ମୁର୍ଶିଦାବାଦ, ନଦିଆ, ମାଲଦା ଓ ଉତ୍ତର ଚବିଶି ପ୍ରଗଣା ଜିଲ୍ଲା ସୀମାକୁ ଲାଗିଛି ବାଂଲାଦେଶ। କିଛି ବାଂଲାଦେଶୀ ଅନୁପ୍ରବେଶକାରୀ ଭାରତର ଶାନ୍ତ ପରିବେଶକୁ ଅଶାନ୍ତ କରୁଥିବାର ସନ୍ଦେହ ହେଉଛି ଓ ଏଥିରେ କିଛି କୁଚକ୍ରାନ୍ତକାରୀ ଜୟଚନ୍ଦ୍ର ମାନଙ୍କର ହାତ ନିଶ୍ଚିତ ରହିଛି । ସମଗ୍ର ଭାରତବର୍ଷରେ ଯେଉଁଠି ଯେଉଁଠି ଧର୍ମକୁ ଆଧାରକରି ଗଣ୍ଡଗୋଳ ହିଂସାକାଣ୍ଡ ଘଟୁଛି, ସବୁର ତରିକା ପ୍ରାୟତଃ ଏକା ପ୍ରକାର । ପଥରବାଜି କର, ପୁଲିସକୁ ଆକ୍ରମଣ କର, ଅନ୍ୟ ଧର୍ମରେ ବିଶ୍ବାସ କରୁଥିବା ଲୋକମାନଙ୍କର ଘରଦ୍ୱାର ଜାଳି ଦିଅ, ଝିଅ ବୋହୂଙ୍କ ଇଜ୍ଜତ ନିଲାମ କର, ସର୍ବସାଧାରଣ ସମ୍ପତ୍ତି ଭଙ୍ଗାରୁଜା କର, ଆତଙ୍କର ବାତାବରଣ ସୃଷ୍ଟି କର ଓ ନିଜକୁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିବା ପାଇଁ ଯେକୌଣସି ସ୍ତରକୁ ଯାଇ ଯାହା ପାରୁଛ କର । ଏମିତି କୁତ୍ସିତ କାହାଣୀର ଲେଖକ,ପ୍ରଯୋଜକ ଓ ନିର୍ଦ୍ଦେଶକ ମାନଙ୍କର ଅସଲ ଉଦ୍ଦେଶ୍ୟ ବିଷୟରେ ସାଧାରଣ ଜନତା କିଛି ନବୁଝି ନିଜ ଗୋଡରେ ନିଜେ କୁରାଢି ମାରୁଛନ୍ତି । ରକ୍ତାକ୍ତ କ୍ଷତାକ୍ତ କରୁଛନ୍ତି ମାନବବାଦକୁ। ସାଧାରଣ ଲୋକ ଏତିକି ନିହାତି ବୁଝିବା ଦରକାର ଯେ ରାଜନୈତିକ ଫାଇଦା ପାଇଁ ଯେଉଁମାନେ ସାଧାରଣ ଲୋକଙ୍କୁ ଉତ୍ତେଜିତ କରି ଗଣ୍ଡଗୋଳ ଓ ଭୟାବହ ହିଂସାକାଣ୍ଡ ରଚୁଛନ୍ତି, ସେମାନେ ଶାଗୁଣା ଠାରୁ ବି ଆହୁରି ହୀନ ।

ତିନି ଦଶନ୍ଧି ତଳେ କାଶ୍ମୀରରେ ଯାହା ଘଟିଥିଲା, ଏବେ ସେହି ପୁରୁଣା ଇତିହାସ କଡ଼ ଲେଉଟାଇଲା ଭଳି ମନେ ହେଉଛି । ପଶ୍ଚିମବଙ୍ଗ ରାଜ୍ୟର ମୁର୍ଶିଦାବାଦ ଫାଇଲ୍ ରୁ ଭାରତୀୟ ସଭ୍ୟତା ଓ ସଂସ୍କୃତିରେ ବିଶ୍ବାସି ମଣିଷମାନେ ଯଦି କିଛି ନଶିଖିବେ , ତାହେଲେ ହୁଏତ ଏ ଶ୍ରେଷ୍ଠ ଜୀବନ୍ତ ସଭ୍ୟତା ଏକ ଭୟଙ୍କର ଅନ୍ଧାର ଇଲାକା ଭିତରକୁ ଘୋଷାରି ହେଇଯିବ । ମୁର୍ଶିଦାବାଦ ଫାଇଲ୍ ଭଳି ଜଘନ୍ୟ ଘଟଣାବଳୀ ଆସନ୍ତାକାଲି ଯେ ଆପଣଙ୍କ ସହରରେ ନଘଟିବ, ସେକଥା କିଏ କହିବ ।

ଭାସ୍କର ବାରିକ୍
ବାସୁଦେବପୁର, ଭଦ୍ରକ
ଦୂରଭାଷ ୯୪୩୭୩୨୦୩୫୦

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ