ମୁହଁ ଟାଣ ଦେଖାଇଲା ଚୀନ
ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ଯବାନଙ୍କ ସଂଘର୍ଷ ପରେ ଚୀନ ମୁହଁଟାଣ ଦେଖାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ ବୈଦେଶିକ ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ ଗାଲୱାନ ଭ୍ୟାଲିକୁ ଚୀନର ବୋଲି ଦାବି କରିବା ସହ ଭାରତୀୟ ଯବାନ ବଦମାସୀ କରିଛନ୍ତି ବୋଲି କହିଛନ୍ତି ।
ସେ କହିଛନ୍ତି ଯେ, ଗାଲୱାନ ଭ୍ୟାଲି ଚୀନର । ଭାରତୀୟ ଯବାନ ବଦମାସୀ କରିଛନ୍ତି । ଭାରତୀୟ ଯବାନ ଅଯଥାରେ ଚୀନ ସୀମାକୁ ପଶି ପ୍ରୋଟୋକଲ ଭାଙ୍ଗିଛନ୍ତି । ଯାହା ସବୁ ଘଟିଛି ତାହା ଚୀନ ସୀମା ଭିତରେ ଘଟିଛି । ଯାହା ବି ଘଟିଛି ସେଥିପାଇଁ ଚୀନକୁ ଅଯଥାରେ ନିନ୍ଦିତ କରାନଯାଉ । ଭାରତ ନିଜ ଯବାନଙ୍କୁ ଶୃଙ୍ଖଳାରେ ରହିବାକୁ କହୁ । ଭାରତ ଶୃଙ୍ଖଳାରେ ରହି ଆଲୋଚନା ଜରିଆରେ ଘଟଣାର ସମାଧାନ କରୁ । ଆମେ ଅଧିକ ସଂଘର୍ଷ ଚାହୁଁନୁ ବୋଲି ଚୀନ ବୈଦେଶିକ ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ।
ପ୍ରକାଶ ଯେ, ଦୀର୍ଘ ୪୫ ବର୍ଷ ପରେ ପରେ ଭାରତକୁ ଧୋକା ଦେଇଛି ଚୀନ । ଲଦାଖର ଗଲୱାନ ଘାଟିରେ ସୋମବାର ରାତିରେ ସୀମା ବିବାଦ ତୁଟାଇବାକୁ ଯାଇଥିବା ଭାରତୀୟ ସୈନିକଙ୍କ ଉପରେ ଚୀନ ସୈନିକ ମାନେ ଆକ୍ରମଣ କରିଛନ୍ତି । ସେମାନେ କୌଣସି ଗୁଳିମାଡ଼ କରିନଥିଲେ ମଧ୍ୟ ପୂର୍ବ ପ୍ରସ୍ତୁତି ଅନୁସାରେ ଭାରତୀୟ ସୈନିକଙ୍କ ଉପରେ ପଥର, ଲାଠି, ଲୁହାରଡ଼ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏଥିରେ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଅନ୍ୟ ପକ୍ଷରେ ଭାରତୀୟ ସୈନିକଙ୍କ ପ୍ରତି ଆକ୍ରମଣରେ ଚୀନର ୪୩ ଜଣ ସୈନିକ ମୃତାହତ ହୋଇଥିବା କୁହାଯାଉଛି ।