ମୂଲ୍ୟବାନ ଚୋରା କାଠ ସହ ଟ୍ରାକ୍ଟର ଜବତ
ପୋଲସରା, (ଅନିଲ ମହାରଣା): ପୋଲସରା ଦକ୍ଷିଣ ଘୁମୁସର ବନଖଣ୍ଡ ମୋବାଇଲ ଟିମ ପୋଲସରା ବନାଞ୍ଚଳ ଅନ୍ତର୍ଗତ ମନ୍ଦାର ଗ୍ରାମ ନିକଟରେ ୩୦ ଘନଫୁଟ ଶଗୁଆନ ଓ ଗମ୍ଭାରୀ କାଠ ସହ ଟ୍ରାକ୍ଟର ଜବତ କରିଥିବା ଜଣାପଡ଼ିଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଶଙ୍କର୍ଷଣ ବେହେରା ଓ ଏସିଏଫ ପ୍ରଭାକର ନାୟକଙ୍କ ନେତୃତ୍ୱରେ ମୋବାଇଲ ଟିମ ପେଟ୍ରୋଲିଂ କରୁଥିବା ସମୟରେ ପୋଲସରା ବନାଞ୍ଚଳ ଅନ୍ତର୍ଗତ ମନ୍ଦାର ଗ୍ରାମ ନିକଟରେ ପ୍ରାୟ ୩୦ ଘନଫୁଟ ଶଗୁଆନ ଓ ଗମ୍ଭାରୀ କାଠ ବୋଝେଇ ଏକ ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଗାଡି ଛାଡି ଦୌଡ଼ି ପଳାଇଯାଇଛି। କାଠ ବୋଝେଇ ଟ୍ରାକ୍ଟରଟି ବୁଗୁଡା ବନାଞ୍ଚଳର ବାଲିପଦର ଦିଗରୁ ପୋଲସରା ବନାଞ୍ଚଳର ହାତୀଓଟ-ପୋଲସରା ଦିଗକୁ ଯାଉଥିବା ବେଳେ ମୋବାଇଲ ଟିମ ଜବତ କରିଛି। ଏହି ଦୁଇ ତିନି ମାସ ମଧ୍ୟରେ ଡ଼ି.ଏଫ.ଓ. ଶ୍ରୀ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ ଟିମର ଇନଚାର୍ଜ ସୂର୍ଯ୍ୟମଣି ସେଠି, ଅଶ୍ୱିନ କୁମାର ଦାସ ଓ କୃଷ୍ଣ ଚନ୍ଦ୍ର ନାୟକ ଏବଂ ମୋବାଇଲ ଟିମ କର୍ମଚାରୀଙ୍କ ସକ୍ରିୟ ପଦକ୍ଷେପ ଯୋଗୁଁ ୩୦ରୁ ଉର୍ଦ୍ଧ୍ବ ଚୋରା ଚାଲାଣ ହେଉଥିବା କାଠ ଜବତ କରି ବନ ବିଭାଗକୁ ସୁରକ୍ଷିତ କରିବାରେ ସହାୟକ ହୋଇଥିବା ଜଣାପଡିଛି।