ମୃତ୍ୟୁଦଣ୍ଡ ପାଇପାରନ୍ତି ସାଉଦି ଆରବ ଶପିଂ ମଲ୍‌ରେ ଛେପ ପକାଇଥିବା ବ୍ୟକ୍ତି

ରିୟାଦ୍‌: ସାଉଦି ଆରବର ଏକ ଶପିଂ ମଲ୍‌ର ଟ୍ରଲି ଉପରେ ଛେପ ପକାଇ ଗିରଫ ହୋଇଥିବା ଜଣେ ଅଜ୍ଞାତ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ ପାଇପାରନ୍ତି। ବିଚାର ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଏ କଥା ପ୍ରକାଶ କରିଛି ଗଲଫ୍ ନିଉଜ୍। ଉତ୍ତର-ପଶ୍ଚିମ ସାଉଦି ଆରବର ହୈଲ୍ ଅଞ୍ଚଳରେ ଥିବା ଏକ ଶପିଂ ମଲ୍‌ର ଟ୍ରଲିରେ ଛେପ ପକାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ସମ୍ପ୍ରତି ସାଉଦି ରାଜତନ୍ତ୍ର କୋରୋନା ଭାଇରସ୍ ସହ ସଂଗ୍ରାମ ଚଳାଉଥିବା ବେଳେ ଏହି ଘଟଣା ଘଟିଛି। ଗିରଫ ହେବାର କିଛି ସମୟ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦୂରରୁ ଥାଇ କିଛି ପଚରା ଉଚୁରା କରାଯାଇଛି। କିନ୍ତୁ ସେ ଛେପ ପକାଇବାର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନାହିଁ। ବିଚାର ବିଭାଗୀୟ ସୂତ୍ରକୁ ଉଦ୍ଧାର କରି ଉପରୋକ୍ତ ଗଣମାଧ୍ୟମ ଲେଖିଛି ଯେ ତାଙ୍କ ଅପକର୍ମ ଧର୍ତ୍ତବ୍ୟ ଅପରାଧଭୁକ୍ତ। ଏତାଦୃଶ ଆଚରଣ ଉଭୟ ଧାର୍ମିକ ଏବଂ ଆଇନଗତ ଦୃଷ୍ଟିରୁ ଦୋଷାବହ। ଜାଣିଶୁଣି ସମାଜରେ କରୋନା ଭାଇରସ୍ ସଂକ୍ରମଣ କରାଇ ଲୋକମାନଙ୍କୁ ଭୟଭୀତ କରାଇବା ନିମନ୍ତେ ଏହା ଏକ ଦୁର୍ନୀତି ବୋଲି ବିବେଚନା କରାଯାଉଛି। ଏହି ଅପକର୍ମ ପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ହୋଇପାରେ। ସୂଚନାଯୋଗ୍ୟ, କୋରୋନା ଭୂତାଣୁ ସଂକ୍ରମଣରେ ଏ ପର୍ଯ୍ୟନ୍ତ ସାଉଦି ଆରବରେ ୯୦୦ ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ଭାଇରସ୍ ଦମନ ପାଇଁ ସାଉଦି ଆରବ ରାଜତନ୍ତ୍ର ଅନେକ ପଦକ୍ଷେପ ଗ୍ରହଣ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ