ମୃତ୍ୟୁଦଣ୍ଡ ଶେଷ ନୁହେଁ, ଏହାକୁ ଦୋଷୀ ସବୁବେଳେ ଚ୍ୟାଲେଞ୍ଜ୍ କରିପାରିବ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଜଣେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଗଲେ ସବୁ ଶେଷ ହୋଇଗଲା ବୋଲି କେହି ଭାବିବା ଠିକ୍ ନୁହେଁ। ଯିଏ ଦୋଷୀ ସିଏ କୋର୍ଟରେ ଏହାକୁ ସବୁବେଳେ ଚ୍ୟାଲେଞ୍ଜ୍ କରିପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଶୀଘ୍ର ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ସବୁଠି ଚର୍ଚ୍ଚା ହେଉଥିଲା ବେଳେ ସର୍ବୋଚ୍ଚ କୋର୍ଟଙ୍କ ଏପରି ମତ ପୁଣି ଏକ ବିତର୍କ ସୃଷ୍ଟି କରିଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବଡେ, ଜଷ୍ଟିସ୍ ଏସ୍ଏ ନାଜିର ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉତ୍ତର ପ୍ରଦେଶରେ ଗୋଟିଏ ପରିବାରର ୭ ଜଣଙ୍କୁ ଜଣେ ମହିଳା ଓ ତାଙ୍କ ପ୍ରେମିକ ହତ୍ୟା କରିବା ମାମଲାର ରିଭ୍ୟୁ ପିଟିସନ୍ ଉପରେ ଶୁଣାଣି ବେଳେ ରାୟ ସଂରକ୍ଷିତ ରଖି ଏପରି ମତ ରଖିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ସମ୍ପୃକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ ହୋଇଥିଲା ବେଳେ ସେମାନେ ଏହା ବିରୋଧରେ ସର୍ବୋଚ୍ଚ କୋର୍ଟରେ ରିଭ୍ୟୁ ପିଟିସନ୍ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶରେ ୨୦୦୮ରେ ଜଣେ ମହିଳା ତାଙ୍କ ବାପା, ମାଆ, ୨ ଭାଇ, ୨ ଭାଉଜ, ଓ ଜଣେ ୧୦ ମାସର ଶିଶୁକୁ ପ୍ରେମିକ ସହାୟତାରେ ହତ୍ୟା କରିବା ମାମଲାରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିଲା ବେଳେ ସେମାନଙ୍କ ଦଣ୍ଡ କୋହଳ କରିବା ପାଇଁ ରିଭ୍ୟୁ ପିଟିସନ୍ ହୋଇଛି। ୨୦୧୫ରେ ସୁପ୍ରିମକୋର୍ଟ ଉଭୟଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ ବି ଏଯାବତ୍ ସେମାନଙ୍କ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରାଯାଇନାହିଁ।