ମୃତ୍ୟୁର ଦୂତ ପ୍ଲାଷ୍ଟିକ ପ୍ରଦୁଷଣ
ବିଜ୍ଞାନର ଅଗ୍ରଗତି ସହ ମଣିଷ ନିଜର ବ୍ୟବହାର ପାଇଁ ନୂଆ ନୂଆ ସାମଗ୍ରୀ ନିର୍ମାଣ ଓ ଉତ୍ପାଦନ କରୁଥିବାବେଳେ ବର୍ତମାନର ସମୟରେ ପ୍ଲାଷ୍ଟିକର ବ୍ୟବହାର ଦିନକୁ ଦିନ ବଢିଚାଲିଛି । ସାଂପ୍ରତିକ ମହଙ୍ଗା ଯୁଗରେ ପ୍ଲାଷ୍ଟିକ ନିର୍ମିିତ ବ୍ୟବହାର ଉପଯୋଗୀ ଓ ଘରକରଣା ସାମଗ୍ରୀର ମୂଲ୍ୟ ଅନ୍ୟ ବସ୍ତୁରେ ନିର୍ମିିତ ସାମଗ୍ରୀର ମୂଲ୍ୟ କମ୍ ଏବଂ ସହଜରେ ପରିବହନ ଉପଯୋଗୀ ହୋଇଥିବାରୁ ଏହାର ବ୍ୟବହାର ବଢିଚାଲିଛି, ବୋଧ ହୁଏ ଏଥିରେ କେହି ଦ୍ୱିମତ ହେବେ ନାହିଁ । ପ୍ରତିକ୍ରିୟାର ସମାନ ବିପରୀତ କ୍ରୀୟା ପରି ପ୍ଳାଷ୍ଟିକର ବ୍ୟବହାର ଯେତିକି ଯେତିକି ବଢିଚାଲିଛି, ଏହାର ପ୍ରଦୁଷଣ ଜନିତ ପ୍ରଭାବ ମଣିଷ ଓ ଜୀବଜଗତ ଉପରେ ବଢି ଚାଲିଛି । ଯାହାକି ମଣିଷ ଓ ଜୀବଜଗତ ପାଇଁ ମୃତ୍ୟୁଦୂତ ଭାବେ ଉଭା ହୋଇଛି । ପ୍ଲାଷ୍ଟିକ ବର୍ଜ୍ୟ ଏବେ କେବଳ ସ୍ଥଳ ଓ ଜଳକୁ ପ୍ରଦୁଷିତ କରିନାହିଁ, ବାୟୁମଣ୍ଡଳକୁ ମଧ୍ୟ ପ୍ରଦୁଷିତ କରୁଛି । ପ୍ଲାଷ୍ଟିକ ପ୍ରଦୁଷଣ ଏବେ ବାର୍ଷିକ ୧୦ଲକ୍ଷରୁ ଅଧିକ ଜୀବନ ନେଉଥିବା ଏକ ସର୍ଭେ ରିପୋର୍ଟରେ କୁହାଯାଇଛି । କେବଳ ଏତିକି ନୁହେଁ ମାଟି, ପାଣି ଓ ପବନ ପ୍ରଦୁଷିତ ହେବା ଯୋଗୁଁ ମଣିଷ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଶେଷରେ ମୃତ୍ୟୁମୁଖରେ ପଡୁଛି । ଆମର ଦୈନନ୍ଦିନ ଜୀବନରେ ବିଭିନ୍ନ କ୍ଷେତ୍ରରେ ପ୍ଲାଷ୍ଟିକର ଅତିମାତ୍ରାରେ ବ୍ୟବହାର ଏବଂ ତାହା ଭାଙ୍ଗି ରୁଜି ଅତି କ୍ଷୁଦ୍ରାତି ଅଂଶ ଆକାରରେ ମଣିଷର ଫୁସଫୁସ୍, ଯକୃତ, ପ୍ଲୀହା ଓ ବୃକକୁ ପ୍ରବେଶ କରି ବିଭିନ୍ନ ମାରାତ୍ମକ ରୋଗର କାରଣ ହୋଇଥିବା ଏକ ଡାକ୍ତରୀ ଅନୁଧ୍ୟାନ ରିପୋର୍ଟରୁ ଜଣାଯାଇଛି । ଉଦାହରଣ ସ୍ୱରୁପ ପ୍ଲାଷ୍ଟିକ ପାଣି ବୋତଲ ସହଜ ପରିବହନ ଯୋଗ୍ୟ ଏବଂ କମ୍ ମୂଲ୍ୟ ହୋଇଥିବା ଏବଂ ସବୁଠାରେ ଉପଲବ୍ଧ ହୋଇଥିବା ଯୋଗୁଁ ଏହାର ବ୍ୟବହାର ବଢି ଚାଲିଛି । ଏକ ରିପୋର୍ଟରୁ ଜଣାଯାଇଛି ଯେ, ବିଶ୍ୱରେ ପ୍ରତି ମିନିଟରେ ପ୍ରାୟ ୧୦ରୁ ୧୫ ୧୫ଲକ୍ଷ ପ୍ଲାଷ୍ଟିକ ପାଣି ବୋତଲ କାରବାର ହୋଇଥାଏ । ଦୀର୍ଘ ଦିନ ଧରି ପ୍ଲାଷ୍ଟିକ ବୋତଲରେ ପାଣି ରହିବା ଯୋଗୁଁ ରସାୟନିକ କ୍ରୀୟାରେ ଜଳ ବିଷାକ୍ତ ହୋଇ କର୍କଟ ପରି ମାରାତ୍ମକ ରୋଗ ସୃଷ୍ଟି କରିଥାଏ । ଏ ନେଇ ସଚେତନତା ଜାରି ସତ୍ୱେ ପ୍ଲାଷ୍ଟିକ ପାଣି ବୋତଲର ବ୍ୟବହାର ବଢିଚାଲିଛି, ସେହିପରି ପ୍ଲାଷ୍ଟିକ ବା ଜରି ବ୍ୟାଗର ବ୍ୟବହାର ଉପରେ ନିଷେଧାଦେଶ ସତ୍ୱେ ବଢିଚାଲିଛି । ଯାହାକୁ ଥରେ ମାତ୍ର ବ୍ୟବହାର କରି ଏଣେ ତେଣେ ଫିଙ୍ଗି ଦିଆଯାିଥାଏ । ସେଗୁଡିକ ମାଟିରେ ପୋତି ହୋଇଗଲେ ମଧ୍ୟ ମିଳାଏ ନାହିଁ । ଯାହା ମାଟିକୁ ପ୍ରଦୁଷିତ ବା ବିଷାକ୍ତ କରିଦେଇଛି । କେବଳ ମାଟି ନୁହେଁ, ପ୍ଲାଷ୍ଟିକ ଜରି ସହ ବିଭିନ୍ନ କ୍ଷୁଦ୍ରାଂଶ ନଦୀ ନାଳ ସ୍ରୋତରେ ସମୁଦ୍ର ଗର୍ଭକୁ ଚାଲିଯାଇଥାଏ । ଏକ ସର୍ଭେ ରିପୋର୍ଟରୁ ଜଣାଯାଇଛି ଯେ, ନଦୀ, ନାଳ ଦେଇ ସମୁଦ୍ରକୁ ଯାଉଥିବା ପ୍ଲାଷ୍ଟିକ ବର୍ଜ୍ୟ ପରିମାଣ ପ୍ରାୟ ୧୯୯ ନିୟୁତ ଟନ ହେବ । ନଦୀ, ନାଳ ସ୍ରୋତରେ ୫୦ ପ୍ରତିଶତରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସମୁଦ୍ର ଗର୍ଭକୁ ଯାଉଥିବାବେଳେ ବର୍ଷ ବର୍ଷ ଧରି ସେଗୁଡିକର ବିଘଟିତ ନହୋଇ ସେହିପରି ରହିଥାଏ । ଯାହାର ରାସାୟନିକ ପ୍ରକ୍ରୀୟା ଘଟି ଜଳଜୀବମାନଙ୍କ ପ୍ରତି ଗୁରୁତ୍ୱର ବିପଦର କାରଣ ହୋଇଛି । ସେହିପରି ଆକାଶରେ ତଥା ବାୟୁମଣ୍ଡଳରେ ବହୁ ଉପରସ୍ତରରେ ମେଘ ଖଣ୍ଡରେ ମାଇକ୍ରୋପ୍ଲାଷ୍ଟିକରେ ଉପସ୍ଥିତ ବିଭିନ୍ନ ବୈଜ୍ଞାନିକ ପରୀକ୍ଷାରୁ ଠାବ ହୋଇଛି । ଏହା ଜଳବାୟୁକୁ ପ୍ରଭାବିତ କରୁଛି । କୁହାଯାଇଛି ଯେ, ସୂର୍ଯ୍ୟକିରଣରେ ଆସୁଥିବା ଅତି ବାଇଗଣି ରଶ୍ମି ସଂସ୍ପର୍ଶରେ ଆସି ସେଗୁଡିକରୁ ଗ୍ରୀନ ହାଉସ ଗ୍ୟାସ ନିର୍ଗତ ହୋଇ ବାୟୁମଣ୍ଡଳକୁ ପ୍ରଦୁଷିତ କରୁଛି । ଯାହାର ପ୍ରଭାବରେ ବିଶ୍ୱତାପମାତ୍ରା ବୃଦ୍ଧିରେ ସହାୟକ ହେଉଛି । ଏବେ ବିଶ୍ୱ ଜଳବାୟୁ ପରିବର୍ତନ, ବିଶ୍ୱ ତାପମାତ୍ରା ବୃଦ୍ଧି ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଋତୁ ଚକ୍ରରେ ପରିବର୍ତନ, ଅତିବୃଷ୍ଟି, ଅନାବୃଷ୍ଟି, ବନ୍ୟ, ବାତ୍ୟା, ମରୁଡିର କାରଣ ଭାବେ ଉଭା ହୋଇଛି । ଉଲ୍ଳେଖଯୋଗ୍ୟ ଯେ, ପ୍ଲାଷ୍ଟିକର ବ୍ୟବହାରକୁ ନିଷିଦ୍ଧ କରାଯାଇଥିବା ସତ୍ୱେ ଏହାର ବ୍ୟବହାର ବଢିଚାଲିଛି । ଯାହାକି ଅତ୍ୟନ୍ତ ଉଦ୍ବେଗଜନକ । ତେବେ ବ୍ୟବହାର ବଢିଚାଲିଛି ଏଇଥିପାଇଁ ଯେ ଏହାର ଚାହିଦା ବୃଦ୍ଧି ଯୋଗୁଁ ଉତ୍ପାଦନମଧ୍ୟ ବୃଦ୍ଧି ପାଇଛି । ଏକ ରିପୋର୍ଟରୁ ଜଣାଯାଇଛି ଯେ, ସତୁରୀ ଦଶକ ପରଠାରୁ ବିଶ୍ୱରେ ଅନ୍ୟାନ୍ୟ ସାମଗ୍ରୀ ତୁଳନାରେ ପ୍ଲାଷ୍ଟିକ ଉତ୍ପାଦନ ବହୁ ଗୁଣ ବୃଦ୍ଧି ପାଇଛି । ସେହିପରି ବିଶ୍ୱରେ ଏବେ ବାର୍ଷିକ ୪୦କୋଟି ଟନ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଛି । ଏବେ ଯେଭଳି ପ୍ଲାଷ୍ଟିକ ସାମଗ୍ରୀର ଉତ୍ପାଦନ ବଢିଚାଲିଛି । ସେହି ଧାରା ଯଦି ଅବ୍ୟାହତ ରହେ, ତେବେ ୨୦୫୦ ମସିହା ସୁଦ୍ଧା ୧୧୦ କୋଟି ପ୍ଲାଷ୍ଟିକ ବର୍ଜ୍ୟ ବାହାରିବ । ଯାହାର ଭବିଷ୍ୟତରେ ମାନବ ସମାଜ ଓ ଜୀବଜଗତ ପାଇଁ ଗୁରୁତର ବିପଦର କାରଣ ହେବା ଆଶଙ୍କାକୁ ଏଡାଇ ଦେଇ ହେଉନାହିଁ । ଏପର୍ଯ୍ୟନ୍ତ ବିଶ୍ୱରେ ପ୍ରାୟ ୭୦୦କୋଟି ଟନରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ବାହାରି ସରିଛି । ଏହା କୁହାଯାଇପାରେ ଯେ, ପ୍ଲାଷ୍ଟିକ ବର୍ଜ୍ୟ ମାଟିକୁ ବିଷାକ୍ତ କରି ଚାଷ ପ୍ରତି ଗୁରୁତ୍ୱର ବିପଦ ସୃଷ୍ଟି କରିଥିବା ବେଳେ ଜଳକୁ ପ୍ରଦୁଷିତ କରି ବିଷାକ୍ତ କରିବାରେ ଲାଗିଛି । ମାନବ ସମାଜ ତଥା ଜୀବଜଗଜତ ପାଇଁ ମାଟି, ପାଣି, ପବନ ମୁଖ୍ୟ ଉପାଦାନ ହୋଇଥିବାବେଳେ ଯାହାବ ବିନା ଜୀବଜଗତ କ୍ଷଣେ ମାତ୍ର ତିଷ୍ଠି ପାରିବ ନାହିଁ । ପ୍ଲାଷ୍ଟିକ ବର୍ଜ୍ୟ ଯେ, ମାନବ ସମାଜ ପାଇଁ ଗୁରୁତ୍ୱର ବିପଦକୁ ଆମନ୍ତ୍ରଣ କରୁଛି, ଏହା ସ୍ୱୀକାର କରିବାକୁ ହେବ । ଏଥିରୁ ବର୍ତିବା ପାଇଁ ପ୍ଲାଷ୍ଟିକ ଉତ୍ପାଦନକୁ ନିଷିଦ୍ଧ କରିବା ସହ ଏହାର ବର୍ଜନ ପାଇଁ ସଂକଳ୍ପ ନେବା ସମୟ ଏବେ ଉପନୀତ । ଅନ୍ୟଥା ବିପଦ ମାଡି ଆସିବ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯