ମୃତ୍ୟୁ ପରେ ବେସାହାରା ହୋଇଗଲା ଭଗବାନଙ୍କ ପରିବାର ; ୧୩ ବର୍ଷର ଝିଅ ଉପରେ ପରିବାରର ବୋଝ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) : ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଭାଲିଆଖାଇ ଗ୍ରାମର ଭଗବାନ ନାଇକ ଗତ ଶୁକ୍ରବାର ଦିନ ବିଲରେ କାମ କରୁଥିବା ବେଳେ ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ବିଲରୁ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ଓ ରିପୋର୍ଟକୁ ଅପେକ୍ଷା କରିଛି। ଏଭଳି ସ୍ଥିତିରେ ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ ଭଗବାନଙ୍କ ପତ୍ନୀ ବାସନ୍ତୀ ଓ ତିନି ଛୁଆ ପିଲା ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି। ଫଳରେ ବଡ଼ ଝିଅ ରମା (୧୩) ପରିବାରର ସବୁ ବୋଝ ନିଜ କାନ୍ଧରେ ନେଇଛି । ତିନି ଭାଇ ଭଉଣୀ ପାଠ ପଢ଼ୁଥିବା ବେଳେ ୫ବର୍ଷ ହେଲା ବାସନ୍ତୀ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିବା ବେଳେ ଆଖିକୁ ବି ଭଲଭାବେ ଦେଖାଯାଉନି। ସୂଚନାଯୋଗ୍ୟ ଭଗବାନ ଶ୍ରମିକ ଭାବେ ମୂଲ ଲାଗିଲେ ଓ ବିଲରେ କାମ କଲେ ପରିବାର ଚଳୁଥିଲା। ହେଲେ ୨ମାସ ହେବ ଲକ୍ ଡାଉନ ହେବା ଫଳରେ ପରିବାରର ସ୍ଥିତି ଦୟନୀୟ ହୋଇଗଲା। ଅନ୍ୟ ମାନଙ୍କ ଘରେ କାମ କରି ଭଗବାନ କଷ୍ଟେମଷ୍ଟେ କିଛି ଟଙ୍କା ଆଣି ପରିବାର ଚଳାଉଥିଲେ। ଲକ୍ ଡାଉନ କୋହଳ ହେବା ପରେ ଗତ ଶୁକ୍ରବାର ଦିନ କୋଡ଼ି ଧରି ଭଗବାନ ବିଲକୁ କାମ କରିବାକୁ ଯାଇଥିଲେ। ହେଲେ ଆଉ ଫେରିନଥିଲେ ସନ୍ଧ୍ୟାରେ ତାଙ୍କ ମୃତ ଦେହ ବିଲରୁ ମିଳିଥିଲା। ପୋଲିସ ପହଂଚି ମୃତ ଦେହ ଜବତ କରିଥିଲା। ଭଗବାନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଗଭୀର ସାଗର ଭିତରକୁ ଚାଲିଯାଇଛି। ଭଗବାନଙ୍କ ସ୍ତ୍ରୀ ବାସନ୍ତୀ କୌଣସି କାମ କରିବାକୁ ସକ୍ଷମ ନଥିବା ବେଳେ ବର୍ତ୍ତମାନ ବଡ଼ ଝିଅ ରମା ଉପରେ ପରିବାରର ବୋଝ ପଡିଛି। ରୋଗିଣା ମାଆର ଦେଖାଶୁଣା ସହ ଛୋଟ ଛୋଟ ଭାଇ ଭଉଣୀ ଙ୍କ ଦାଇତ୍ୱ ସମ୍ଭାଳିବାକୁ ଅଣ୍ଟାଭିଡ଼ିଛି ରମା । ଫଳରେ ଏଭଳି ସ୍ଥିତିରେ ଭଗବାନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ