ମୃତ୍ୟୁ ପରେ ମିଳିଲାନି ଗାଡ଼ି: ଶବକୁ ଭାରରେ ବୋହିଲେ ୪୦ କି.ମି
ମାଲକାନଗିରି: ଅର୍ଥାଭାବ ଯୋଗୁଁ ଉନ୍ନତ ଚିକିତ୍ସା କରାଇ ପାରିଲେନି ପରିବାର । ଦିଶାରୀଙ୍କ ପାଖକୁ ନେଇଗଲେ । ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଜୀବନ । ଏହାପରେ ଶବ ନେବାକୁ ମଧ୍ୟ ମିଳିଲାନି ଗାଡ଼ି । ପାଖରେ ଟଙ୍କା ନ ଥିବାରୁ ଶବକୁ ଭାରରେ ବୋହି ୪୦କିଲୋମିଟର ଦୂର ଗାଁକୁ ନେଇଗଲେ ସଂପର୍କୀୟ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଦୁର୍ଗମ ଅଞ୍ଚଳରେ ଘଟିଥିବା ଏହି ଅଭାବନୀୟ ଘଟଣା ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ପଦାରେ ପକାଇ ଦେଇଛି । ମାଥିଲି ବ୍ଲକର ଦୁର୍ଗମ ଗାଁ ଟେମରୁପାଲୀ । କିଛି ଦିନ ତଳେ ରୋଗରେ ପଡ଼ି ବିଛଣା ଧରିଥିଲେ ଗାଁର ମୁଡ଼େ଼ କାଲମାରୀ । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବାଧ୍ୟ ହୋଇ ପରିବାର ଲୋକେ ତାଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇ ନଥିଲା । ତେଣୁ ଉନ୍ନତ ଚିକିତ୍ସା ନିମନ୍ତେ ମାଲକାନଗିରି ମେଡିକାଲକୁ ନେଇଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏଭଳି ସ୍ଥିତିରେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ ପରିବାର ଲୋକ । ସଚେତନତା ଅଭାବରୁ ଏବଂ ପାଖରେ ଚିକିତ୍ସା ପାଇଁ ଟଙ୍କା ନ ଥିବାରୁ ରୋଗୀକୁ ନେଇ ଦିଶାରୀ ପାଖକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ସଂପର୍କୀୟଙ୍କ ସହ ଆଲୋଚନା କରି ରୋଗୀଙ୍କୁ ଦୁରୁଗୁଡାଠାରେ ରହୁଥିବା ଜଣେ ଦିଶାରୀ ନିକଟକୁ ନେଇଥିଲେ । ହେଲେ ଦିଶାରୀର ଚିକିତ୍ସା ଚାଲିଥିବା ସମୟରେ ମୁଡ଼େଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ପରିବାର ଲୋକଙ୍କ ସମସ୍ୟା । ଯାହା ଟଙ୍କା ଥିଲା ମୁଡ଼େଙ୍କ ଚିକିତ୍ସା ବାବଦରେ ସବୁ ଖର୍ଚ୍ଚ କରି ସାରିଥିଲେ । ଗାଡ଼ି ଭଡ଼ା କରି ଶବ ନେବାକୁ ପାଖରେ ଟଙ୍କା ନଥିଲା । ଅନ୍ୟପଟେ ଯୋଗାଯୋଗ ସତ୍ତ୍ୱେ ମହାପ୍ରୟାଣ ଗାଡ଼ି ଆସି ନ ଥିଲା । ତେଣୁ ବାଧ୍ୟ ହୋଇ ପରିବାର ଲୋକ ଗୋଟିଏ କାଉଡ଼ି କରି ଶବ ଗାଁକୁ ବୋହି ନେଇଥିଲେ । ପ୍ରାୟ ୪୦କିଲୋମିଟରର ଜଙ୍ଗଲିଆ ରାସ୍ତାକୁ ସଂପର୍କୀୟମାନେ ପାଳି ପାଳି କରି ଶବକୁ ବୋହି ଗାଁରେ ପହଞ୍ଚିଥିଲେ । ମାଲକାନଗିରି ଜିଲ୍ଲାର ମାଥିଲି ଏବଂ ଚିତ୍ରକୋଣ୍ଡା ମେଡିକାଲକୁ ସରକାର ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ କରିଛନ୍ତି । ହେଲେ ସର୍ବନିମ୍ନ ଭିତ୍ତିଭୂମି ଏହି ଦୁଇଟି ମେଡିକାଲରେ ନାହିଁ । ଏପରିକି ମହାପ୍ରୟାଣ ଗାଡ଼ି ବି ଯୋଗାଇ ଦେବାକୁ ସରକାର ଭୁଲି ଯାଇଛନ୍ତି । ପୂରା ଜିଲ୍ଲା ପାଇଁ ଦୁଇଟି ମହାପ୍ରୟାଣ ଗାଡ଼ି ମିଳିଥିବା ବେଳେ ଉଭୟ ଗାଡ଼ି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି । ଯାହା ଫଳରେ ଗ୍ରାମାଞ୍ଚଳର ଲୋକ ଏହି ସେବାରୁ ବଞ୍ଚିତ ରହୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ତଥାପି ସରକାରଙ୍କ ଦୃଷ୍ଟି ପଡ଼ୁ ନ ଥିବାରୁ ଏମିତି ଏକ ଅଭାବନୀୟ ଘଟଣା ଘଟିଯାଇଛି ।