ମୃତ୍ୟୁ ପ୍ରମାଣ ପତ୍ରରେ ତୃଟି ଅଭିଯୋଗ କଲେ କେହି ଶୁଣୁ ନାହାନ୍ତି
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ଥାନା ବିଟିପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ମାତାଙ୍କ ମୃତ୍ୟୁ ପ୍ରମାଣ ପତ୍ରରେ ନାନାଦି ତୃଟି ପରିଲକ୍ଷିତ ହୋଇଥିବା ବେଳେ ଏନେଇ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଜଣାଯାଇଛି । ପ୍ରକାଶ ଯେ, ଆଗରପଡା ଥାନା ଅଧିନ ବିଟିପୁର ଗ୍ରାମର ସାମ୍ବାଦିକ ବିଶ୍ୱନାଥ ସିଂହଙ୍କ ମାତା ଗତ ମାର୍ଚ୍ଚ ୨୬ ତାରିଖରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ପ୍ରମାଣ ପତ୍ର ପାଇବା ନେଇ ସେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ତଥ୍ୟ ଓ ପ୍ରମାଣ ପତ୍ର ସହିତ ଆବେଦନ କରିଥିଲେ । ପରେ ସେ ଅନଲାଇନରୁ ପ୍ରମାଣ ପତ୍ର ଡାଉନ୍ଲୋଡ୍ କରିବା ପରେ ସେଥିରେ ନାନାଦି ତୃଟି ପରିଲକ୍ଷିତ ହୋଇଥିବା ଦେଖିବାକୁ ପାଇଥିଲେ । ତାଙ୍କ ମାତାଙ୍କ ନାମ ତୁଳସୀର ବନାନ୍ ଇଂରାଜୀରେ ଭୁଲ୍ ଲେଖାଯାଇଥିଲା । ସେହିପରି ମୃତ୍ୟୁ ସ୍ଥାନ, ସ୍ଥାୟୀ ଠିକଣାରେ ତୃଟି କରାଯାଇଛି । ତାଙ୍କର ମୃତ୍ୟୁ ସ୍ଥାନ ଓ ସ୍ଥାୟୀ ଠିକଣା ବିଟିପୁର, ଆଗରପଡା, ଆଗରପଡା ଥାନା, ଓଡିଶା ହୋଇଥିବା ବେଳେ ପ୍ରମାଣ ପତ୍ରରେ ତାହା ବିଟିପୁର, ଆହାରପଡା, ଭଦ୍ରକ ଗ୍ରାମାଞ୍ଚଳ, ଭଦ୍ରକ, ଓଡିଶା ବୋଲି ଲେଖାଯାଇଛି । ଉକ୍ତ ପ୍ରମାଣ ପତ୍ର ଗତ ୧୪ ତାରିଖରେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଇସ୍ୟୁ ହୋଇଥିବା ଜଣାଯାଇଛି । ଉକ୍ତ ପ୍ରମାଣ ପତ୍ରକୁ ସଂଶୋଧନ କରିବା ପାଇଁ ସେ ବହୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଶ୍ରୀ ସିଂହ କହିଛନ୍ତି । ବନ୍ତ ବ୍ଲକରେ ଏଭଳି ବହୁ ବ୍ୟକ୍ତିଙ୍କର ମୃତ୍ୟୁ ପ୍ରମାଣ ପତ୍ରରେ ତୃଟି ଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉକି, ଗତ ଜୁଲାଇ ୨୦୧୯ ଠାରୁ ଏଭଳି ଅନ୍ଲାଇନରେ ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ରରେ ତୃଟି ପରିଲକ୍ଷିତ ହେଉଥିବା ଜଣାଯାଇଛି ।


