ମୃତ୍ୟୁ ସହ ସଂଘର୍ଷ କରୁଛି ସ୍ତ୍ରୀ, ମେଡ଼ିକାଲରେ ବନ୍ଧା ପଡିଛନ୍ତି ସ୍ୱାମୀ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସହଯୋଗର ହାତ ବଢ଼ାଇଲେ ବିଭିନ୍ନ ସଂଗଠନ ଓ ସମାଜସେବୀ, କିନ୍ତୁ ପ୍ରଶାସନର ଏପର୍ଯ୍ୟନ୍ତ ଦେଖା ମିଳୁନଥିବା ବେଳେ ନିରବ ଦ୍ରଷ୍ଟା ରାଜନେତା। ଏହିପରି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳଛି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପାଙ୍ଗିଡି ପଞ୍ଚାୟତର ବେଲପୁର ଗ୍ରାମରେ। ଯକୃତ ରୋଗାଗ୍ରସ୍ତ ସ୍ତ୍ରୀ ମିଲି ନାୟକ ଓ ବ୍ରେନ ଷ୍ଟ୍ରୋକ ଚିକିତ୍ସାଧିନ ତାଙ୍କ ସ୍ୱାମୀ ଶରତ ନାୟକ ଅର୍ଥାଭାବରୁ ମେଡ଼ିକାଲରେ ବନ୍ଧା ପଡିଥିବା ବିଷୟରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ସହଯୋଗର ହାତ ବଢ଼ାଇଥିବା ବେଳେ ଗତ ଦୁଇଦିନ ତଳେ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ ପହଞ୍ଚି କିଛି ଆର୍ଥିକ ସହାୟତା ଦେବା ସହିତ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ସେହିପରି ଭାବେ ଗତକାଲି ସମାଜସେବୀ ତଥା ବିଭିନ୍ନ ସମୟରେ ଲୋକଙ୍କୁ ଅଭାବ ଥିବା ରକ୍ତ ଯୋଗାଉଥିବା ସହଯୋଗୀ ବନ୍ଧୁ ଭାବେ ପରିଚିତ ଅକ୍ଷୟ କୁମାର ରାଉତ ବେଲପୁର ଗ୍ରାମରେ ପରିବେଶବିତ୍ ବଂଶୀଧର ନାୟକ ଓ ନିଜ ଗ୍ରାମର କିଛି ଯୁବକଙ୍କ ସହିତ ପହଞ୍ଚି କିଛି ଆର୍ଥିକ ସହାୟତା ଦେବା ସହିତ ଶୀତବସ୍ତ୍ର ପ୍ରଦାନ କରିଥିଲେ। ବିଏସକେୱାଇ, ଓଡିଶା ଷ୍ଟେଟ ଟ୍ରିଟମେଣ୍ଟ ଫଣ୍ଡ, କେନ୍ଦ୍ର ସରକାରଙ୍କ ଆୟୁଷ ହେଲଥ କାର୍ଡ ଥାଇ ମଧ୍ଯ ସରକାରୀ ହସ୍ପିଟାଲ ସହିତ ବେସରକାରୀ ହସ୍ପିଟାଲରେ ଗରିବ ଲୋକ ପାଇଁ ଚିକିତ୍ସା ବ୍ୟବସ୍ଥା ଥିବା ବେଳେ ସ୍ଥାନୀୟ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଶ୍ରୀ ରାଉତ କ୍ଷୋଭ ପ୍ରକାଶ କରିଥିଲେ। ଅକ୍ଷୟ କୁମାର ରାଉତ ଦୁଇ ଦିନ ପରେ ଭୁବନେଶ୍ୱର ଯାଇ ଦାୟିତ୍ୱ ରେ ଥିବା ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କୁ ଭେଟି ଏହି ସ୍ବାମୀ ଓ ସ୍ତ୍ରୀ ଦୁଇଜଣ ଯେପରି ଚିକିତ୍ସିତ ହେବେ ଚେଷ୍ଟା କରିବେ ବୋଲି କହିଥିଲେ। ଅର୍ଥ ଅଭାବ ଯୋଗୁଁ ଭୁବନେଶ୍ୱରର ମେଡ଼ିକାଲରେ ବନ୍ଧକ ଥିବା ଲିଲିଙ୍କ ସ୍ଵାମୀ ଶରତ ନାୟକଙ୍କୁ ଉଦ୍ଧାର କରିବାକୁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାସହିତ ଲିଭର ଜନିତ ରୋଗରେ ଆକ୍ରାନ୍ତ ମିଲି ମଧ୍ଯ ପ୍ରକାଶ କରିଥିଲେ ଯେ, ଖବର ପ୍ରସାରଣ ପରେ ସମସ୍ତେ ସାହାଯ୍ୟ କରୁଛନ୍ତି କିନ୍ତୁ ସରକାର ମୋ ଦୁଃଖ ବୁଝୁନାହାନ୍ତି, ଯଦି ସରକାର ମୋ ଦୁଃଖ ବୁଝନ୍ତେ ମୋ ସ୍ୱାମୀ ଶୀଘ୍ର ଘରକୁ ଫେରି ଆସିପାରନ୍ତେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ