ମୃତ କିନ୍ନର ବଳରାମ ଙ୍କ ଭଉଣୀଙ୍କୁ ସହାୟତା କଲେ ହୃଷିକେଶ

ନିମାପଡା, (ସନ୍ତୋଷ ଦାଶ) :-ଗତ ୧ତାରିଖ ଦିନ ପୁରୀ ଶ୍ରୀମନ୍ଦିରର ଗୁମୁଟରୁ ଡେଇଁ ଆତ୍ମହତ୍ୟା କରିଥିବା କିନ୍ନର ବଳରାମଙ୍କ ଭଉଣୀ ବାହାଘର ପାଇଁ ଆଜି ବିଶ୍ୱ ଭାତୃତ୍ୱ ଦିବସରେ ସାହାଯ୍ୟର ହାତ ବଢ଼େଇ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି କମିଶନରେଟ ପୁଲିସରେ କାର୍ଯ୍ୟରତ ହାବିଲଦାର ହୃଷିକେଶ । ପୁରୀ ଜିଲ୍ଲା ନିମାପଡା ବ୍ଲକ କଳା-ପାଂଚଣ ପଞ୍ଚାୟତ ଅନ୍ତର୍ଗତ ଗଡ଼ ଇଟାପୋଖରୀ କୋଠ ସାହିର କିନ୍ନର ସ୍ବର୍ଗତ ବଳରାମ ରାଉତ ବାପ ମା ଛେଉଣ୍ଡ ପରେ ନିଜ ସାନ ଭାଇ ଭଉଣୀଙ୍କ ବୋଝ ମୁଣ୍ଡାଇବା ପାଇଁ ଘର ଛାଡ଼ି ବାହାରେ ରହୁଥିଲେ । ଭଉଣୀ ଲଷ୍ମୀର ବାହାଘର ପାଇଁ ଅର୍ଥ ଚିନ୍ତାରେ ବଳରାମ ଗତ ୧ ତାରିଖରେ ଶ୍ରୀମନ୍ଦିର ଗୁମୁଟରୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ସାରା ରାଜ୍ୟରେ ବେଶ ଚର୍ଚ୍ଚିତ ଘଟଣା ହୋଇଥିଲା । ଘରେ ଏକମାତ୍ର ରୋଜଗାରକ୍ଷମ ବଳରାମଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଓ ଭଉଣୀ ଲଷ୍ମୀ ବେସାହାରା ହୋଇଯିବା ପରେ ତାଙ୍କ ପିଉସୀ ତାଙ୍କ ଦେଖାଶୁଣା କରୁଥିଲେ ମଧ୍ୟ ଲଷ୍ମୀର ବାହାଘର ଚିନ୍ତାରେ ସେ ମଧ୍ୟ ଭାଙ୍ଗି ପଡ଼ିଥିଲେ । ପରିବାରର ନିରାଶ ମଧ୍ୟରେ ଆଜି ବିଶ୍ୱ ଭାତୃତ୍ୱ ଦିବସରେ ନୂଆ ଆଶା ସଂଚାର କରିଛନ୍ତି ନିକଟସ୍ଥ ଗାଁର କମିଶନ ରେଟ ପୁଲିସରେ ହାବିଲଦାର ଭାବେ କାର୍ଯ୍ୟରତ ହୃଷିକେଶ ନାୟକ । ସମାଜସେବାରେ ରୁଚି ରଖୁଥିବା ହୃଷୀକେଶ ଲଷ୍ମୀର ବିବାହ ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଲଷ୍ମୀର ବିବାହ ଲୁଗାପଟା , ଅନ୍ୟାନ୍ୟ ବିବାହ ସାମଗ୍ରୀ ସହ ୬ହଜାର ଟଙ୍କା ଆଜି ଭାତୃତ୍ବ ଦିବସରେ ଜଣେ ଭଉଣି ପାଇଁ ଏକ ଭାଇର କର୍ତ୍ତବ୍ୟ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି । ହୃଷୀକେଶଙ୍କ ବଦାନ୍ୟତା ପାଇଁ ଲଷ୍ମୀର ପିଉସୀ ଆଖି ଛଳଛଳ ହେଇଯାଉଥିବା ବେଳେ ହୃଷୀକେଶ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକେ ହୃଷୀକେଶଙ୍କୁ ଶତମୁଖ ପ୍ରଶଂସା କରିଛନ୍ତି । ହୃଷୀକେଶଙ୍କ ଏହି ମହତ କାର୍ଯ୍ୟ ଲଷ୍ମୀଙ୍କ ପରି ଅନେକ ଅସହାୟ ଭଉଣୀ ମାନଙ୍କୁ ସାହାଯ୍ୟ ପାଇଁ ଅନ୍ୟକୁ ପ୍ରେରଣା ଯୋଗାଇବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ