ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ବିଧାୟକ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଚାନ୍ଦପୁରା ଗ୍ରାମର ମୃତ ଚାଷୀଙ୍କ ପରିବାରକୁ ଶନିବାର ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଭେଟି ସମବେଦନା ଜଣାଇଥିଲେ । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ତହସିଲଦାରଙ୍କ ସହ କଥା ହେବା ସହିତ ମୃତକଙ୍କ ପରିବାରକୁ ଆଶ୍ୱାସନା ଦେଇଥିଲେ । ପ୍ରକାଶଯୋଗ୍ୟ ଯେ ମୃତ ଚାଷୀ ଧୃବଚରଣ ସ୍ୱାଇଁ ନିଜ ଜମି ସହିତ ୨ ଏକରରୁ ଉର୍ଦ୍ଧ୍ୱ ଜମିରେ ଭାଗ ଚାଷ କରିଥିଲେ । ଧାର କରଜ କରି ଚାଷ କରିଥିବା ବେଳେ ଭଲ ଧାନ ମଧ୍ୟ ହୋଇଥିଲା । ଗତ ଲଘୁଚାପ ଜନିତ ବର୍ଷାରେ କଟାଯାଇଥିବା ଧାନ କିଆରିରେ ପାଣି ଜମିବା ସହ ଧାନ ଗଜା ହୋଇଯାଇଥିଲା । ଯାହାକୁ ଦେଖି ଗତ ଡିସେମ୍ବର ୨୫ ରେ ସେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଡାକ୍ତରଖାନା ଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ଡିସେମ୍ବର ୨୭ ରେ ପ୍ରଶସାନ ପକ୍ଷରୁ ତହସିଲଦାର ଅକ୍ଷୟ କୁମାର ବଡୁ ମୃତ ଚାଷୀଙ୍କ ଘରକୁ ଯାଇ ମୃତ ଚାଷୀଙ୍କର ସବିଶେଷ ତଥ୍ୟ ପ୍ରସଙ୍ଗରେ ତଦନ୍ତ କରିଥିଲେ ।