ମୃତ ଛାତ୍ରୀ ମାଙ୍କ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବହୁ ଚର୍ଚ୍ଚିତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନବଦୋୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତରେ ଶୀଥିଳତାକୁ ନେଇ ମୃତ ଛାତ୍ରୀଙ୍କ ମା ସୁଜ୍ଞାନୀ ଗମାଙ୍ଗ ପୁଣି ଥରେ ପ୍ରତିବାଦ ଧାରଣା ଆରମ୍ଭ କରିଛନ୍ତି । ନିଜ ଝିଅର ଅସ୍ବାଭାବିକ ମୃତ୍ୟୁକୁ ନେଇ ନ୍ୟାୟ ଦାବିରେ ପୁଣି ଥରେ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି । ତେବେ ଏହି ଧାରଣା ପ୍ରତିବାଦ ନବଦୋୟ ବିଦ୍ୟାଳୟ ସମ୍ମୁଖ ଫାଟକରେ ତାଲା ପକାଇ ବସିଥିବାର ଜଣାପଡିଛି । ପ୍ରକାଶ ଯେ, ଗତ ୨୦ ଫେବୃଆରୀ ୨୦୨୩ ତାରିଖରେ ସୌଦାମିନୀ ରଇତଙ୍କ କୌଣସି କାରଣରୁ ମୃତ୍ୟୁ ହୋଇ ଥିଲା । ଏହା ଏକ ଆତ୍ମହତ୍ୟା ବୋଲି ସ୍କୁଲ କର୍ତ୍ତୃପକ୍ଷ କହୁଥିବା ବେଳେ ମୃତ ଛାତ୍ରୀଙ୍କ ପାରିବାର ଲୋକେ ଏହା ହତ୍ୟା ବୋଲି ଅଭିଯୋଗ କରି ଆନ୍ଦୋଳନ ଆରମ୍ଭ କରି ଥିଲେ । ଏପରିକି ନ୍ୟାୟ ଦାବି କରି ଦୀର୍ଘ ୪୦ ଦିନରୁ ଉର୍ଦ୍ଧ ସମୟ ଧରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପରେ ରାଜ୍ୟ ସରକାର ବାଧ୍ୟ ହୋଇ ଏହି ମାମଲାର ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । କ୍ରାଇମ୍ ବ୍ରାଞ୍ଚ ଟିମ୍ ଏହି ଘଟଣାର ତଦନ୍ତ ଚାଲୁ ରଖିଛନ୍ତି । ହେଲେ କ୍ରାଇମ୍ ବ୍ରାଞ୍ଚ ମଧ୍ୟ ତଦନ୍ତରେ ଶୀତିଳତା ପଡିଯାଇଥିବାର ଅଭିଯୋଗ କରି ପୁଣି ନିଜ ଝିଅକୁ ନ୍ୟାୟ ଦେବା ପାଇଁ ମୃତ ଛାତ୍ରୀଙ୍କ ମା ସୁଜ୍ଞାନୀ ଗମାଙ୍ଗ ପୁଣି ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରିଥିବାର କହିଛନ୍ତି । ଯେଉଁ ଦିନ ପର୍ଯ୍ୟନ୍ତ ନ୍ୟାୟ ନ ମିଳିବ ସେ ପର୍ଯ୍ୟନ୍ତ ଧାରଣା ଜାରି ରଖିବି ବୋଲି ଜଣାଛନ୍ତି । ଆଜି ଦିନ ତମାମ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ବସିଥିବା ବେଳେ ସନ୍ଧ୍ୟା ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଡେପୁଟି କଲେକ୍ଟର ଧାରଣା ସ୍ଥଳରେ ପହଞ୍ଚି ଏପରି ଧାରଣାରୁ ନିବୃତ ରହିବା ପାଇଁ ସୁଜ୍ଞାନୀଙ୍କୁ ଅନୁରୋଧ କରିଥିଲେ । ହେଲେ ନିଜ ଜିଦ୍ ରେ ଅଟଳ ଥିବା ସୁଜ୍ଞାନୀ ଧାରଣା ସ୍ଥଳରୁ ଉଠିନଥିବାର ଜଣାପଡିଛି । ଏହା ସହ ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଧାରଣା ସ୍ଥଳକୁ ଆସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ହିଁ ଧାରଣାରୁ ଉଠିବି ବୋଲି ରୋକ୍ ଠୋକ୍ ଭାବେ ଡେପୁଟି କଲେକ୍ଟରଙ୍କୁ ଜଣାଇଥିବାର ଜଣାପଡିଛି । ଖବର ଲେଖା ହେବା ସୁଦ୍ଧା ମୃତ ଛାତ୍ରୀଙ୍କ ମା ସୁଜ୍ଞାନୀ ନବଦୋୟ ବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରତ ଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ