ମୃତ ବ୍ୟକ୍ତିଙ୍କ ନାମରେ ଖାଉଟି ସାମଗ୍ରୀ ହଡପ ଅଭିଯୋଗକୁ ୧୫ ଦିନ ପୁରିଥିଲେ ମଧ୍ୟ ହେଉନାହିଁ ତଦନ୍ତ;ଡିଲରକୁ ଘଂଟ ଘୋଡାଉଛି ପ୍ରଶାସନ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅଲଣା ପଂଚାୟତର ସଠଳପୁର ଗ୍ରାମର କୁଇନ ରାଉତ ତାଙ୍କ ମୃତ ଶାଶୁ,ଶ୍ୱଶୁରଙ୍କ ନାମରେ ଖାଉଟି ସାମଗ୍ରୀ ଉଠୁଥିବା ୧୦ ଅକ୍ଟୋବର ୨୦୨୦ରେ ବିଡିଓ ରଶ୍ମିରେଖା ମଲିକଙ୍କୁ ଅଭିଯୋଗ କରିଥିଲେ । ବିଡିଓ ଅଭିଯୋଗ କରିବା ସହିତ ସେ ଜିଲାପାଳ ଜଗତସିଂହପୁର,୫ ଟି ସଚିବ ଓଡିଶା,ଯୋଗାଣ ମନ୍ତ୍ରୀ ଓଡିଶା ଙ୍କ ଅବଗତି ନିମନ୍ତେ ଜଣାଇଥିଲେ । କିନ୍ତୁ ଅଭିଯୋଗକୁ ୧୫ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉକ୍ତ ଡିଲର ଉଢାଉଥିବା ସାମଗ୍ରୀ ସମ୍ବନ୍ଧରେ କୈାଣସି ତଦନ୍ତ କରାଯାଉ ନାହିଁ କି କାର୍ଯ୍ୟନୁଷ୍ଠାନ ଗ୍ରହଣ ନାହିଁ । ପ୍ରକାଶ ଯୋଗ୍ୟ ଯେ କୁଇନଙ୍କ ପରିବାରର ନାମ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡିଛି । ସେ ଉକ୍ତ ଯୋଜନାରେ ସାମିଲ ହେବା ପାଇଁ ବାରମ୍ବାର ଆବେଦନ କରିବା ସତ୍ୱେ ବି ତାଙ୍କ ନାମ କୁ ତାଲିକାଭୂକ୍ତ କରାଯାଇ ନଥିଲା । ସେ ଜଣେ ଆର୍ଥୀକ ଅନଗ୍ରସର ଶ୍ରେଣିର ହୋଇଥିବା ବେଳେ ତାଙ୍କ ପରିବାରର ଆର୍ଥୀକ ଅବସ୍ଥା ସ୍ୱଚ୍ଛଳ ନୁହେଁ । ତାଙ୍କ ଶଶୁର ଭୀମସେନ ରାଉତଙ୍କ ନାମରେ କାର୍ଡ ନଂ ୧୨୦୬୦୧୧୦୯୧୧ ରେ ଏକ ଖାଉଟି କାର୍ଡ ରହିଥିଲା । ଉକ୍ତ କାର୍ଡରେ କୁଇନିଙ୍କ ପରିବାର କୁ ସଂଯୋଗ କରିବା ପାଇଁ ମଧ୍ୟ ସେ ଆବେଦନ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାହା କରାଯାଇ ନାହିଁ । ଦୀର୍ଘ ୩ ବର୍ଷ ହେବ ତାଙ୍କ ଶାଶୁ ଓ ଶ୍ୱଶୁର ଉଭୟ ମୃତ୍ୟୁ ବରଣ କରିସାରିଛନ୍ତି । କିନ୍ତୁ ଖାଦ୍ୟ ସୁରକ୍ଷା ପୋଟାର୍ଲରେ ତାଙ୍କ ମୃତ ଶାଶୁ ,ଶ୍ୱଶୁର ଙ୍କ ନାମ ଥିବା ଜଣାଯାଇଛି । ଗୋଟିଏ ପଟେ କୁଇନଙ୍କ ପରିବାର କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଉ ନଥିବା ବେଳେ ଅନ୍ୟପଟେ ମୃତ ଶାଶୁ ,ଶ୍ୱଶୁର ଙ୍କ ନାମରେ ଖାଦ୍ୟ ହଡପ ହେଉଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ମୃତ ବ୍ୟକ୍ତି ଙ୍କ ନାମରେ କିପରି ଦୀର୍ଘ ଦିନ ହେବ ସାମଗ୍ରୀ ଉଠୁଛି ସେ ବିଷୟରେ ତଦନ୍ତ କରାଯାଇ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଇନି ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ଏହି ପଂଚାୟତରେ ଖାଉଟି ସାମଗ୍ରୀ ବଂଟନ ଦାୟିତ୍ୱରେ ୨୦୧୮ ଜୁନ ରୁ ବେଲବଣ ସ୍ୱୟଂ ସହାୟୀକା ଦଳକୁ ପ୍ରଦାନ କରାଯାଇଛି ।ଏହି ଦଳ ସୁଚାରୁ ରୂପେ ଖାଉଟି ସାମଗ୍ରୀ ବଂଟନ ନ କରିବା ସହ ମୃତ ବ୍ୟକ୍ତିର ନାମରେ ଖାଉଟି ସାମଗ୍ରୀ ହଡପ କରୁଥିବା ପୂର୍ବରୁ ଏହି ପଂଚାୟତର ବେଣାପଡା ଗ୍ରାମର ରବିନ୍ଦ୍ର ଓଝା ୨୦୧୯ ମସିହାରେ ଅଭିଯୋଗ କରିଥିଲେ । ରବିନ୍ଦ୍ରଙ୍କ ଅଭିଯୋଗ ମୁତାବକ ତାଙ୍କ ବାପା ସିଦ୍ଧେଶ୍ୱର ଙ୍କର ମୃତ ହୋଇଥିବା ବେଳେ ତାଙ୍କ ନାମରେ ଖାଉଟି ସାମଗ୍ରୀ ଉଠାଯାଉଛି । ଉକ୍ତ ଅଭିଯୋଗକୁ ରବିନ୍ଦ୍ର ବିଡିଓ,ଜିଲା ଯୋଗାଣ ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ । ରବିନ୍ଦ୍ର ଙ୍କ ଅଭିଯୋଗ କୁ ଭିତି କରି ତତକାଳିନ ଜିଲା ଯୋଗାଣ ଅଧିକାରୀ ଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ତଦନ୍ତ କରି ଅକ୍ଟୋବର ୨୦୧୯ରେ ବଂଟନ ଦାୟିତ୍ୱରେ ଥିବା ବେଲବଣ ସ୍ୱୟଂ ସହାୟୀକା ଦଳକୁ ନିଲମ୍ବନ କରିବା ସହିତ ତତକାଳିନ ପଂଚାୟତ ଅଧିକାରୀ ଅଭିରାମ ନନ୍ଦ ଙ୍କୁ ୧୩ ନଭେମ୍ବର ୨୦୧୯ ରେ ନିଲମ୍ବନ କରାଯାଇଥିଲା । ପୂର୍ବରୁ ଉକ୍ତ ସ୍ୱୟଂ ସହାୟୀକା ଦଳ ଖାଉଟି ସାମଗ୍ରୀ ହଡପ କରି ନିଲମ୍ବିତ ହୋଇଥିଲେ ମଧ୍ୟ ପୁନର୍ବାର ତାଙ୍କୁ ଦାୟିତ୍ୱ ପ୍ରଦାନ କରିବା ଓ କୁଇନ ଙ୍କ ଅଭିଯୋଗକୁ ୧୫ ଦିନ ବିତି ଯାଇଥିଲେ ମଧ୍ୟ ଉକ୍ତ ଘଟଣାର ତଦନ୍ତ କରା ନଯିବା ସାଧରାଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।