ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ବନ୍ଦ;ପୁନର୍ବାର କାର୍ଯ୍ୟ ପାଇଁ ସର୍ବଦଳୀୟ ଆଲୋଚନା
ନାଉଗାଁ, (ଓ୍ବାଇଏନ୍ଏସ୍): ଜଗତସିଂହପୁର ଜିଲା ନାଉଗାଁ ବ୍ଳକର ଗଜରାଜପୁର ପଂଚାୟତ ତୁମ୍ବେଶ୍ୱର ନିକଟରେ ପ୍ରବାହିତ ଦେବୀ ନଦୀ ଉପରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ନିର୍ମିତ ହେଉଥିବା ଦେବୀନଦୀ ବନ୍ଧରେ ଫାଟ ସୃଷ୍ଟି ହେବାର ଦେଖାଯାଇଛି । ଏପରିକି ଉକ୍ତ ଫାଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ନଦୀ କୂଳିଆ ବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଉକ୍ତ ଫାଟ ହେବା ଫଳରେ ସ୍ଥାନୀୟ ଲୋକ ଯଥା ଗଜରାଜପୁର ପଂଚାୟତର ପୂର୍ବତନ ସରପଂଚ ଆର୍ତତ୍ରାଣ ଦାସ, ଜିଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ବଂଶୀଧର ବେହେରା, ରବିନ୍ଦ୍ରନାଥ ପାଢୀ ଆଦି ନଦୀ ବନ୍ଧ ପରିଦର୍ଶନ କରିବା ସହିତ ସୋମବାର ମେଗା ପ୍ରକଳ୍ପର କାର୍ଯ୍ୟ ବନ୍ଦ ରଖିଥିଲେ । ପ୍ରକଳ୍ପ କାର୍ଯ୍ୟ ବନ୍ଦ ହେବା ପରେ ବୁଧବାର ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନିକ ଅଧିକାରୀଙ୍କ ସହ ପୁନର୍ବାର କାର୍ଯ୍ୟ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ଜଳ ସଂପଦର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇ. ପ୍ରତାପ ଶତପଥୀ, ଏସଡିଓ ଫକୀର ସେଠ୍, ଜିଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ଗଜରାଜପୁର ପୂର୍ବତନ ସରପଂଚ ଆର୍ତତ୍ରାଣ ଦାସ, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହସଂଯୋଜକ ଅଶୋକ ସ୍ୱାଇଁ, ଆତ୍ମା କମିଟିର ଚେୟାରମ୍ୟାନ ବସନ୍ତ ପାଢୀ, ନବକିଶୋର ମହାନ୍ତି, ତୁଷାର କାନ୍ତ ମହାନ୍ତି, ସାମାଜିକ କର୍ମୀ ତୁଷାରକାନ୍ତ ମହାନ୍ତି ଓ ମେଗା ପାନୀୟ ଜଳ ନିର୍ମାଣ କରୁଥିବା ଏଲ ଆଣ୍ଡ ଟି କଂମ୍ପାନୀର ଅଧିକାରୀ ଉପସ୍ଥିତ ଥଲେ । ଉକ୍ତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଯୋଗୁ ନଦୀ ବନ୍ଧ ପ୍ରତି ବିପଦ ସୃଷ୍ଟି ହେଉଛି । ଉକ୍ତ ବନ୍ଧ ଭାଙ୍ଗିଲେ ନାଉଗାଁ ବ୍ଳକ ନିଶ୍ଚିହ୍ନ ହେବା ସହ ବାଲିକୁଦା ବ୍ଳକର କିଛି ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ତେଣୁ ନଦୀ ବନ୍ଧ ପ୍ରତି ଯେପରି କୌଣସି ବିପଦ ସୃଷ୍ଟି ନ ହୁଏ ବିଭାଗ ତରଫରୁ ଲିଖିତ ପ୍ରତିଶୃତି ପ୍ରଦାନ କରିବା ସହିତ କାର୍ଯ୍ୟ କରାଯାଉଥିବା ମେଗା ପାନୀୟ ଜଳ ନିକଟରେ ସୂଚନା ବୋର୍ଡ ଲଗାଇବା ପାଇଁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସ୍ୱାଇଁ ଆଲୋଚନାରେ ଦାବି କରିଥିଲେ । ଶେଷରେ ପୁନର୍ବାର ସ୍ଥାନୀୟ ବୁଦ୍ଧିଜୀବମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ । ଏହି କମିଟି ମାଧ୍ୟମରେ ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରାଯିବ । ଜଳ ସମ୍ପଦ ବିଭାଗ ତରଫରୁ ଲିଖିତ ପ୍ରତିଶୃତି ପ୍ରଦାନ ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଆଲୋଚନାରେ ସ୍ଥିର କରାଯାଇଥିଲା । ଲିଖିତ ପ୍ରତିଶୃତିପରେ କାର୍ଯ୍ୟ ପୁନ୍ନର୍ବାର କରାଯିବା ପାଇଁ ସର୍ବସମ୍ମତି ନିଷ୍ପତି ଗ୍ରହଣ କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ ଉକ୍ତ ମେଗା ପାନୀୟ ଜଳ ପ୍ରକଳ୍ପ ୨୦୨୦ ଫେବୃଆରୀରୁ ଆରମ୍ଭ କରାଯାଇଛି । ଏହି ପ୍ରକଳ୍ପ ପାଇଁ ୧୩୫ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯିବା ସହିତ ବାଲିକୁଦା,ଏରସମା ସମେତ ନାଉଗାଁ ବ୍ଳକକୁ ମିଶାଇ ୧୩୩ଟି ଗ୍ରାମକୁ ମଧୁର ପାନୀୟ ଜଳ ଯୋଗାଇବାର ଲକ୍ଷ୍ୟ ରଖାଯାଇଛି ।