ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ନଦୀ ବନ୍ଧରେ ଫାଟ;ତୁମ୍ବେଶ୍ୱର ନଦୀବନ୍ଧ ସୁରକ୍ଷା କମିଟିର ମହାମେଳ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତର ତୁମ୍ବେଶ୍ୱର ଠାରେ ପ୍ରବାହିତ ଦେବୀ ନଦୀରେ ନିର୍ମିତ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ସ୍ଥାନୀୟ ଲୋକ ବିରୋଧ କରିବା ସହ ଉକ୍ତ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ ରଖାଯାଇଛି । ଏସଂକ୍ରାନ୍ତରେ ସ୍ଥାନୀୟ ବୁଦ୍ଧିଜୀବମାନଙ୍କୁ ନେଇ ଗଠିତ ତୁମ୍ବେଶ୍ୱର ନଦୀ ବନ୍ଧ ସୁରକ୍ଷା କମିଟି ପକ୍ଷରୁ ଗୁରୁବାର ବନ୍ଧ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜରାଜପୁର ପଂଚାୟତର ପୂର୍ବତନ ସରପଂଚ ଆର୍ତତ୍ରାଣ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଉପୁଜିଥିବା ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ଦେବୀ ନଦୀ ବନ୍ଧରେ ଫାଟ ସୃଷ୍ଟି ହେଉଛି । ଏହି ଫାଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବୈଠକର ନିଷ୍ପତି ଅନୁସାରେ ପ୍ରଥମେ ପ୍ରଶାସନ ପକ୍ଷରୁ ନଦୀ ବନ୍ଧକୁ ସୁରକ୍ଷା ପ୍ରଦାନ କରାଯାଉ । ନଦୀ ବନ୍ଧକୁ ସୁରକ୍ଷା ପ୍ରଦାନ କରା ନଗଲେ ବନ୍ୟା ଆସିଲେ ବନ୍ଧ ଭାଙ୍ଗିବା ଦ୍ୱାରା ବ୍ଳକର ୧୬ଟି ପଂଚାୟତ ଧନ ଜୀବନ ହାନି ଘଟିବାର ସମ୍ଭାବନା ରହିଛି । ମେଗା ପାନୀୟ ଜଳ ପ୍ରକଳ୍ପ ନିକଟରେ ଦୁଇ ପାଶ୍ୱର୍ରେ ଥିବା ୨ଟି ବୁରୁଜ ପର୍ଯ୍ୟନ୍ତ ନଦୀ ତଳୁ ଢଳେଇ ୱାଲ ନିର୍ମାଣ କରାଯାଉ । ଗଳଦାରୀ, ରୋହିଆ, ନୂଆଗାଁ, ଅଲଣା, ଗଜରାଜପୁର ପଂଚାୟତର ସମସ୍ତ ଗ୍ରାମକୁ ଶୁଦ୍ଧ ପାନୀୟ ଜଳ ପ୍ରଦାନ କରିଯାଉ । ନଦୀ ବନ୍ଧର ସୁରକ୍ଷା ପାଇଁ ପ୍ରଶାସନ ଲିଖିତ ପ୍ରତିଶୃତି ଦେବା ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବୈଠକରେ ସ୍ଥିର କରାଗଲା । ଏହି ବୈଠକରେ ଅଲଣା ପଂଚାୟତର ପୂର୍ବତନ ସରପଂଚ ନବକିଶୋର ମହାନ୍ତି, ନୁଆଗାଁ ପଂଚାୟତ ସମିତି ସଭ୍ୟ ଦୋଳଗୋବିନ୍ଦ ରାଉଳ, ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ଜନସ୍ୱାର୍ଥ ସୁରକ୍ଷା କମିଟିର ସଂପାଦକ ସୁବାସ ସ୍ୱାଇଁ, ଗଜରାଜପୁର ପଂଚାୟତର ପୂର୍ବତନ ସରପଂଚ ରବିନ୍ଦ୍ରନାଥ ପାଢୀ, ସମାଜସେବୀ ବଂଶୀଧର ବେହେରା,ନବନିର୍ମାଣ କୃଷକ ସଂଗଠନର ନାଉଗାଁ ଶାଖା ସଭାପତି କୈଳାଶ ପରିଡା, ରୋହିଆ ପଂଚାୟତର ସମିତି ସଭ୍ୟ ପଦ୍ମଚରଣ ରାଉତ, ସରପଂଚ ଶିବ ପ୍ରସାଦ ନାୟକ, ସରତ ମଲ୍ଲିକ, ଅଜିତ ପଟ୍ଟନାୟକ ଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବମାନେ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ ଫାଟ ସୃଷ୍ଟି ହୋଇଥିବା ନଦୀ ବନ୍ଧକୁ ଗତ ୧୦ ତାରିଖରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜିଲ୍ଲାପାଳ ସରୋଜ ମିଶ୍ର ବୁଲି ଦେଖିଥିଲେ । ପରେ ଏସଂକ୍ରାନ୍ତରେ ଗଜରାଜପୁର ପଂଚାୟତର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ମଧ୍ୟ କରାଯାଇଥିଲା । ସମୀକ୍ଷା ବୈଠକରେ ସ୍ଥାନୀୟ ଜନସାଧାରଣଙ୍କ ଦାବି ଅନୁସାରେ ବନ୍ଧର ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇ କାର୍ଯ୍ୟ କରାଯିବ ବୋଲି ବିଧାୟକ ଶ୍ରୀ ମୁଦୁଲି ମତବ୍ୟକ୍ତ କରିଥିଲେ । ସେହିପରି କାର୍ଯ୍ୟାଦେଶ ପାଇଥିବା ଏଲ ଆଣ୍ଡ ଟି ସଂସ୍ଥା ସମେତ ପ୍ରଶସାନିକ ଅଧିକାରୀଙ୍କ ସହ ଏସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ପ୍ରକାଶ ଯୋଗ୍ୟ ଯେ ଦେବୀ ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ଯାହାକି ନଦୀ ବନ୍ଧ ପ୍ରତି ବିପଦ ଦେଖାଦେଇଛି । ନଦୀ ବନ୍ଧରେ ଫାଟ ହେବା ଫଳରେ ସ୍ଥାନୀୟ ବୁଦ୍ଧିଜୀବି,ନାଗରିକ ଉକ୍ତ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିଛନ୍ତି । ପୁନର୍ବାର କାର୍ଯ୍ୟ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ସ୍ଥାନୀୟ ଜନସାଧାରଣଙ୍କ ଆଲୋଚନା ହୋଇଥିଲେ ମଧ୍ୟ ଆଲୋଚନାରୁ କୌଣସି ସୁଫଳ ମିଳୁ ନଥିବା ଜଣାଯାଇଛି । ଉକ୍ତ ନଦୀ ବନ୍ଧକୁ ସୁରକ୍ଷା ଦେବା ପାଇଁ ତୁମ୍ବେଶ୍ୱର ନଦୀବନ୍ଧ ସୁରକ୍ଷା କମିଟି ଡିସେମ୍ବର ୬ ତାରିଖରେ ଗଠିତ କରାଯାଇଛି । ଗଜରାଜପୁର ପଂଚାୟତର ପୂର୍ବତନ ସରପଂଚ ଆର୍ତତ୍ରାଣ ଦାସଙ୍କ ସଭାପତିତ୍ୱରେ ଉକ୍ତ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଟାଳଟୁଳ ନିତି ଯୋଗୁ କାର୍ଯ୍ୟ ବନ୍ଦ ରହିଛି । ଏହି ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ବାଲିକୁଦା,ଏରସମା ଓ ନାଉଗାଁ ବ୍ଳକର ୧୩୬ଟି ଗ୍ରାମକୁ ମଧୁର ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ