ମେଡିକାଲରେ ନାହାଁନ୍ତି ପ୍ରସୂତି ବିଭାଗ ଡାକ୍ତର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ରାଜ୍ୟ ସରକାର ସୁସ୍ଥ ମାତୃତ୍ୱ ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଥିଲେ ସୁଦ୍ଧା ଅନେକ ସ୍ଥାନରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳୁଛି । ସୁସ୍ଥ ମାଆ ଓ ଶିଶୁ ପାଇଁ ଆବଶ୍ୟକୀୟ ଡାକ୍ତର ନଥିବାରୁ ଅନେକ ସମୟରେ ପ୍ରସୂତି ମାନେ ବିପଦପୂର୍ଣ୍ଣ ଭାବେ ଚିକିତ୍ସିତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଦୀର୍ଘବର୍ଷ ହେବ ପ୍ରସୂତୀ ବିଭାଗ ଡାକ୍ତର ନଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ଉପରେ ବ୍ଲକର ୨୩ଗୋଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବାବେଳେ ପଡୋଶୀ ହାଟଡିହୀ ବ୍ଲକରୁ ମଧ୍ୟ ଏଠାକୁ ଜରୁରୀକାଳୀନ ରୋଗୀ ଆସିଥାଆନ୍ତି । ବିଶେଷକରି ଅନ୍ୟାନ୍ୟ ବିଭାଗର ଡାକ୍ତର ଏଠାରେ ରହି କାର୍ଯ୍ୟ କରୁଥିଲେ ସୁଦ୍ଧା ପ୍ରସୂତୀ ବିଭାଗଟି ଖାଲି ପଡିଛି । ଏଠାରେ ଥିବା ପ୍ରସୂତି ବିଭାଗ ଡାକ୍ତର ଗଣେଶ ଚନ୍ଦ୍ର ପତି ଦୀର୍ଘ ୨ବର୍ଷ ହେବ ପଦୋନ୍ନତି ଭିତ୍ତିରେ ବଦଳି ହେବାପରେ ଆଉ କେହି ନୂତନ ଡାକ୍ତର ଏଥିପାଇଁ ନିଯୁକ୍ତ ହୋଇନାହାଁନ୍ତି । ଫଳରେ ଯେଉଁ ଗର୍ଭବତୀ ମାନେ ଦୈନନ୍ଦିନ ଏଠାକୁ ପରୀକ୍ଷା ନିରୀକ୍ଷା ପାଇଁ ଆସୁଛନ୍ତି ସେମାନେ ଆବଶ୍ୟକୀୟ ଚିକିତ୍ସା ସୁବିଧା ପାଇ ପାରୁନାହାଁନ୍ତି । ଏପରିକି ବିଭାଗୀୟ ଡାକ୍ତର ନଥିବାରୁ ପ୍ରସବ ସମୟରେ ମଧ୍ୟ ଜଣେ ଗର୍ଭବତୀ ସଙ୍କଟାପନ୍ନ ଅବସ୍ଥାରେ ଯନ୍ତ୍ରଣା ଭୋଗ କରୁଛନ୍ତି । ସମୟେସମୟେ ପରିସ୍ଥିତି ଏଭଳି ହେଉଛି ଯେ ପ୍ରସବ ପାଇଁ ଜିଲ୍ଲା ଓ ଘରୋଇ ମେଡିକାଲକୁ ଯିବାକୁ ପଡୁଛି । ଏହା ଦ୍ୱାରା ଲୋକେ ବହୁ ଆର୍ଥିକ ଓ ମାନସିକ କଷ୍ଟ ସହ୍ୟ କରୁଥିବା ଦେଖାଯାଉଛି । ତେଣୁ ଉପରିସ୍ଥ ଅଧିକାରୀ ମାନେ ଯଥାଶୀଘ୍ର ଭଣ୍ଡାରିପୋଖରୀ ଠାରେ ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଯୋଗାଇବାକୁ ବୃଦ୍ଧିଜିବୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ