ମେଡିକାଲ ଆନ୍ଦୋଳନକୁ ପୁରିଲା ୨୫ଦିନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗତ ଜାନୁଆରୀମାସ ୨୪ତାରିଖରୁ ସିଟି ହସପିଟାଲ ଦାବିରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ମେଡିକାଲ ଆନ୍ଦୋଳନକୁ ଆଜି ୨୪ଦିନ ପୁରିଲା । ଛୁଟିଦିନ ମାନଙ୍କୁ ଛାଡିଦେଲେ ସମସ୍ତ ଦିନ ଆନ୍ଦୋଳନକାରୀମାନେ ରିଲେ ଗଣଧାରଣାରେ ବସିରହିଛନ୍ତି । ଏହି ସମୟ ମଧ୍ୟରେ ଜିଲ୍ଲା ପ୍ରଶାସନ ଦୁଇ ଦୁଇ ଥର ଡାକି ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ସିଟି ହସପିଟାଲ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଜିଲ୍ଲାର ବିଧାୟକ ତଥା ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଆନ୍ଦୋଳନକାରୀମାନଙ୍କ ପ୍ରତିନିଧିଙ୍କୁ ମଧ୍ୟ ଡାକି ଆଲୋଚନା କରି ତୁରନ୍ତ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଜଣାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଏହାମଧ୍ୟରେ ଏକ ୭ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇବା ସହିତ ରାଜ୍ୟପାଳଙ୍କ ସମର୍ଥନ ମଧ୍ୟ ହାସଲ କରିଛନ୍ତି । ଏହାବ୍ୟତିତ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା ତାଙ୍କ ସାଥି ସମର୍ଥକମାନଙ୍କୁ ସାଙ୍ଗରେ ନେଇ ଆନ୍ଦୋଳନସ୍ଥଳରେ ପହଞ୍ଚି ଦାବି ଯଥାର୍ଥ କହିବା ସହିତ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ପଠାଇଥିବା ଚିଠି ମଧ୍ୟ ଆନ୍ଦୋଳନ ସ୍ଥଳରେ ପାଠ କରିଥିଲେ । ଏହି ଚିଠିରେ ଆସନ୍ତା ୨୭ତାରିଖରେ ବିଧାନସଭା ଅଧିବେସନରେ ଆଲୋଚନା କରିବା ପାଇଁ ଉଲ୍ଲେଖ ରହିଛି । ଏସବୁ ସତ୍ୱେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲା ବେଳେ ଆସନ୍ତା କାଲିଠୁ ଆନ୍ଦୋଳନକାରୀ ମହିଳାମାନେ ଧାରଣାସ୍ଥଳରେ ରୋଷେଇ କରିବାକୁ ନିଷ୍ପତ୍ତି କରିଛନ୍ତି । ଆନ୍ଦୋଳନକାରୀ ମହିଳାମାନେ ଘୋଷଣା କରିଛନ୍ତି ଯେ ପର୍ଯ୍ୟନ୍ତ ସରକାର ସିଟି ହସପିଟାଲ ଘୋଷଣା କରିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ । ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନାଙ୍କ ସଭାପତିତ୍ୱରେ ସି.ପି.ଆଇ.(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଜିଲ୍ଲା ଜନସମ୍ପର୍କ ମଞ୍ଚର ସମ୍ପାଦକ ନରୋତ୍ତମ ଜେନା, ସି.ଆଇ.ଟି.ୟୁ. ଜିଲ୍ଲା ସମ୍ପାଦକ ଜଗତଜୀବନ ଦାଶ, ପୂର୍ବତନ କାଉନସିଲର ହିବଜୁର ରହେମାନ, ସୈାମେନ୍ଦ୍ର ପୃଷ୍ଟି, ବିଜେପି ନେତା ପଦ୍ମଲୋଚନ ମହାପାତ୍ର, ବିପିନ ବିହାରୀ ପରିଡା, ଅକଲିମା ଖାତୁନ, ଅହଲ୍ୟା ଦାସ, ଅବଦୁଲ ମାଜିଦ, ସେକ ହାପିଜୁଲ୍ଲା, ସ୍ୱର୍ଣ୍ଣଲତା ମେକାପ, ନୁରଜାନ ବିବି, ଦିପ୍ତିରେଖା ଦାସ, ଜିଲ୍ଲା ଓକିଲ ସଙ୍ଘ ଉପସଭାପତି ହାଡିବନ୍ଧୁ ସିଂହ, କୃଷକ ନେତା ବିଜୟ ଦାସ, ସୋହାନା ବିବି ପ୍ରମୁଖ ଆଲୋଚନା କରିବା ସହିତ ନେତୃତ୍ୱ ନେଇଥିଲେ ।