ମେଡିକାଲ ଆନ୍ଦୋଳନ ଏକାଦଶ ଦିନରେ: ମନ୍ତ୍ରୀଙ୍କ ସହିତ ଆଲୋଚନା ବିଫଳ, ଆନ୍ଦୋଳନ ଚାଲୁରହିବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ସ୍ଥାନାନ୍ତରିତ ମେଡିକାଲକୁ ସିଟି ହସପିଟାଲ କରିବା ଦାବିରେ ଚାଲିଥିବା ଗଣଧାରଣା ଆଜି ଏକାଦଶ ଦିନରେ ପହଞ୍ଚିଛି । ସମୟ ଯେତେ ଗଡି ଚାଲିଛି ଆନ୍ଦୋଳନକୁ ଚଳାଇ ରଖିବାର ଜିଦ ଜନସାଧାରଣଙ୍କ ମଧ୍ୟରେ ବଢି ବଢି ଚାଲିଛି । ଗତ ଦୁଇ ଦିନ ଧରି ଜିଲ୍ଲାର ମନ୍ତ୍ରୀ ପ୍ରତାପ କେଶରୀ ଦେବ ସମୀକ୍ଷା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଆଖପାଖକୁ ଆସୁଥିଲେ ମଧ୍ୟ ଆନ୍ଦୋଳନସ୍ଥଳକୁ ଆସି ଆଶ୍ୱାସନା ନଦେବା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଆନ୍ଦୋଳନ ସମୟରେ ମନ୍ତ୍ରୀ ଶ୍ରୀ ଦେବ ଏକ ପ୍ରତିନିଧିଦଳକୁ ଗରାପୁର ଡାକବଙ୍ଗଳାକୁ ଡକାଇ ସେହି ପୁରୁଣା କଥାର ପୁନରାବୃତ୍ତି ଯଥା ମୁଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବି ବୋଲି କହିଛନ୍ତି । ଏହା ସହରବାସୀଙ୍କ ପ୍ରତି ଉପହାସ ବୋଲି ଆଲୋଚନା ଚାଲିଛି । ଆନ୍ଦୋଳନକାରୀମାନେ ପାଲଟା ଅଭିଯୋଗ କରିଥିଲେ ମନ୍ତ୍ରୀ କଣ ଆଗରୁ ଦାବି ସମ୍ପର୍କରେ ଜାଣି ନଥିଲେ? ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କର ଏପରି ଦାୟୀତ୍ୱହୀନତା ଓ ବେଖାତିରି ମନୋଭାବକୁ ସଭାରେ ବକ୍ତାମାନେ ତୀବ୍ର ସମାଲୋଚନା କରିଛନ୍ତି । ସରକାର ସିଟି ହସପିଟାଲ ପାଇଁ ଲିଖିତ ପ୍ରତିଶୃତି ନଦେଲେ ଆନ୍ଦୋଳନ ଚାଲୁରହିବ ବୋଲି ବକ୍ତାମାନେ କହିଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟସେବା ଓ ଭାବାବେଗ ସହିତ ସରକାର ଖେଳ ନଖେଳନ୍ତୁ ବୋଲି ଆନ୍ଦୋଳନକାରୀମାନେ ଘୋଷଣା କରିଛନ୍ତି । ପୂର୍ବତନ କାଉନସିଲର ସୈାମେନ୍ଦ୍ର କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗଣଧାରଣାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ସିପିଆଇ ନେତା ଆଦିକନ୍ଦ ରାଉଳ, କାଉନ୍‌ସିଲର ରଶ୍ମୀତା ସିଂହ, ଜୟନ୍ତୀ ପାଣି, ସିପିଆଇ(ଏମ) ନେତା ଉମେଶ ଚନ୍ଦ୍ର ସିଂହ, ସି.ପି.ଆଇ. ଜିଲ୍ଲା ସଂପାଦକ ରମଣୀରଞ୍ଜନ ରାଉତରାୟ, ପୂର୍ବତନ କାଉନସିଲର ହିଫଜୁର ରହେମାନ, ମୁକ୍ତାର ଖାଁ, ବିଜେପି ନେତା ସଲିମ ଖାନ, ସିପିଆଇ(ଏମ) ଜିଲ୍ଲା ସଂପାଦକ ଗୟାଧର ଧଳ, ଅକମଲ ଅଲ୍ଲୀ, ସନ୍ଦିପ୍ତ ଦାସ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ସେକ ଅସଲମ, ସୂର୍ଯ୍ୟକାନ୍ତ ପରିଜା, ପ୍ରାକ୍ତନ କାଉନସିଲର ପ୍ରଶାନ୍ତ କୁମାର ସିଂ, ଏ ସେଖ ହାଫିଜୁଲ୍ଲା, କୁମୁଦ କୁମାର ରାଉତ, ଫହିମା ବେଗମ, ବିଜୟ କୁମାର ଦାସ, ଛାତ୍ରନେତା ସୟଦ ପରଭେଜ ଅକ୍ତର, ଏସୟୁସିଆ ନେତ୍ରୀ ହିରାମଣି ରାଉତ, ବିପିନ ବିହାରୀ ପରିଡା, ଚିତ୍ତରଞ୍ଜନ ଭଗତ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ସୟଦ ଅବଦୁଲ ସତ୍ତାର ପ୍ରମୁଖ ବକ୍ତବ୍ୟ ରଖିବା ସହ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ