ମେଡିକାଲ ଆନ୍ଦୋଳନ ଦଶମ ଦିନରେ: ସିଟି ହସପିଟାଲ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗତ ୨୪ତାରିଖରୁ ଆରମ୍ଭ ହୋଇଥିବା କେନ୍ଦ୍ରାପଡା ମେଡିକାଲ ବଞ୍ଚଅ ଆନ୍ଦୋଳନ ଦଶମ ଦିନରେ ପହଞ୍ଚିଛି । କେନ୍ଦ୍ରାପଡା ଆନ୍ଦୋଳନ ଇତିହାସରେ କେବଳ ୧୯୮୯ ମସିହାରେ ଜିଲ୍ଲା ଗଠନ ପାଇଁ ଆନ୍ଦୋଳନକୁ ଛାଡିଦେଲେ ବଡ ଓ ଏତେଦିନ ଧରି ଆନ୍ଦୋଳନ କେବେ ହୋଇଥିବା ଦେଖିବାକୁ ମିଳିନି । ଜିଲ୍ଲା ପ୍ରଶାସନ ପୁରୁଣା ମେଡିକାଲକୁ ଉଠାଇ ନେଲାପରେ ସର୍ବନିମ୍ନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସିଟି ହସପିଟାଲ ଦାବିରେ ଜନ ଆକ୍ରୋସର ଏହା ହେଉଛି ପ୍ରତିଫଳନ । ଜିଲ୍ଲା ପ୍ରଶାସନ ଧରିନେଇଥିଲା ବନ୍ଦ ପାଳନ ପରେ ଆନ୍ଦୋଳନ ଆପଣା ଛାଏଁ ଥମିଯିବ । ଫଲ କିନ୍ତୁ ଓଲଟା ହେଲା ଶାନ୍ତିପୂର୍ଣ୍ଣର୍ ଭାବେ ପରିଚାଳିତ ରିଲେ ଗଣଧାରଣାରେ ପ୍ରତିଦିନ ମହିଳାମାନଙ୍କ ସଂଖ୍ୟା ବଢି ବଢି ଚାଲିଛି । ମହିଳାମାନେ ଘର ଛାଡି ସ୍ୱାସ୍ଥ୍ୟ ସେବା ଫେରାଇ ଦେବା ଦାବିରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇ ଆମ ମେଡିକାଲ ଆମକୁ ଫେରାଇ ଦିଅ ଦାବିରେ ନାରାବାଜି କରୁଛନ୍ତି । ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଂଗଠନ ମାନେ ସହଯୋଗ ଓ ସମର୍ଥନ କରି ଆସୁଛନ୍ତି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ଆନ୍ଦୋଳନ କାରୀମାନେ ଘୋଷଣା କରିଛନ୍ତି ଯଦି ସିଟି ହସପିଟାଲ ଘୋଷଣା ନହୁଏ ତେବେ ଆନ୍ଦୋଳନ ନିର୍ବାଚନ ପର୍ଯ୍ୟନ୍ତ ଚାଲୁ ରହିବ । ଅନ୍ୟ ପକ୍ଷରେ ଆନ୍ଦୋଳନର ଗଭୀରତାକୁ ଅନୁଭବ କରି ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଆଜି ଚିଠି ଲେଖିଛି ଯେ ପୁରୁଣା ହସପିଟାଲକୁ ସିଟି ହସପିଟାଲର ମାନ୍ୟତା ଦେବା ପାଇଁ । ଆଜିର ଆନ୍ଦୋଳନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଆନ୍ଦୋଳନସ୍ଥଳରେ ପହଞ୍ଚି ରାଜ୍ୟ ସରକାରଙ୍କୁ ଚିଠି ଲେଖିବା କଥା ଘୋଷଣା କରିବା ସହିତ ସେହି ପତ୍ରର ନକଲ ମଧ୍ୟ ପ୍ରଦାନ କରିଥିଲେ ଓ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ । ଆନ୍ଦୋଳନକାରୀ ଓ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଥିଲା ଯେ ପର୍ଯ୍ୟନ୍ତ ସିଟି ହସପିଟାଲ ଘୋଷଣା ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ । ବରିଷ୍ଠ କଂଗ୍ରେସ ନେତା ମୁକ୍ତାର ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗଣଧାରଣାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କାଉନ୍ସିଲର ରଶ୍ମୀତା ସିଂହ, ଜୟନ୍ତୀ ପାଣି, ପୂର୍ବତନ କାଉନସିଲର ହିଫଜୁର ରହେମାନ, ସୈାମେନ୍ଦ୍ର ପୃଷ୍ଟି, ସିପିଆଇ(ଏମ) ଜିଲ୍ଲା ସଂପାଦକ ଗୟାଧର ଧଳ, ସି.ପି.ଆଇ. ଜିଲ୍ଲା ସଂପାଦକ ରମଣୀରଞ୍ଜନ ରାଉତରାୟ, ବିଜେପି ନେତା ମହମ୍ମଦ ସଲିମ ଖାନ, ଅକମଲ ଅଲ୍ଲୀ, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଆଦିକନ୍ଦ ରାଉଳ, ସନ୍ଦିପ୍ତ ଦାସ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପ୍ରାକ୍ତନ କାଉନସିଲର ପ୍ରଶାନ୍ତ କୁମାର ସିଂ, ଏସୟୁସିଆଇର ଏଲୀନା ସାମନ୍ତରାୟ, ଶ୍ରମିକ ନେତା ଜଗତଜୀବନ ଦାଶ, ସେଖ ହାଫିଜୁଲ୍ଲା, ଅବଦୁଲ କବିର, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, କ୍ଷୀତିଶ ରୋସନ ସିଂହ, ଧନେଶ୍ୱର ବେହେରା, ସନ୍ତୋଷ କୁମାର ବେହେରା, ବିଜେପି ନେତା ସୁନାକର ବେହେରା, ଅବଦୁଲ ମଜିଦ, ନରୋତ୍ତମ ଜେନା, ସମାଜସେବୀ ଅଭିମନ୍ୟୁ ରାଉତ, ବିଜୟ କୁମାର ଦାସ, ଶିବାନୀ ଦାସ, ହଇମା ବେଗମ, ସୟଦ ଅବଦୁଲ ସତ୍ତାର ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେବା ସହ ବକ୍ତବ୍ୟ ରଖିଥିଲେ ।


