ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ପାର୍ବଣ ଅଭିନନ୍ଦନ ଶିବିର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ଆନ୍ଦୋଳନକୁ ଓହ୍ଲାଇବା ନିଷ୍ପତ୍ତି

ବାଲେଶ୍ୱର, (ସରୋଜ ପଣ୍ଡା) : ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପାର୍ବଣର ୪ଦିନ ବ୍ୟାପୀ ଅଭିନନ୍ଦନ ଶିବିର ସ୍ଥାନୀୟ ଫାଣ୍ଡିଛକଠାରେ ଅନୁଷ୍ଠିତ ହୋଇଯାଇଛି । ମହାସପ୍ତମୀଠାରୁ ବିଜୟାଦଶମୀ ପର୍ଯ୍ୟନ୍ତ ପ୍ରତିସଂଧ୍ୟାରେ କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ଏହି ଶିବିରର ଉପସ୍ଥିତ ରହି ଜନସାଧାରଣଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ସହର ସମେତ ଜିଲାର ସାମୂହିକ ସମସ୍ୟା ଏବଂ ତା’ର ଆଶୁ ସମାଧାନ ଉପରେ ଆଲୋଚନା କରିଥିଲେ । ତେବେ ଅନ୍ୟାନ୍ୟ କ୍ଷେତ୍ର ତୁଳନାରେ ଜିଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଏହି ଶିବିରରେ ସମସ୍ତେ ଉଦବେଗ ପ୍ରକାଶ କରିଥିଲେ । ବାଲେଶ୍ୱରରେ ଫକୀର ମୋହନ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ବି ସ୍ୱାସ୍ଥ୍ୟସେବାର ସୁଧାର ନ ଆସିବା ବାସ୍ତବିକ ଦୁର୍ଭାଗ୍ୟର ବିଷୟ ବୋଲି ଉପସ୍ଥିତ ବ୍ୟକ୍ତିମାନେ କହିଥିଲେ । ଉଚିତ ଚିକିତ୍ସା ସେବା ପରିବର୍ତ୍ତେ ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନାର ମାନ୍ୟତାପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏବେ ରୋଗୀ ସ୍ଥାନାନ୍ତର ମାତ୍ରା ବୃଦ୍ଧି ପାଇଛି । ଟିକିଏ ଜଟିଳ ସ୍ଥିତିରେ ଥିବା ରୋଗୀଙ୍କୁ ସଙ୍ଗେ ସଙ୍ଗେ କଟକ ବଡ଼ ଡାକ୍ତରଖାନା ନେଇଯିବା ପାଇଁ ଏଠି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ବିଶେଷ କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ହୃଦରୋଗ ଓ ସ୍ନାୟୁରୋଗ ବିଶେଷଜ୍ଞ ନଥିବା ଯୋଗୁଁ ଏଠାରୁ ସ୍ଥାନାନ୍ତର ହେଉଥିବା ରୋଗୀମାନେ କଟକ ପହଞ୍ଚିବା ପୂର୍ବରୁ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଏନେଇ ବାରମ୍ବାର ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପରେ ପରେ କିଛି ସୁଫଳ ମିଳି ନଥିବା ବେଳେ ଆଗାମୀ ଦିନରେ ଅନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ପାଇଁ ଏହି ଅଭିନନ୍ଦନ ଶିବିରରେ ସିଦ୍ଧାନ୍ତ ହୋଇଛି । ୪ଦିନର ଏହି ଶିବିରରେ ମେଡିକାଲ କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ଉପ-ସଭାପତି ପ୍ରଭାକର ସାହୁ, ନିଞ୍ଜନ ରାଉତ ଓ ଶ୍ରଦ୍ଧାଞ୍ଜଳି ରାୟ, ସାଧାରଣ ସମ୍ପାଦକ ପ୍ରଦୀପ ଦାସଙ୍କ ସମେତ ଗୌରାଙ୍ଗ ପାଣିଗ୍ରାହୀ, ପ୍ରଫୁଲ ଦାସ, ଶ୍ୟାମସୁନ୍ଦର ଜେନା, ବନ୍ଦନା ବିଶ୍ୱାସ, ଶେଖ କରମ, ଶେଖ ସଲାଉଦ୍ଦିନ, ପୁରୁଷୋତ୍ତମ ବେହେରା, ଯତୀନ ପାତ୍ର, ବିଜନ ଦେ ପ୍ରମୁଖ ଉପସ୍ଥିତ ରହୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ