ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୃକ୍ଷରୋପଣ
ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର କୁରୁଡ଼ା ଶାଖା କମିଟି ପକ୍ଷରୁ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ସହଯୋଗରେ ବୁଧବାର ଦିନ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ପରମେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁଆ, ପିଜୁଳି, ସପେଟା, ଲେମ୍ବୁ ପ୍ରଭୃତି ଉନ୍ନତମାନର ଫଳଚାରା ରୋପଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣର ଗୁରୁତ୍ୱ ଓ ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, କୁରୁଡ଼ା ସରପଞ୍ଚ ତାପସ ପାଣିଗ୍ରାହୀଙ୍କ ସମେତ ସୁବ୍ରତ ପ୍ରଧାନ, କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ନିରଞ୍ଜନ ପରିଡ଼ା, ଉପଦେଷ୍ଟା କେଶବ ଚରଣ ପଣ୍ଡା, କୁରୁଡ଼ା ଶାଖା କମିଟିର ଆଜୀବନ ସଭ୍ୟା ସାବିତ୍ରୀ ଜେନା, ପୃଷ୍ଠପୋଷକ ରଙ୍ଗଲତା ଦାସ, ଭାସ୍କର ଚନ୍ଦ୍ର ପଣ୍ଡା, ରବିନାରାୟଣ ମହାନ୍ତି, ପ୍ରବୋଧ ପାତ୍ର, କବି ଜଳଧର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିରେ ବିଧାୟକଙ୍କ ପ୍ରତିନିଧି ଗୁରୁପ୍ରସାଦ ଜେନା ଓ ପ୍ରଶାନ୍ତ ପଟେଲ ପ୍ରମୁଖ ସଭା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ହରନାରାୟଣ ନନ୍ଦ ଓ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ‘ସବୁଜସାଥୀ’ ପକ୍ଷରୁ ସୁଲଭ ମୂଲ୍ୟରେ ଚାରା ଓ ଚୈବିକ ଖତ, ସାର ଯୋଗାଇ ଦେଇଥିବାରୁ ଏହାର ଅନ୍ୟତମ ଉଦ୍ୟୋକ୍ତା ଅନିରୁଦ୍ଧ ଦାଶଙ୍କୁ ଧନ୍ୟବାଦ ଦିଆଯାଇଥିଲା ।