ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ବାର୍ଷିକ ସମ୍ମିଳନୀ ୨୪ରେ
ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ୧୭ତମ ବାର୍ଷିକ ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଆସନ୍ତା ଜୋରଦାର ହୋଇଛି । ଆସନ୍ତା ୨୪ ତାରିଖ ଶନିବାର ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେବା ନେଇ ଆୟୋଜିତ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । କମିଟିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଫକୀର ମୋହନ ମେଡିକାଲ୍ କଲେଜ୍ ହସପିଟାଲ ସମେତ ସମଗ୍ର ଜିଲ୍ଲାରେ ସରକାରୀ ସ୍ୱାସ୍ଥ୍ୟ ସେବା ସଂପର୍କରେ ପ୍ରତିନିଧିମାନେ ଆଲୋଚନା କରିଥିଲେ । ଏନେଇ ଆଗାମୀ ଦିନରେ ସ୍ୱାସ୍ଥ୍ୟସେବାରେ ଥିବା ବିଭିନ୍ନ ସମସ୍ୟା ସମାଧାନ ଦିଗରେ ବିଭିନ୍ନ ପ୍ରସ୍ତାବ ଗୃହୀତ ହେବ । ସମ୍ମିଳନୀ ଅବସରରେ କ୍ରିୟାନୁଷ୍ଠାନ କମିଟିର ମୁଖପତ୍ର ଉନ୍ମୋଚିତ ହେବ ଓ ଆସନ୍ତା ଦୁଇବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୟନ କରାଯିବା ନେଇ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା । ତେବେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସଂପର୍କରେ ଅନୁଧ୍ୟାନ ଓ ଜନ ସଚେତନତା ପାଇଁ କ୍ରିୟାନୁଷ୍ଠାନ କମିଟିର ଅଭିଯାତ୍ରୀମାନଙ୍କ ଗତ ମାସ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପରିକ୍ରମା ଏବଂ ୨୮ ତାରିଖ ଦିନ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ସଫଳ ଜନସମାବେଶ କାର୍ଯ୍ୟକ୍ରମର ବିବରଣୀ ସଂପାଦକ ପ୍ରଦୀପ ଦାସ ଉପସ୍ଥାପିତ କରିବା ପରେ ବୈଠକର ଉପସ୍ଥିତ ସଦସ୍ୟାମାନେ ଏ ସଂପର୍କରେ ବିଶଦ ଆଲୋଚନା କରିଥିଲେ । ବ୍ୟାପକ ସମର୍ଥନ ଓ ସହଯୋଗ ପ୍ରଦାନ ପାଇଁ କମିଟି ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଛି । ଆସନ୍ତା ବାର୍ଷିକ ସମ୍ମିଳନୀର ସଫଳତା ପାଇଁ ବାଲେଶ୍ୱରବାସୀ ଦଳମତ ନିର୍ବିଶେଷରେ ବିଗତ ବର୍ଷମାନଙ୍କ ପରି ସହଯୋଗ କରିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିବେଦନ କରାଯାଇଛି । କମିଟିର ଆଜୀବନ ସଦସ୍ୟ ତଥା ନୂଆପାଢ଼ି ଶାଖା କମିଟିର ପୂର୍ବତନ ସଂପାଦକ ପ୍ରଭାକର ତ୍ରିପାଠୀଙ୍କ ବିୟୋଗରେ ଏହି ବୈଠକରେ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।