ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନଜୀବୀ ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଫକୀରମୋହନ ମେଡିକାଲ୍ କଲେଜ୍ ହସ୍ପିଟାଲରେ ସ୍ନାତକୋତ୍ତର (ପିଜି) ବିଭାଗ ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି । ତେବେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ହୃଦରୋଗ, ସ୍ନାୟୁରୋଗ ଓ ମୁତ୍ରାଶୟଜନିତ ରୋଗର ଚିକିତ୍ସା ପାଇଁ ବିଶେଷଜ୍ଞ ଡାକ୍ତର ପଦ ଖାଲି ପଡ଼ିବାକୁ ନେଇ ଏହି ବୈଠକରେ ଉଦବେଗ ପ୍ରକାଶ ପାଇଛି । ତୁରନ୍ତ ଏହି ପଦ ପୂରଣ ପାଇଁ ଦାବି କରାଯାଇଛି । ସାଧାରଣ ସଂପାଦକ ପ୍ରଦୀପ ଦାସ ଗତ ବୈଠକର ବିବରଣୀ ଓ କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା ଆୟବ୍ୟୟର ବିବରଣୀ ପାଠ କରିବା ପରେ ତାହା ଅନୁମୋଦନ ହୋଇଥିଲା । ଚଳିତବର୍ଷ ଫକୀରମୋହନ ମେଡିକାଲ୍ କଲେଜ୍ ହସ୍ପିଟାଲ୍ରୁ ୯୮ଜଣ ଡାକ୍ତରୀ ଶିକ୍ଷାର୍ଥୀ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହୋଇଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ୪ଟି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ରେମୁଣାରେ ନିର୍ମାଣାଧୀନ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର ଅତ୍ୟନ୍ତ ଜରୁରୀ ହୋଇଥିବା ବେଳେ ଆସନ୍ତା ଜୁଲାଇ ମାସରେ ଏହି ବିଭାଗଗୁଡ଼ିକ ସ୍ଥାନାନ୍ତର ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ମେଡିକାଲ୍ କଲେଜ୍ ହସ୍ପିଟାଲ୍କୁ ଜାତୀୟ ରାଜପଥରୁ ପ୍ରସ୍ତାବିତ ମୁଖ୍ୟ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟର ମନ୍ଥରତା କାରଣରୁ ଆସନ୍ତା ବର୍ଷାଋତୁ ପୂର୍ବରୁ ରାସ୍ତା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାରେ ଆଶଙ୍କା ପ୍ରକାଶ ପାଇଛି । ତେଣୁ ତୁରନ୍ତ ମୁଖ୍ୟ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବୈଠକରେ ଦାବି କରାଯାଇଛି । ଏମ୍ସ ସେଟେଲାଇଟ୍ ସେଣ୍ଟରର ବହିର୍ବିଭାଗ ସପ୍ତାହରେ ସାତଦିନ କାର୍ଯ୍ୟ କରିବା ଓ ମେଡିକାଲ୍ କଲେଜ୍ ରୋଗୀ କଲ୍ୟାଣ ସମିତିରେ କ୍ରିୟାନୁଷ୍ଠାନ କମିଟିର ଦୁଇଜଣ କର୍ମକର୍ତ୍ତାଙ୍କୁ ସଦସ୍ୟ ଭାବେ ଗ୍ରହଣ ପାଇଁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସର୍କିଟ୍ ହାଉସଠାରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାକ୍ଷାତ କରି ପ୍ରସ୍ତାବ ଦିଆଯାଇଛି । ପ୍ରସ୍ତାବ କାର୍ଯ୍ୟକାରୀ ହେବାପାଇଁ ଉଦ୍ୟମ କରିବେ ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରତିଶ୍ରୁତି ଦେଇଥିବା ସଂପର୍କରେ ଡ. କେଶବ ଚରଣ ପଣ୍ଡା ଓ ସୀତାରାମ ପ୍ରଧାନ ବୈଠକୁ ଅବଗତ କରିଥିଲେ । ଶେଷରେ ସଚ୍ଚୀନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।