ମେଣ୍ଟ କରିବନି କଂଗ୍ରେସ ସହ ଆପ୍

ନୂଆଦିଲ୍ଲୀ(ଏଜେନ୍ସି): ୨ଠ୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଥିବା ଆମ୍ ଆଦ୍ମୀ ପାର୍ଟି (ଆପ୍)କୁ ଆଜି ଜୋରଦାର ଝଟ୍କା ଲାଗିଛି । ଦିଲ୍ଲୀରେ ଆପ୍ ସହ ମେଣ୍ଟ କରିବାକୁ କଂଗ୍ରେସ ଆଜି ସଫାସଫା ମନା କରିଦେଇଛି । ଦିଲ୍ଲୀ କଂଗ୍ରେସ ପକ୍ଷରୁ ବସିଥିବା ଆଜିର ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଏବଂ ଦଳୀୟ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଆପ୍ ସହ ମେଣ୍ଟ ନକରିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଏସମ୍ପର୍କରେ ଶୀଲା ଗଣମାଧ୍ୟମରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ କଂଗ୍ରେସ ଆପ୍ ସହ ମେଣ୍ଟ କରିବାକୁ ଇଚ୍ଛୁକ ନୁହେଁ । ଅନ୍ୟପକ୍ଷେ କଂଗ୍ରେସର ଏପ୍ରକାର ନିଷ୍ପତ୍ତି ଉପରେ ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କଂଗ୍ରେସ ଏବଂ ବିଜେପି ମଧ୍ୟରେ ଗୁପ୍ତ ସମ୍ପର୍କ ରହିଛି । ଯେତେବେଳ ସାରା ଦେଶରେ ମୋଦି ଓ ଶାହାଙ୍କ ଯୋଡିକୁ ହରାଇବା ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି, ସେତେବେଳେ କଂଗ୍ରେସ, ବିଜେପି ବିରୋଧି ଭୋଟ୍କୁ ବାଣ୍ଟି ବିଜେପିରୁ ସାହାଯ୍ୟ କରୁଛି । ପୂର୍ବରୁ ଆପ୍ ପକ୍ଷରୁ କଂଗ୍ରେସ ସହ ମେଣ୍ଟ କରିବା ପାଇଁ ବହୁବାର ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ କଂଗ୍ରେସ ଏହା ଉପରେ କୌଣସି ସ୍ପଷ୍ଟୀକରଣ ଦିଆଯାଇନଥିଲା । ନିକଟରେ ଦିଲ୍ଲୀର ସମସ୍ତ ୭ଲୋକସଭା ଆସନରେ ଆପ୍ ଏକାକୀ ଲଢ଼ିବ ବୋଲି କୁହାଯାଇଥିଲା । ଏପରିକି ଏସବୁ ଆସନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା ହୋଇସାରିଥିଲା । ସେତେବେଳେ କଂଗ୍ରେସ ପକ୍ଷରୁ ଆପ୍ ସହ ମେଣ୍ଟ କରାଯିବା ନେଇ ଚିନ୍ତା କରାଯାଉଛି ବୋଲି କୁହାଯାଇଥିଲା । ତେବେ ରାହୁଲଙ୍କ ଉପସ୍ଥିତିରେ ବସିଥିବା ଆଜିର ଦୁଇଘଣ୍ଟିଆ ବୈଠକ ପରେ କଂଗ୍ରେସ ପକ୍ଷରୁ ଆପ୍ ସହ ମେଣ୍ଟ କରାନଯିବା ନେଇ ଘୋଷଣା କରାଯାଇଛି । ଫଳରେ ଆପ-କଂଗ୍ରେସ ମେଣ୍ଟକୁ ନେଇ ଯେଉଁ ପରିକଳ୍ପନା କରାଯାଉଥିଲା ସେସବୁ କିଛି ସ୍ପଷ୍ଟ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ