ମେହବୁବା ମୁଫ୍‌ତି ଫାରୁକ ଅବଦୁଲ୍ଲା ବନାମ ୩୭୦ ଧାରା

ପାକିସ୍ତାନ ସେମାନଙ୍କ ପାଇଁ ପ୍ରଥମ ଘର ହେଲେ, କାଶ୍ମୀର ତାଙ୍କର ଦ୍ୱିତୀୟ ଘର
ପ୍ରଦୀପ ସେନାପତି

୨୦୧୯, ଅଗଷ୍ଟ ପାଞ୍ଚତାରିଖ ଦିନ ସଂସଦରେ ଆଗତ ହୋଇଥିବା ପ୍ରସ୍ତାବ, ବହୁ ପ୍ରତୀକ୍ଷିତ ବିଳମ୍ବିତ ଓ ଉପେକ୍ଷିତ ସମ୍ବେଦନଶୀଳ ପ୍ରସଙ୍ଗ । ଜାମ୍ମୁ-କାଶ୍ମୀରରେ ଧାରା ୩୫(ଏ) ଏବଂ ଧାରା ୩୭୦ ଉଚ୍ଛେଦ ହେବା ଏକ ଐତିହାସିକ ଘୋଷଣାର ଦେଶର ଲୋକତାନ୍ତ୍ରିକ ଇତିହାସ ପାଇଁ ଏକ ସ୍ମରଣୀୟ, ଉଲ୍ଲେଖନୀୟ ଏବଂ ଏହା ଏକ ଦୃଷ୍ଟାନ୍ତଯୋଗ୍ୟ ଦୃଢ ପଦକ୍ଷେପ । ଏଥିପାଇଁ ସେଦିନ ଦେଶରେ ଖୁସିର ଲହରୀ ଏବଂ ଏଭଳି ଦୁଃସାହାସିକ ଯଥାର୍ଥ ପଦକ୍ଷେପଟି ଦେଶବାସୀଙ୍କ ହୃଦୟକୁ ମର୍ମେ ମର୍ମେ ସ୍ପର୍ଶ କରିପାରିଥିଲା । ସେହି ଦିନଠାରୁ ପାକିସ୍ତାନର ନିଦ ମଧ୍ୟ ହାଜି ଯାଇଥିବା ବେଳେ, କାଶ୍ମୀର ପାଇଁ ଦେଖୁଥିବା ଦିବାସ୍ୱପ୍ନ ମଧ୍ୟ ବାସ୍ତବରେ ଧୂଳିସାତ୍ ହୋଇଯାଇଛି । ଏଥିପାଇଁ ଏ ସମ୍ବନ୍ଧରେ ପୂର୍ବରୁ ଆଜି ପର୍ଯ୍ୟନ୍ତ ବହୁ ଅସିମାହୀନ ବିବୃତ୍ତି ଓ ଗୁରୁତ୍ୱପୂର୍ଣ୍ଣ, ଧମକପୂର୍ଣ୍ଣ ଚେତାବନୀ ସେଠାକାର ନିଜକୁ ଜନପ୍ରିୟ ନେତା ବୋଲାଉଥିବା ବ୍ୟକ୍ତିବିଶେଷମାନେ ସେମାନଙ୍କର ଚିନ୍ତାଧାରାର କୁପ୍ରଚେଷ୍ଟାରୁ ଏବେ ବି ନିବୃତ ନାହାଁନ୍ତି । ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ଫାରୁକ ଅବଦୁଲ୍ଲା ଓ ମେହବୁବା ମୁଫତି ଯେଉଁ ବୟାନ ଦେଉଛନ୍ତି ତାହା ଦେଶଦ୍ରୋହୀ ନା ଦେଶପ୍ରେମରେ ତାଙ୍କର ଏକାଗ୍ରତା କେତେ ଯେ ଭରିରହିଛି ତାର ଆନ୍ତରିକତାର ସ୍ପଷ୍ଟ ପ୍ରମାଣ ନିଜେ ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି । ଦୁଇଜଣଙ୍କ ଦୁଇପ୍ରକାର ବୟାନକୁ ନେଇ ତାର ଉତ୍ତର ସିଧାସିଧା ମୁଁ ଜଣେ କଠୋରପନ୍ଥୀ ରାଷ୍ଟ୍ରପ୍ରେମୀ ଭାବରେ ସ୍ପଷ୍ଟ କରୁଛି । ପୂର୍ବରୁ ଅବଦୁଲ୍ଳା କହିଥିଲେ ଯେ, କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀର ରାଜ୍ୟରୁ ଯଦି ୩୭୦ଧାରା ଉଚ୍ଛେଦ କରିବା ପାଇଁ ସୁଃସାହସିକ ପଦକ୍ଷେପମାନ ଗ୍ରହଣ କରନ୍ତି, ତେବେ ଜାମ୍ମୁ-କାଶ୍ମୀର ଭାରତ ଠାରୁ ଅଲଗା ହୋଇଯିବ । କେହି ଏହାକୁ ଅଟକାଇ ପାରିବେ ନାହିଁ । ୩୭୦ ଧାରା ଆଇନ ଜାମ୍ମୁ-କାଶ୍ମୀରବାସୀଙ୍କ ଭାବାବେଗ ସହିତ ଓତପ୍ରୋତଃ ଭାବରେ ହୃଦୟ ଭିତରେ ଯୋଡ଼ିହୋଇ ରହିଛି । କସ୍ମିନକାଳେ ୩୭୦ଧାରା ଉଚ୍ଛେଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଭାରତ ସରକାରଙ୍କୁ ସତର୍କତାର ସହିତ ଚରମବାଣୀ ଶୁଣାଇଥିଲେ । ଜଣେ ବରିଷ୍ଠ ନେତା ଭାବରେ ଦେଶମାତୃକା ତାଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିବା ବେଳେ କାହିଁକି, କିଭଳି ଏବଂ କେଉଁ ଚିନ୍ତାଧାରାରେ ୩୭୦ ଧାରା ତାଙ୍କୁ ବିଚଳିତ କରିଛି ତାହା ଦେଶବାସୀଙ୍କ ହୃଦୟ ଭିତରେ ସନ୍ଦେହ ପ୍ରକାଶ ପାଇବା ସ୍ୱାଭାବିକ । ବୟସାଧିକ କାରଣରୁ ବାର୍ଦ୍ଧକ୍ୟ ତାଙ୍କୁ ଗ୍ରାସ କରିଛି ନା ପାକିସ୍ତାନୀ ପୀତି ତାଙ୍କୁ ଘାରିଛି କିମ୍ବା ଏହା ତାଙ୍କର ଅପରିପକ୍ୱତାର ପରିଚୟ ତାହାର ସଠିକ୍ ଉତ୍ତର ଫାରୁକ ଅବଦୁଲ୍ଲା ହିଁ ଜାଣିଥିବେ । ଏହା ଦେଶବାସୀଙ୍କ ହୃଦୟକୁ ଗଭୀର ଭାବରେ ଆଘାତ ଦେଇଛି । ସେଥିପାଇଁ ଫାରୁକ ଅବଦୁଲ୍ଲାଙ୍କୁ ସତର୍କ କରିଦେବା ପାଇଁ ଚାହେଁ ଯେ, ଭାରତୀୟଙ୍କ ରକ୍ତର ହୋଲିରେ ଏହି ଭୂସ୍ୱର୍ଗ ଗଠିତ । ଏହା କାହାର ପୈତୃକ ସମ୍ପତ୍ତି ନୁହେଁ କି କାଶ୍ମୀର ଜନତା କାହାର ନୌକର ନୁହଁନ୍ତି । ସେହିପରି ଗତ ୨୦୨୧, ଜୁନ୍ ୨୪ ତାିରଖରେ କାଶ୍ମୀରରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ବିକାଶ ଧାରାକୁ ଯେତେ ଶୀଘ୍ର ତ୍ୱରାନ୍ୱିତ କରିବା ଏବଂ ନିର୍ବାଚନୀ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ ଡ଼ାକିଥିଲେ । ଏହି ବୈଠକରେ ମେହବୁବା ମୁଫତି ଗଣମାଧ୍ୟମକୁ ଅନ୍ୟ ଏକ ଭିନ୍ନ ବିବୃତ୍ତି ଦେଇ କହିଛନ୍ତି ଯେ, କାଶ୍ମୀରରେ ଯଦି ଶାନ୍ତି ପ୍ରତିଷ୍ଠା କରିବାକୁ ସରକାର ଚାହୁଁଛନ୍ତି, ତେବେ ପାକିସ୍ତାନ ସହିତ ଆଲୋଚନା କରିବା ଉଚିତ୍ । କିନ୍ତୁ ଗଣତନ୍ତ୍ରକୁ ସମ୍ମାନ ଦେବା ବିକାଶର ଧାରା ତାଙ୍କର ହୃଦୟ ଭିତରେ ପ୍ରତିଫଳିତ ହୋଇନଥିଲା । ତେବେ, ତାଙ୍କୁ ମଧ୍ୟ ଦେଶବାସୀଙ୍କର ହୃଦୟର ଗାଥା ତଥା ତାଙ୍କର ପ୍ରଶ୍ନର ଉତ୍ତର ତାଙ୍କରି ଭାଷାରେ ଚରମ ଚେତାବନୀ ନଦେଲେ ଦେଶମାତୃକାର ହୃଦୟକୁ ସାନ୍ତ୍ୱନା ଦେବ ନାହିଁ । ଭାରତର ସାର୍ବଭୌମତ୍ୱ ଉପରେ କାହାର କୌଣସି ଅଧିକାର ନାହିଁ ତାହା ବୋଧେ ମେହବୁବାଙ୍କୁ ଅଗୋଚର । ଯେଉଁ ଦେଶ ଗଧ ବିକି ଚଳୁଛି ଏବଂ ଗଧ ବିକି ଦେଶ ପାଇଁ ବିକାଶର ଦିବା ସ୍ୱପ୍ନ ଦେଖୁଛି, ତା ଠାରୁ ମେହବୁବା କେଉଁ ଆଶା କରି ସ୍ୱପ୍ନ ଦେଖୁଛନ୍ତି? ସେହିଦିନ ଜଣାଇଥିଲେ ଜଣେ ଦେଶପ୍ରେମୀ ଭାବରେ ପରିପକ୍ୱ ନେତ୍ରୀର ପରିଚୟ ମିଳିପାରିଥାନ୍ତା । ସେ ଦେଶ ସ୍ୱାଧୀନତା ପରଠାରୁ କେବଳ ଆତଙ୍କବାଦୀ ମାନଙ୍କର ବିକାଶର ସ୍ୱପ୍ନକୁ ସାକାର କରିବା ଛଡ଼ା ଅନ୍ୟ କୌଣସି ଲୋକାଭିମୁଖୀ ବିକାଶର ସ୍ୱପ୍ନ ଦେଖିନାହିଁ । ତାଙ୍କରି ମାଧ୍ୟମରେ ସେମାନଙ୍କୁ ପରଦା ପଛର ନାୟକ ସାଜି ଭାରତକୁ ଧ୍ୱଂସାଭିମୁଖୀ କରିବା ପାଇଁ ସର୍ବଦା ସ୍ୱପ୍ନ ଦେଖୁଛି । ଯଦି, କାଶ୍ମୀରରେ ଗଣତନ୍ତ୍ର ପ୍ରତିଷ୍ଠା ଓ ବିକାଶ ପାଇଁ ମେହବୁବାଙ୍କ ହୃଦୟ ଭିତରେ ଅଛି, ତେବେ ମେହବୁବା ଆନ୍ତରିକତାର ସହିତ ପାକିସ୍ତାନ ଅଧିକୃତ କରିଥିବା କାଶ୍ମୀର (ପି.ଓ.କେ)ରେ ଥିବା କାଶ୍ମୀର ବିଧାନସଭାର ୧୧୪ଟି ଆସନକୁ (ପି.ଓ.କେ)ରେ ଥିବା ୨୪ଟି ଆସନରେ ପ୍ରାର୍ଥୀ ଦେଇ କିପରି ନିର୍ବାଚନ କରାଯାଇ ଗଣତନ୍ତ୍ର ପ୍ରତିଷ୍ଠା ହେବ ସେଥିପାଇଁ ପାକିସ୍ତାନ ସହିତ ଆଲୋଚନା ମାଧ୍ୟମରେ ସମାଧାନ ବାଟ ବାହାର କରିବା ଜଣେ ରାଷ୍ଟ୍ରପ୍ରେମୀ ଭାବରେ ଭାରତମାତାକୁ ପରିଚୟ ଦିଅନ୍ତୁ ।
ଆମ୍ଭର ଭାରତୀୟତା, ଜାତୀୟତା, ସର୍ବଧର୍ମ ନିରପେକ୍ଷତା ବିବିଧତା ମଧ୍ୟରେ ଏକତା, ସମତା ମଧ୍ୟରେ ସମାନତା ଏହା ହିଁ ଆମ୍ଭର ଭାଇଚାରାର ସହୃଦୟତା ଭରି ରହିଥିବା ବେଳେ ଏହାକୁ ହୃଦୟଙ୍ଗମ କରି ଦିଗ୍‌ଦର୍ଶୀ ନେତା ଫାରୁକ ଅବଦୁଲ୍ଲା ଓ ମେହବୁବା ମୁଫିତ ନିଶ୍ଚିତ ଭାବରେ ପାକିସ୍ତାନକୁ ‘ପ୍ରେମର ପ୍ରେରଣା’ ଯୋଗଉଥିବାର ସୂଚନା ମିଳୁଛି । କାଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ । ସେଠାରେ ଲାଗୁ ହୋଇଥିବା ୩୭୦ ଧାରାକୁ ନେଇ ଫାରୁକ, ମୁଫିତଙ୍କର ବିରୋଧ କାହିଁକି? ଘଟଣାକ୍ରମରେ, କାଶ୍ମୀର ପୁଲୱାମା ଆକ୍ରମଣକୁ ନେଇ ଭାରତର ନିଦ ହଜାଇ ଦେଇଛି । କାଶ୍ମୀର ସମସ୍ୟାକୁ ନେଇ ପାକିସ୍ତାନ ସହିତ ଅନେକଥର ମୁହାଁମୁହିଁ ହୋଇଥିବା ଭାରତ ଏବେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଏହି ରାଷ୍ଟ୍ରକୁ କଡ଼ା ଜବାବ ଦେବାକୁ ଯୋଜନା କରିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଇତିମଧ୍ୟରେ ବ୍ୟାପକ କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରିଛନ୍ତି । ମାତ୍ର ଯେ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରର ୩୭୦ଧାରା ଉଚ୍ଛେଦ ନହୋଇଥିଲା, ସେ ପର୍ଯ୍ୟନ୍ତ ସମସ୍ତ ଉଦ୍ୟମ ବୃଥା ଯିବା ମନେ ହେଉଥିଲା । କାରଣ ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଇଥିବା ଏହି ଧାରା ବସ୍ତୁତଃ କାଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ ହେବା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଥିଲା । ଧାରା ୩୭୦ କାରଣରୁ କାଶ୍ମୀର ଉପରେ ଭାରତର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନାହିଁ । ଭାରତ କହିଲେ ସାଧାରଣତଃ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭୂଖଣ୍ଡକୁ ବୁଝାଯାଏ । ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଅଖଣ୍ଡ ଭାରତବର୍ଷ ଗଠିତ । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭାରତୀୟ ସମ୍ବିଧାନର ବିଧିବ୍ୟବସ୍ଥା ପ୍ରଚଳିତ । ସାମ୍ବିଧାନିକ ନିୟମ ଅନୁସାରେ କେତେକ ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇଛି । ମାତ୍ର ଏହି ସ୍ୱତନ୍ତ୍ର ରାଜ୍ୟ ଗୁଡ଼ିକ ଠାରୁ କାଶ୍ମୀର ସମ୍ପୂର୍ଣ୍ଣ ଭିନ୍ନ । ସମଗ୍ର ଭାରତକୁ ଗୋଟିଏ ସୂତ୍ରରେ ବାନ୍ଧିବା ନେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଜାମ୍ମୁ-କାଶ୍ମୀର ଭାରତରେ ସମ୍ମିଳିତ ହୋଇ ମଧ୍ୟ କାହିଁକି ସ୍ୱତନ୍ତ୍ର ମାନ୍ୟତା ଲାଭ କଲା? କାହିଁକି ଏହା ଉପରେ ଭାରତର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନାହିଁ? ଧାରା ୩୭୦ କ’ଣ? ତଥା ତାହାକୁ ବିରୋଧ କରାଯିବାର କାରଣ କ’ଣ?
ଭାରତୀୟ ସମ୍ବିଧାନରେ ଭାଗ ୨୧ରେ ଜାମ୍ମୁ-କାଶ୍ମୀର ସମ୍ବନ୍ଧରେ ଅସ୍ଥାୟୀ ପ୍ରାବଧାନ ଭାବେ ଧାରା ୩୭୦ ସ୍ଥାନ ପାଇଛି । ଅସ୍ଥାୟୀ ପରିବର୍ତ୍ତନୀୟ ଏବଂ ବିଶେଷ ବ୍ୟବସ୍ଥା ଭାବେ ଏହାକୁ ସମ୍ବିଧାନରେ ଉଲ୍ଲେଖ କରାଯାଇଛି । ଏହି ଧାରା ଜାମ୍ମୁ-କାଶ୍ମୀରକୁ ଅନ୍ୟ ରାଜ୍ୟ ତୁଳନାରେ ବିଶେଷ ଅଧିକାର ପ୍ରଦାନ କରିଛି । ଏଣୁ ଭାରତର ଅନ୍ୟ ରାଜ୍ୟ ତୁଳନାରେ ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ଅଧିକାର ମିଳିଛି । ନେହେରୁଙ୍କ ବିଶେଷ ହସ୍ତକ୍ଷେପ ଦ୍ୱାରା ଧାରା ୩୭୦ ପ୍ରସ୍ତୁତ ହୋଇଥିଲା । ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ହୋଇଥିବାରୁ ସମୟକ୍ରମେ ଏଥିରେ ପରିବର୍ତ୍ତନ କରାଯିବା କଥା । ମାତ୍ର ତାହା କରାଯାଇ ନାହିଁ । ଅନ୍ୟପଟେ ଏହି ଧାରା କାରଣରୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀମାନେ ଅତ୍ୟଧିକ କ୍ଷମତା ଲାଭ କରିଛନ୍ତି ଓ ଘାଟିରେ ଅଶାନ୍ତି ଲାଗି ରହିଛି ବୋଲି ବିଶ୍ୱ ସମୁଦାୟ ଜାଣେ । ପୁଲୱାମା ଆତ୍ମଘାତି ଆକ୍ରମଣରେ ୪୧ଜଣ ଯବାନ ଶହୀଦ ହେବା ପରେ ଏହି ଧାରା ଉଠେଇବାକୁ ଦେଶବାସୀଙ୍କ ଦାବି ଜୋର ଧରିଛି । ଧାରା ୩୭୦ ଅନୁସାରେ ଅନ୍ୟ ରାଜ୍ୟରେ ଲାଗୁ ହୋଇଥିବା ଆଇନ୍ ଜାମ୍ମୁ-କାଶ୍ମୀରରେ ଲାଗୁ ହେବନାହିଁ । ଉଦାହରଣସ୍ୱରୂପ, ୧୯୬୫ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ସ୍ଥାନରେ ‘ସଦର-ଏ-ରିଆସତ’ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ଦେଉଥିଲେ । ଭାରତର ସଂସଦ ଜାମ୍ମୁ-କାଶ୍ମୀର ପାଇଁ ପ୍ରତିରକ୍ଷା, ବୈଦେଶିକ ପ୍ରସଙ୍ଗ ତଥା ଯୋଗାଯୋଗ ଛଡ଼ା ଅନ୍ୟ କୌଣସି କ୍ଷେତ୍ର ଲାଗି ଆଇନ୍ ପ୍ରସ୍ତୁତ କରିପାରିବ ନାହିଁ । ଏଥି ନିମନ୍ତେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ସହମତି ନେବାକୁ ପଡ଼ିବ । ଜାମ୍ମୁ-କାଶ୍ମୀରରେ (ଧାରା ୩୫୬) ଲାଗୁ ହେବ ନାହିଁ । ରାଜ୍ୟର ସମ୍ବିଧାନ ବରଖାସ୍ତ କରିବା ନେଇ ରାଷ୍ଟ୍ରପତିଙ୍କ ନିକଟରେ ଅଧିକାର ନାହିଁ । ୧୯୭୬ର ସହରାଞ୍ଚଳ ଭୂମି ଆଇନ ମଧ୍ୟ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ନାହିଁ । ଭାରତର ଅନ୍ୟ କୌଣସିି ରାଜ୍ୟର ଲୋକମାନେ ଜାମ୍ମୁ-କାଶ୍ମୀରରେ ଜମି କ୍ରୟ କରିପାରିବେ ନାହିଁ । ଅଧିକ ଜରୁରୀ ପରିସ୍ଥିତି ସମ୍ବନ୍ଧୀୟ ‘ଧାରା ୩୬୦’ ଏହି ରାଜ୍ୟରେ ଲାଗୁ କରିପାରିବ ନାହିଁ । ଏହି ଧାରା ଯୋଗୁଁ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରୀୟ ପତାକା ଭିନ୍ନ ରହିଛି । ଜାମ୍ମୁ-କାଶ୍ମୀର ନାଗରିକଙ୍କ ନିକଟରେ ଦୁଇଟି ନାଗରିକତା ରହିଛି । ଅନ୍ୟ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ୫ବର୍ଷ ହୋଇଥିବା ବେଳେ, ଜାମ୍ମୁ-କାଶ୍ମୀର ବିଧାନସଭା କାର୍ଯ୍ୟକାଳ ୬ ବର୍ଷ ଅଟେ । ସେଠାରେ ଭାରତୀୟ ରାଷ୍ଟ୍ରୀୟ ଧ୍ୱଜା କିମ୍ବା ରାଷ୍ଟ୍ରୀୟ ପ୍ରତୀକର ଅପମାନ ଅପରାଧ ନୁହେଁ । ଏଠାରେ ଭାରତର ସର୍ବୋଚ୍ଚ ଅଦାଲତର ନିର୍ଦ୍ଦେଶକୁ ପାଳନ କରାଯିବ ନାହିଁ । କାଶ୍ମୀରର କୌଣସି ଝିଅ ଯଦି ଭାରତର ଅନ୍ୟ କୌଣସି ରାଜ୍ୟର ବ୍ୟକ୍ତିଙ୍କୁ ବିବାହ କରନ୍ତି, ତେବେ ତାଙ୍କ ନାଗରିକତ୍ୱ ସମାପ୍ତ ହେବ । କିନ୍ତୁ ଯଦି କାଶ୍ମୀର ଯୁବତୀ ପାକିସ୍ତାନର କୌଣସି ପୁରୁଷଙ୍କୁ ବିବାହ କରନ୍ତି ତା’ହେଲେ ତାଙ୍କ ସ୍ୱାମୀଙ୍କୁ ଜାମ୍ମୁ-କାଶ୍ମୀରର ନାଗରିକତା ମିଳିବ । ଧାରା ୩୭୦ ଯୋଗୁଁ କାଶ୍ମୀରରେ ରହୁଥିବା ପାକିସ୍ତାନୀ ମାନଙ୍କୁ ନାଗରିକତା ମିଳିଯାଏ । ଜାମ୍ମୁ-କାଶ୍ମୀର ମହିଳାଙ୍କ ଉପରେ ସରିୟତ ଆଇନ୍ ଲାଗୁହୁଏ । ଜାମ୍ମୁ-କାଶ୍ମୀରରେ ପଞ୍ଚାୟତ ନିକଟରେ କୌଣସି ଅଧିକାର ନାହିଁ । ସେଠାରେ ଶିକ୍ଷା ଅଧିକାର (ଆରଟିଇ) ଓ ସିଏଜି ଲାଗୁ ହୁଏନାହିଁ । ସେଠାରେ କାମ କରୁଥିବା ଚପରାଶି ମାନଙ୍କୁ ଏବେବି ୨୫୦୦ ଟଙ୍କା ବେତନ ମିଳେ । କାଶ୍ମୀର ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ୍‌ମାନଙ୍କୁ ୧୬% ସଂରକ୍ଷଣ ବ୍ୟବସ୍ଥାର ସୁବିଧା ମିଳେନାହିଁ ।
ଭାରତ ଓ ପାକିସ୍ତାନ ବ୍ରିଟିଶ ଶାସନ ମୁକ୍ତ ହେବା ତଥା ବିଭାଜନ ପରେ ଏଗୁଡ଼ିକ ମଧ୍ୟରୁ କାହା ସହିତ ସମ୍ମିଳିତ ନହେବାକୁ ଜାମ୍ମୁ-କାଶ୍ମୀର ରାଜା ‘ହରି ସିଂ’ ନିଷ୍ପତ୍ତି ନେଇଥିଲେ । ଜାମ୍ମୁ-କାଶ୍ମୀରକୁ ସେ ସ୍ୱତନ୍ତ୍ର ରାଷ୍ଟ୍ର କରିବାକୁ ଚାହୁଁଥିଲେ । କିନ୍ତୁ ୧୯୪୭ ମସିହା ଅକ୍ଟୋବର ୨୨ରେ କାଶ୍ମୀର ଦଖଲ କରିବା ଉଦ୍ଦେଶ୍ୟରେ ପାକିସ୍ତାନ ସେନାବାହିନୀ ଉତ୍ତରପଟୁ ଆକ୍ରମଣ କରିଥିଲା । ମୁଜାଫରବାଦ ଓ ମୀରପୁର ପାକିସ୍ତାନ କବ୍‌ଜା କରିନେଲେ । ଫଳରେ ମହାରାଜ ହରି ସିଂ ବାଧ୍ୟ ହୋଇ ଭାରତର ସହାୟତା ଲୋଡ଼ିଥିଲେ । ନେହେରୁ ଭାରତ ସହିତ ଜାମ୍ମୁ-କାଶ୍ମୀରର ବିଲୟ ନେଇ ତାଙ୍କ ନିକଟରେ ସର୍ତ୍ତ ରଖିଥିଲେ ଏବଂ ବାଧ୍ୟ ବାଧ୍ୟକତାରେ ମଧ୍ୟ ହରି ସିଂ ରାଜି ହୋଇଗଲେ । ଏଥିନେଇ ୧୯୪୭ ଅକ୍ଟୋବରରେ ମହାରାଜା ହରି ସିଂ ଓ ନେହେରୁଙ୍କ ମଧ୍ୟରେ ବିଲୟର ସନନ୍ଦ (ଇନ୍‌ଷ୍ଟ୍ରୁମେଣ୍ଟ ଅଫ୍ ଆସେସସନ) ସ୍ୱାକ୍ଷର ହେଲା । ସେହି ସନନ୍ଦ ଅଧୀନରେ ଜାମ୍ମୁ-କାଶ୍ମୀର କେବଳ ପ୍ରତିରକ୍ଷା ବୈଦେଶିକ ବ୍ୟାପାର ଓ ଭାରତୀୟ ରାଜ୍ୟଗୁଡ଼ିକ ସହିତ ଯୋଗାଯୋଗ କ୍ଷେତ୍ରରେ ହିଁ ଭାରତର ହସ୍ତକ୍ଷେପ ପାଇଁ ରାଜି ହୋଇଥିଲେ । ପ୍ରତିବଦଳରେ ଜାମ୍ମୁ-କାଶ୍ମୀରବାସୀ ନିଜର ସାମ୍ବିଧାନିକ ସଭାରେ ସେମାନଙ୍କର ସମ୍ବିଧାନ ପ୍ରସ୍ତୁତ କରିବେ ବୋଲି ରାଜା ଭାରତ ଠାରୁ ଭରଷା ପାଇଥିଳେ । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କାଏମ ରଖିବା ଲାଗି ମଧ୍ୟ ଉକ୍ତ ସନନ୍ଦରେ କିଛି ବିଶେଷ ବ୍ୟବସ୍ଥା କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ଯେପର୍ଯ୍ୟନ୍ତ ସେ (ମହାରାଜା) କୌଣସି ସଂଶୋଧନକୁ ସ୍ୱୀକାର କରିନାହାଁନ୍ତି କିମ୍ବା ଏହା ପ୍ରତିବଦଳରେ କୌଣସି ଅନୁପୂରକ ସାଧନା ଅଣା ନଯାଇଛି ସେଯାଏଁ ଏହି ‘ଇନ୍‌ଷ୍ଟ୍ରୁମେଣ୍ଟ ଅଫ୍ ଆସେସନ’କୁ ଭାରତୀୟ ସ୍ୱାଧୀନତା ଆଇନ୍‌-୧୯୪୭ କିମ୍ବା ଅନ୍ୟ କୌଣସି ଆଇନ୍‌ରେ ସଂଶୋଧନ ଦ୍ୱାରା ପରିବର୍ତ୍ତନ କରାଯାଇ ପାରିବ ନାହିଁ ।
୧୯୪୮ ମାର୍ଚ୍ଚରେ ଶେଖ ଅବଦୁଲ୍ଲା ଜାମ୍ମୁ-କାଶ୍ମୀରର ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିଲେ । ତାଙ୍କୁ ଜାମ୍ମୁ-କାଶ୍ମୀରର ତତ୍କାଳୀନ ମହାରାଜା ହରି ସିଂହ ଓ ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରାୁ ରାଜ୍ୟର ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ । ଧାରା ୩୭୦କୁ ଭାରତୀୟ ସମ୍ବିଧାନରେ ଅସ୍ଥାୟୀ ଭାବେ ସାମିଲ୍ କରିବା ପ୍ରସ୍ତାବକୁ ସେକ୍ ଅବଦୁଲ୍ଲା ବିରୋଧ କରିବା ସହିତ ରାଜ୍ୟ ପାଇଁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତା ଦାବି କରିଥିଲେ । ସ୍ୱାଧୀନ କାଶ୍ମୀରର ଶାସକ ହେବାର ଅଭିଳାଷରେ ଥିବା ତଥା ମହାରାଜ ସିଂହଙ୍କୁ ବିରୋଧ କରୁଥିବା ଅବଦୁଲ୍ଲା ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବା ନେଇ ନେହେରୁଙ୍କୁ ରାଜି କରାଇଥିଲେ । ପାକିସ୍ତାନ ଜାମ୍ମୁ-କାଶ୍ମୀରର ଏକ ତୃତୀୟାଂଶ କ୍ଷେତ୍ର ଅକ୍ତିଆର କରିଥିବା ଜାତିସଂଘର ସନ୍ଦର୍ଭ ଏବଂ ଜନମତ ସଂଗ୍ରହ ଭଳି କେତେକ ଆଳ ଦେଖାଇ ସେ ଏଥିରେ ସଫଳ ହୋଇଥିଲେ । ବହୁ ବିବାଦ ପରେ ରାଷ୍ଟ୍ରୀୟ ସମ୍ବିଧାନ ସଭା ନିଷ୍ପତ୍ତି ନେଇଥିଲା ଯେ ସମ୍ବିଧାନର ଅନୁଚ୍ଛେଦ-୧ ଅନୁସାରେ ଜାମ୍ମୁ-କାଶ୍ମୀର ଭାରତର ଅଂଶ ହେବ; କିନ୍ତୁ ଧାରା ୩୭୦ ଅନୁସାରେ ହେବାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ । ଧାରା ୩୭୦ରେ କ’ଣ ଉଲ୍ଲେଖ ରହିବ ତାହା ଚୂଡ଼ାନ୍ତ କଲେ ଅବଦୁଲ୍ଲା ଓ ନେହେରୁ । କିନ୍ତୁ ଭାରତୀୟ ସମ୍ବିଧାନ ପ୍ରସ୍ତୁତକାରୀ ଡକ୍ଟର ଭୀମରାଓ ଆମ୍ବେଦକର ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ସପକ୍ଷରେ ନଥିଲେ । ତେଣୁ ନେହେରୁ ଜଣେ ମନ୍ତ୍ରୀ ତଥା ଆଇଏଏସ୍ ଗୋପାଳସ୍ୱାମୀ ଆୟାଙ୍ଗରଙ୍କ ସହାୟତା ଲୋଡ଼ିଥିଲେ । ଏହି ଘଟଣାକୁ ନେଇ ପଟେଲ ୧୯୪୭ ଡ଼ିସେମ୍ବର ୨୭ରେ ନେହେରୁଙ୍କୁ ପ୍ରଶ୍ନ କରିଥିଲେ । ନେହେରୁ କହିଥିଲେ କାଶ୍ମୀର ପ୍ରସଙ୍ଗରେ ସହଯୋଗ କରିବାକୁ ଗୋପାଳ ସ୍ୱାମୀଙ୍କୁ ସ୍ୱତନ୍ତ୍ର ଭାବେ କୁହାଯାଇଥିଲା । କାଶ୍ମୀର ସମ୍ବନ୍ଧରେ ତାଙ୍କର ଅଧିକ ଜ୍ଞାନ ଏବଂ ଅଭିଜ୍ଞତା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ତାଙ୍କୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତା ଦେବାର ଆବଶ୍ୟକତା ଥିଲା । ଏ ସମ୍ବନ୍ଧରେ କେବଳ ସୂଚନା ରଖିବା ଭଳି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନ୍ୟ କିଛି କାର୍ଯ୍ୟ ନାହିଁ ବୋଲି ନେହେରୁ ଦର୍ଶାଇଥିଲେ । ଏହି ଘଟଣାକୁ ନେଇ କ୍ଷୁବ୍ଧ ପଟେଲ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସରକାରର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ମନୋମାଳିନ୍ୟ କଥା ମହାତ୍ମା ଗାନ୍ଧୀଙ୍କ ନିକଟରେ ପହଞ୍ôଚଲା । ଏହି ସମୟରେ ପଟେଲଙ୍କ ବ୍ୟକ୍ତିଗତ ସଚିବ ଥିଲେ ଆଇ.ଏ.ଏସ୍ ଭି. ଶଙ୍କର । ସେ ଏହି ସମସ୍ତ ତଥ୍ୟ ରେକର୍ଡ଼ କରିଥିଲେ । ତାଙ୍କ ରେକର୍ଡ଼ ଅନୁସାରେ ପଟେଲଙ୍କୁ ସୂଚିତ ନକରି ଅବଦୁଲ୍ଲାଙ୍କ ସହିତ ମିଶି ନେହେରୁ ଧାରା ୩୭୦ ଚୂଡ଼ାନ୍ତ କରିଥିଲେ । । ପରେ ଗୋପାଳସ୍ୱାମୀଙ୍କ ସହିତ ମିଶି ଏହି ସମ୍ବନ୍ଧୀୟ ପ୍ରସ୍ତାବ ସାମ୍ବିଧାନିକ ସଭାରେ ଗୃହିତ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ସାମ୍ବିଧାନିକ ସଭା ଓ କଂଗ୍ରେସ ପାର୍ଟି କାର୍ଯ୍ୟନିର୍ବାହୀଙ୍କ ମଧ୍ୟରେ ଏହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇବାରୁ ଧାରାଟି ଗୃହିତ ହୋଇପାରି ନଥିଲା । ତତ୍‌ସମୟରେ ବିଦେଶରେ ଥିବା ନେହେରୁ ନିଜର ଅହଂଭାବକୁ ଦବାଇ ପଟେଲଙ୍କ ସହାୟତା ଲୋଡ଼ିଥିଲେ । ନିଜର ଓ ଅନ୍ୟମାନଙ୍କ ସନ୍ଦେହ ସତ୍ତ୍ୱେ ସାମ୍ବିଧାନିକ ସଭାରେ ଧାରା ୩୭୦ ପ୍ରସ୍ତାବ ଗୃହିତ କରାଇବାକୁ ପଟେଲଙ୍କୁ ସେ ନିବେଦନ କରିଥିଲେ । ପଟେଲ ଉଭୟ ପକ୍ଷଙ୍କୁ ସହମତ କରିବାରେ ସଫଳ ହୋଇଥିଲେ । ଅବଶ୍ୟ ଏ ନେଇ ଅନୁଷ୍ଠିତ ବୈଠକରେ ଅଦ୍ଭୁତପୂର୍ବ ହଟ୍ଟଗୋଳ ହୋଇଥିଲା, କିନ୍ତୁ ପଟେଲ ଯେତେବେଳେ ଧାରାଟିକୁ ପାରିତ କରିବାର ଦାୟିତ୍ୱ ନେଲେ ସମସ୍ତ ବିରୋଧି ନୀରବ ହୋଇଯାଇଥିଲେ । ପଟେଲଙ୍କ ଦେହାନ୍ତ ପରେ ୧୯୫୨ ଜୁଲାଇ ୨୪ରେ ନେହେରୁ ସଂସଦରେ କାଶ୍ମୀର ପ୍ରସଙ୍ଗରେ ବିବୃତ୍ତି ଦେଇଥିଲେ । ଏହି ପ୍ରସଙ୍ଗ ସହିତ ପଟେଲ ସବୁ ସମୟରେ ଜଡିତ ଥିଲେ ବୋଲି ସେ ଦର୍ଶାଇଥିଲେ । ତାଙ୍କର ଏହି ମିଛକୁ ନେଇ ଆୟାଙ୍ଗର ମଧ୍ୟ ନିରାଶ ହୋଇଥିଲେ । ନିଜର ଉତ୍ତମ ନିଷ୍ପତ୍ତି ପରିବର୍ତ୍ତେ ନେହେରୁଙ୍କ ଦୃଷ୍ଟିକୋଣକୁ ପ୍ରାଧାନ୍ୟ ଦେଇ ପଟେଲ ଯେଉଁ ଉଦାରତା ଦେଖାଇଥିଲେ ସେଥିପ୍ରତି ନେହେରୁଙ୍କ ଏହି ମିଛ ଅତି ବିଷମ ପ୍ରତିଦାନ ବୋଲି ଭି. ଶଙ୍କର ତାଙ୍କ ରେକର୍ଡ଼ରେ ଉଲ୍ଲେଖ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୮ରେ ସୁପ୍ରିମକୋର୍ଟ ଧାରା ୩୭୦ ସମ୍ବନ୍ଧରେ କହିଥିଲେ, ବହୁବର୍ଷ ଧରି ପ୍ରଚଳିତ ଥିବା କାରଣରୁ ଏହା ଏକ ସ୍ଥାୟୀ ପ୍ରାବଧାନ ପାଲଟିଛି ଯଦ୍ୱାରା ଏହାକୁ ଉଚ୍ଛେଦ କରିବା ଅସମ୍ଭବ ହୋଇପଡ଼ିଛି । ଅବଶ୍ୟ ଏ ସମ୍ବନ୍ଧୀୟ ଆବେଦନ ଉପରେ ଶୁଣାଣି ନିମନ୍ତେ ଏବେ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି । ୨୦୧୮ ସେପ୍ଟେମ୍ବରରେ ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏହି ଆବେଦନ କରିଥିଲେ । ଏଥିରେ ଦର୍ଶାଯାଇଛି ଯେ, ସମ୍ବିଧାନର ଭାଗ ୨୧ରେ ଏହି ଧାରାକୁ ଏକ ଅସ୍ଥାୟୀ ପ୍ରାବଧାନ ଭାବେ ଉଲ୍ଲେଖ କରାଯାଇଛି । ଏଣୁ ଏହା ସ୍ଥାୟୀ ନୁହେଁ । ଧାରା ୩୭୦ ଜାମ୍ମୁ-କାଶ୍ମୀର ସମ୍ବିଧାନ ସଭା ଦ୍ୱାରା ବର୍ଷ ୧୯୫୧ ଓ ୧୯୫୬ ମଧ୍ୟରେ ପ୍ରସ୍ତୁତ କରାଯାଇଛି । ଭାରତରେ ରାଜ୍ୟର ବିଲୟ ପ୍ରକ୍ରିୟା ପୂରଣ ହୋଇ ସାରିଥିବା ଦର୍ଶାଇ ୧୯୫୭ ଜାନୁୟାରୀରେ ଏହି ସଭା ଭାଙ୍ଗି ଦିଆଯାଇଥିଲା । ଏଥି ସହିତ ଧାରା ୩୭୦ ମଧ୍ୟ ସମାପ୍ତ ହୋଇଯିବା ଉଚିତ ।
ଅନୁଚ୍ଛେଦ-୧୫ଏ : ଭାରତୀୟ ସମ୍ବିଧାନ ଧାରା ୩୭୦ର ଏକ ଅଂଶ ହେଉଛି ଅନୁଚ୍ଛେଦ ୩୫(ଏ) । ୧୯୫୪ ମେ ୧୪ ଭାରତର ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ସ୍ୱୀକୃତି କ୍ରମେ ସମ୍ବିଧାନରେ ଅନୁଚ୍ଛେଦ ୩୫(ଏ) ସାମିଲ କରାଯାଇଥିଲା । ଏହି ଅନୁଚ୍ଛେଦ ୩୫(ଏ) ଜାମ୍ମୁ-କାଶ୍ମୀରର ବିଧାନସଭାକୁ ରାଜ୍ୟର ସ୍ଥାୟୀ ନାଗରିକର ସଂଜ୍ଞା ନିର୍ଣ୍ଣୟ କରିବାର ଅଧିକାର ପ୍ରଦାନ କରିଛି । ଅର୍ଥାତ ସ୍ୱାଧୀନତା ସମୟରେ ଅନ୍ୟ ସ୍ଥାନରୁ ଆସିଥିବା ଶରଣାର୍ଥୀ ଅଥବା ଭାରତର ନାଗରିକଙ୍କୁ ଜାମ୍ମୁ-କାଶ୍ମୀରର ନାଗରିକତ୍ୱ ପ୍ରଦାନ କରିବେ କି ନାହିଁ ତାହା ସେଠାକାର ବିଧାନସଭା ନିର୍ଣ୍ଣୟ କରିବ । ଜାମ୍ମୁ-କାଶ୍ମୀରର ସମ୍ବିଧାନ ୧୯୫୬ରେ ପ୍ରସ୍ତୁତ କରାଯାଇଥିଲା । ଏଥିରେ ସ୍ଥାୟୀ ନାଗରିକର ସଂଜ୍ଞା ନିର୍ଦ୍ଧାରଣ କରାଯାଇଥିଲା । ଏଥି ଅନୁସାରେ ଯେଉଁ ବ୍ୟକ୍ତି ୧୯୫୪ ମାର୍ଚ୍ଚ ୧୪ ସୁଦ୍ଧା ରାଜ୍ୟର ନାଗରିକ ଥିବେ ଅଥବା ତାହାର ୧୦ ବର୍ଷ ପୂର୍ବରୁ ରାଜ୍ୟରେ ବସବାସ କରୁଥିବେ ଏବଂ ସେଠାରେ ସମ୍ପତ୍ତି କରିଥିବେ, ସେମାନେ ରାଜ୍ୟର ନାଗରିକ ହୋଇପାରିବେ । ଅନୁଚ୍ଛେଦ ୩୫(ଏ) ଧାରା ଭାରତୀୟ ସମ୍ବିଧାନର ୩୭୦ର ଏକ ଅଂଶ ହୋଇଥିବାରୁ ଏହି ଧାରା ଅନୁସାରେ ଅନ୍ୟ ରାଜ୍ୟର କୌଣସି ଲୋକ ଜାମ୍ମୁ-କାଶ୍ମୀରରେ ଜମି କ୍ରୟ କରିପାରିବେ ନାହିଁ କିମ୍ବା ସେଠାକାର ସ୍ଥାୟୀ ବାସିନ୍ଦା ଭାବେ ରହିପାରିବେ ନାହିଁ । ଯଦି ରାଜ୍ୟର କୌଣସି ଯୁବତୀ ରାଜ୍ୟ ବାହାରର କୌଣସି ଯୁବକଙ୍କୁ ବିବାହ କରନ୍ତି, ତା’ହେଲେ ତାଙ୍କର ନାଗରିକ ଅଧିକାର ଶେଷ ହୋଇଯିବ । ଏପରିକି ସେମାନଙ୍କ ସନ୍ତାନ ମଧ୍ୟ ଅଧିକାର ହରାଇବେ ।
ସାଧାରଣତଃ କୌଣସି ଆଇନ ଆଣିବା ଲାଗି ସର୍ବପ୍ରଥମେ ସଂସଦରେ ବିଧେୟକ ଅଣାଯାଏ । ସଂସଦର ଉଭୟ ସଦନରେ ତାହା ପାରିତ ହେବା ପରେ ରାଷ୍ଟ୍ରପତି ସ୍ୱିକୃତି ପାଇଁ ତାହାକୁ ପଠାଯାଏ । ରାଷ୍ଟ୍ରପତି ମୋହର ମାରିବା ପରେ ବିଧେୟକ ଆଇନରେ ପରିଣତ ହୁଏ । କିନ୍ତୁ ସମ୍ବିଧାନରେ ଅନୁଚ୍ଛେଦ ୩୫(ଏ) ସାମିଲ କରିବା ନେଇ ସେଭଳି କୌଣସି ପ୍ରକ୍ରିୟା ଅବଲମ୍ବନ କରାଯାଇ ନଥିଲା । ଅନ୍ୟପଟେ ବିଭାଜନ ସମୟରେ ପାକିସ୍ତାନରୁ ବହୁ ସଂଖ୍ୟକ ହିନ୍ଦୁ ଭାରତ ଚାଲି ଆସିଥିଲେ । ସେମାନଙ୍କ ମଧ୍ୟରୁ ଲକ୍ଷାଧିକ ଶରଣାର୍ଥୀ ଜାମ୍ମୁ-କାଶ୍ମୀରରେ ରହି ଯାଇଥିଲେ । ମାତ୍ର ସରକାର ଅନୁଚ୍ଛେଦ ୩୫(ଏ) କାର୍ଯ୍ୟକାରୀ କରିବା ଦ୍ୱାରା ଏହି ଶରଣାର୍ଥୀମାନେ ରାଜ୍ୟର ସ୍ଥାୟୀ ନିବାସୀ ପ୍ରମାଣପତ୍ର ପାଇବାରୁ ବଞ୍ôଚତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୮୦% ପଛୁଆବର୍ଗ ତଥା ଦଳିତ ହିନ୍ଦୁ ଅଟନ୍ତି । ଏଥିସହ ଅନୁଚ୍ଛେଦ ୩୫(ଏ) ବିବାହ ପରେ ଜାମ୍ମୁ-କାଶ୍ମୀରରେ ବାସ କରୁଥିବା ମହିଳା ତଥା ଦେଶର ଅନ୍ୟ ନାଗରିକମାନଙ୍କ ପ୍ରତି ଭେଦଭାବ କରୁଥିବା ଅଭିଯୋଗ ହେଉଛି ।
ଏ ସବୁକୁ ବିଚାର କଲେ ଦେଶର ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିକୋଣରୁ ୩୭୦ ଧାରା ଉଚ୍ଛେଦ ହେବା ଜରୁରୀ ହୋଇପଡ଼ିଛି । ଦେଶର ଏକତା, ଅଖଣ୍ଡତା, ସଂହତି ଏବଂ ଜାମ୍ମୁ-କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା, ଗଣତନ୍ତ୍ର ପ୍ରତିଷ୍ଠା ଓ ସାମୂହିକ ବିକାଶ ପାଇଁ ଫାରୁକ ଅବଦୁଲ୍ଲା ଏବଂ ମେହବୁବା ମୁଫିତ ଆନ୍ତରିକତାର ସହିତ ହୃଦୟଙ୍ଗମ କରିବା ନିତାନ୍ତ ଆବଶ୍ୟକ । ନଚେତ ଦେଶବାସୀଙ୍କ ପାଖରେ ଘୃଣାର ପରିଚୟ ସୃଷ୍ଟି କରିବା ସହିତ ଦେଶଦ୍ରୋହୀର ଆଖ୍ୟା ପାଇବା ପାଇଁ ସେ ଉପଯୁକ୍ତ ନୁହଁନ୍ତି କି? ସେମାନଙ୍କ ଆଚରଣ ଓ ଉଚ୍ଚାରଣରୁ ଜଣାପଡୁଛି ପାକିସ୍ତାନ ସେମାନଙ୍କର ପ୍ରଥମ ଘର ହୋଇଥିବା ବେଳେ କାଶ୍ମୀର ହେଉଛି ଦ୍ୱିତୀୟ ଘର । ତେଣୁ ବିଚ୍ଛିନ୍ନତାବାଦୀର ପରିଚୟ ନଦେଇ ଦେଶପ୍ରେମରେ ଅଗ୍ରସର ହୁଅନ୍ତୁ । ନଚେତ ଭବିଷ୍ୟତରେ କାଶ୍ମୀରବାସୀ ଅଲଗା କରି ଦରକାର ପଡ଼ିଲେ ପାକିସ୍ତାନକୁ ବିଦାୟ କରିଦେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।

ରାଜ୍ୟ ସଭାପତି, ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ
ଜିଲ୍ଲାପାଳ ରୋଡ଼ ଭଦ୍ରକ ଏବଂ କଠୋରପନ୍ଥୀ ଦେଶଭକ୍ତ
ଏହି ଲେଖାଟିରେ ଲେଖକ ଉତ୍ତରଦାୟୀ ରହିବେ ।
ମୋ : ୯୪୩୮୪୪୬୫୭୫

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ