ମେ’୩ ପରେ ବିମାନ, ଟ୍ରେନ ଚାଲିବା ଆଶା କ୍ଷୀଣ

ନୂଆଦିଲ୍ଲୀ: କରୋନା ଭୂତାଣୁ ମୁକାବିଲା ଲାଗି ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ସରକାର ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହା ପରେ ଟ୍ରେନ ଚଳାଚଳ ଓ ବିମାନ ଉଡାଣ ସ୍ୱାଭାବିକ ହୋଇଯିବ ବୋଲି ଆଶା କରାଯାଉଥିଲା । ସେହି ଭାବନା ରଖି ବିମାନ କମ୍ପାନୀ ଗୁଡ଼ିକୁ ବୁକିଙ୍ଗ ଗ୍ରହଣ କରିବା ଆରମ୍ଭ କରିଥିଳେ । ମେ’୩ ପରବର୍ତ୍ତୀ ସମୟ ପାଇଁ ବୁକିଙ୍ଗ ଗ୍ରହଣ କରାଯିବ ବୋଲି ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ କହିଥିଲା । ଏହାର ଗୋଟିଏ ଦିନ ବିତି ନଥିବା ବେଳେ ବୁକିଙ୍ଗ ଗ୍ରହଣ ନ କରିବାକୁ ରବିବାର କମ୍ପାନୀଗୁଡ଼ିକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ପରାମର୍ଶ ଦେଇଛନ୍ତି । ଦେଶ ଭିତରେ ଓ ଆନ୍ତର୍ଜାତିକ ବିମାନ ଉଡ଼ାଣ ଆରମ୍ଭ କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ ବୋଲି ସେ କହିଛନ୍ତି । ସରକାରୀ ନିଷ୍ପତ୍ତି ନେବା ପରେ ବିମାନ କମ୍ପାନୀ ଗୁଡ଼ିକ ବୁକିଙ୍ଗ ଆରମ୍ଭ କରିବା ଦରକାର ବୋଲି ସେ କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ ବିମାନ ଓ ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି । ଦିନେ ନା ଦିନେ ଏହା ଚାଲିବ । କିନ୍ତୁ ସେହି ଦିନଟି କେବେ ଆସିବ ତାହାଏବେଠାରୁ କହିବା କଷ୍ଟକର ବୋଲି ସେ କହିଛନ୍ତି । କରୋନା ଦ୍ୱାରା ବିମାନ ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଛି । ବିମାନ କମ୍ପାନୀଗୁଡ଼ିକ କର୍ମଚାରୀଙ୍କ ଦରମା କମ୍‍ କରିଥିବା ବେଳେ ଅନେକ କର୍ମଚାରୀଙ୍କୁ ବିନା ଦରମାରେ ଛୁଟି ଯିବାକୁ କହିଛନ୍ତି । ଇଣ୍ଡିଗୋ ଏହାର ବରିଷ୍ଠ କର୍ମଚାରୀଙ୍କ ୨୫% ଦରମା ହ୍ରାସ କରିଛି । ଭିସ୍ତାରା କିଛି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଛି । ସ୍ପାଇସଜେଟ କର୍ମଚାରୀଙ୍କ ଦରମାରେ ମଧ୍ୟ ହ୍ରାସ ପାଇଛି । ଏୟାର ଇଣ୍ଡିଆ ପ୍ରତି କର୍ମଚାରୀଙ୍କ ଭତ୍ତାରେ ୧୦ ପ୍ରତିଶତ ହ୍ରାସ କରିଛି । ଗୋଏୟାର ବରିଷ୍ଠ ଅଧିକାରୀଙ୍କ ଦରମା ୫୦ ପ୍ରତିଶତ କମ୍‍ କରିଥିବା ବେଳେ କିଛି କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ଯିବାକୁ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ