ମୋଟରଯାନ ସେବା ଶିବିର ଉଦଯାପିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଚଳିତ ସେପ୍ଟେମ୍ବର ୧ ତାରିଖ ଠାରୁ ରାଜ୍ୟରେ ନୂଆଁ ମୋଟରଯାନ ଆଇନ ପ୍ରଚଳନ କରାଯାଇଛି । ନୂତନ ମୋଟରଯାନ ଆଇନ ଅନୁଯାୟୀ ବିନା ହେଲମେଟରେ ବାଇକ ଚାଳନା, ସିଳ୍ଟବେଲ୍ଟ ନ ବାନ୍ଧି ଗାଡ଼ି ଚାଳନା, ଗାଡ଼ିର ଆବଶ୍ୟକୀୟ ପ୍ରମାଣପତ୍ର, ଗାଡ଼ି ଚାଳନା ପ୍ରମାଣପତ୍ର, ବୀମା ଇତ୍ୟାଦି ବିନା ଗାଡ଼ି ଚାଳନା କଲେ ମୋଟା ଅଙ୍କର ଜାରିମାନା ଦେବାର ନିୟମ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗାଡ଼ି ଚାଳକ ଓ ମାଲିକ ମାନେ ଗାଡ଼ିର ଆବଶ୍ୟକୀୟ ପ୍ରମାଣପତ୍ର ଯୋଗାଡ଼ ପାଇଁ ଲାଗିପଡ଼ିଲେ । ଆଂଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅସମ୍ଭବ ଭିଡ଼କୁ ଆଖି ଆଗରେ ରଖି ଏବଂ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ପରିବହନ ସଚିବଙ୍କ ନିର୍ଦ୍ଦେଶ ପ୍ରକାରେ ଗଂଜାମ ଆଂଚଳିକ ପରିବହନ ଅଧିକାରୀ ଓ ହିଂଜିଳିକାଟୁ ବ୍ଳକ ପ୍ରଶାସନର ମିଳିତ ସହଯୋଗରେ ଏକ ତ୍ରିଦିନାତ୍ମକ ମୋଟରଯାନ ସେବା ଶିବିର ବୁଧବାର ଠାରୁ ବ୍ଳକ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ସେବା ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି ।ଆୟୋଜିତ ଶିବିରର ୯୧୪ ଜଣଙ୍କୁ ଗାଡ଼ି ଶିକ୍ଷଣ ପ୍ରମାଣପତ୍ର, ୧୦୩୬ ଜଣଙ୍କୁ ଗାଡ଼ିର ପ୍ରଦ୍ୟୁଷଣ ପ୍ରମାଣପତ୍ର ଓ ୩୫ ଟି ଗାଡ଼ିର ବୀମା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ଆଂଚଳିକ ପରିବହନ ଅଧିକାରୀ ସଂଜୟ କୁମାର ବିଶ୍ୱାଳ, କନିଷ୍ଟ ପରିବହନ ଅଧିକାରୀ ମାନସ ମିଶ୍ର, ଉଦ୍ଧବ ସେଠୀ, ହୃଷିକେଶ ମହାପାତ୍ର, ସନ୍ତୋଷ ସେଠି, ଜି. ପ୍ରକାଶ ରାଓ, ମୋହନ ରେଡ୍ଡି, ଗୌରୀ ପାଢି, ଶୁଭଲକ୍ଷ୍ମୀ ପରିଡ଼ା, ମହମ୍ମଦ ଅନିସ, ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟର କର୍ମଚାରୀ ଓ ପୋଲିସ ପ୍ରଶାସନ ପରିଚାଳନାରେ ସହଯୋଗ କରିଥିଲେ ।