ମୋଟର ଯାନ ଆଇନରେ ସଂଶୋଧନ: ସ୍ୱଳ୍ପ ଓ ମଧ୍ୟମ ବର୍ଣ୍ଣାନ୍ଧ ନାଗରିକମାନେ ପାଇବେ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ: ଏଣିକି ଯେଉଁ ନାଗରିକମାନେ ସ୍ୱଳ୍ପ ବା ମଧ୍ୟମ ବର୍ଣ୍ଣାନ୍ଧ (ରଙ୍ଗ ଚିହ୍ନିବାରେ ଅସୁବିଧାର ସମ୍ମୁଖୀନ) ସେମାନେ ଏବେ ଡ୍ରାଇଭିଂ ଲାଇସେନ୍‌ସ ପାଇପାରିବେ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ର ଫର୍ମ-୧ ଓ ଫର୍ମ-୧ ‘ଏ’ରେ ସଂଶୋଧନ କରାଯାଇଛି । ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଜିଏସ୍‌ଆର ୪୦୧ (ଇ) ଦିନାଙ୍କ ୨୪ ଜୁନ୍‌ ୨୦୨୦ରେ ପ୍ରକାଶିତ ଏହି ବିଜ୍ଞପ୍ତିଟି ଏକ ସାମାଜିକ ଓ ସୁବିଧା ପ୍ରଦାନକାରୀ ନିୟମ । ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗ ନାଗରିକମାନଙ୍କୁ ସମର୍ଥ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ତଦନୁସାରେ ସେମାନେ ପରିବହନ ଜନିତ ସୁବିଧା, ବିଶେଷକରି ଡ୍ରାଇଭିଂ ଲାଇସେନ୍ସ ପାଉଛନ୍ତି । ଏ କ୍ଷେତ୍ରରେ ଠିକ୍‌ଭାବରେ ବର୍ଣ୍ଣ ବା ରଙ୍ଗ ଚିହ୍ନିପାରୁନଥିବା ଲୋକମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ଦେବା କ୍ଷେତ୍ରରେ ଯେଉଁ କଟକଣା ରହିଛି ତାହାକୁ ଉଠାଇ ଦେବାକୁ ପୂର୍ବରୁ ପରାମର୍ଶ ଜାରି କରାଯାଇଥିଲା ଏବଂ ଏବେ ତାହା କାର୍ଯ୍ୟକାରୀ ହୋଇଛି । ମନ୍ତ୍ରଣାଳୟ ଏହି ମର୍ମରେ ପୂର୍ବରୁ ବର୍ଣ୍ଣାନ୍ଧ ନାଗରିକମାନଙ୍କଠାରୁ ଅନେକ ଆବେଦନପତ୍ର ପାଇଥିଲା । ଡ୍ରାଇଭିଂ ଲାଇସେନ୍‌ସ ପାଇଁ ଉଦ୍ଦିଷ୍ଟ ଶାରୀରିକ ଯୋଗ୍ୟତା ଫର୍ମ-୧ ଓ ମେଡିକାଲ ସାର୍ଟିଫିକେଟ ଫର୍ମ-୧ ‘ଏ’ରେ ଥିବା ନିୟମ ବର୍ଣ୍ଣାନ୍ଧମାନଙ୍କୁ ଲାଇସେନ୍‌ସ ଦେବା କ୍ଷେତ୍ରରେ ପ୍ରତିବନ୍ଧକ ସାଜି ଥିବାରୁ ତାହାକୁ ଉଠାଇ ଦେବାକୁ ଏହି ଆବେଦନପତ୍ରରେ ଅନୁରୋଧ କରାଯାଇଥିଲା । ଏହି ପ୍ରସଙ୍ଗକୁ ପ୍ରଥମେ ସ୍ୱାସ୍ଥ୍ୟଗତ ବିଶେଷଜ୍ଞ ପ୍ରତିଷ୍ଠାନ (ଏମ୍‌ଇଆଇ)ରେ ଉତ୍‌ଥାପିତ କରାଯାଇ ମତାମତ ମଗାଯାଇଥିଲା । ସ୍ୱଳ୍ପ ଓ ବର୍ଣ୍ଣାନ୍ଧମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ଦେବାକୁ ଏମ୍‌ଇଆଇ ସୁପାରିସ କରିଥିଲା । ତେବେ ମାତ୍ରାଧିକ ବର୍ଣ୍ଣାନ୍ଧମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ନ ଦେବାକୁ ଏଥିରେ ବାରଣ କରାଯାଇଥିଲା । ବିଶ୍ୱର ଅନ୍ୟାନ୍ୟ ଦେଶରେ ସ୍ୱଳ୍ପ ଓ ମଧ୍ୟମ ବର୍ଣ୍ଣାନ୍ଧମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ଦେବାର ବ୍ୟବସ୍ଥା ରହିଛି । ଏହି ସୁପାରିସ ଆଧାରରେ ଏକ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇ ମତାମତ ଲୋଡ଼ାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ