ମୋତିଗଞ୍ଜ ରାସ୍ତାପାଶ୍ୱର୍ ଉଚ୍ଛେଦ ବେଳେ ଉତ୍ତେଜନା

ବାଲେଶ୍ୱର, (ସରୋଜ ପଣ୍ଡା):ସହରର ସିନେମାଛକରୁ ଟାଉନଥାନା ପର୍ଯ୍ୟନ୍ତ ମୋତିଗଞ୍ଜ ରାସ୍ତା ପ୍ରଶସ୍ତୀକରଣ ପାଇଁ ସୋମବାରଠାରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଜନ ଅସନ୍ତୋଷ ଯୋଗୁଁ ଦ୍ୱିତୀୟ ଦିନରେ ପ୍ରଶାସନ ବନ୍ଦ ରଖିଛି । ପ୍ରଥମ ଦିନରେ ସିନେମାଛକରୁ ମସଜିଦ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିଲା । ବିଶେଷ କରି ରାସ୍ତା ଉପରୁ ମାଡ଼ି ଆସିଥିବା ତଥା ଡ୍ରେନ ସ୍ଲାବ ଉପରେ ଦୋକାନ ସାମଗ୍ରୀ ରଖି ବିକ୍ରି ଦେକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । କେତେକ ସ୍ଥାନରେ ଦୋକାନର ଛାତ୍ର ବାହାରକୁ ବାହାରିଥିଲେ ଜେସିବିରେ ଏହାକୁ ଭାଙ୍ଗି ନଷ୍ଟା କରାଯାଉଥିଲା । ମାତ୍ର ମଙ୍ଗଳବାର ଉଚ୍ଛେଦର ଆରମ୍ଭର କିଛି ସମୟ ପରେ ଦୋକାନୀ ତଥା କିଛି ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଥିଲେ । କୌଣସି ଏକ ଗୁଜବକୁ ନେଇ କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଢେଲା ପଥର ଫିଙ୍ଗାଫିଙ୍ଗି ମଧ୍ୟ ଚାଲିଥିଲା । ଉତ୍ତେଜନାମୂଳକ ସ୍ଥିତିକୁ ଦୃଷ୍ଟିଦେଇ ସିଟି ଡିଏସପି ଗାୟତ୍ରୀ ପ୍ରଧାନଙ୍କ ସମେତ ଟାଉନଥାନା ଅଧିକାରୀ ପର୍ଶୁରାମ ସାହୁ, ସହଦେବଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ, ଟ୍ରାଫିକ ଥାନା ଅଧିକାରୀ ପ୍ରେମପ୍ରଜ୍ଞା ମହାନ୍ତି ଘଟଣାସ୍ଥଳରେ ଉପସ୍ଥିତ ରହି ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲେ । ଖବର ପାଇ ସଦର ବିଧାୟକ ସ୍ୱରୂପ ଦାସ ଉଚ୍ଛେଦ ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ । ବାଲେଶ୍ୱର ସହରର ସବୁଠାରୁ ପୁରୁଣା ମୋତିଗଞ୍ଜ ରାସ୍ତାରେ ସମ୍ପ୍ରତି ଜନଗହଳି ବଢ଼ିବା ଓ ରାସ୍ତା ସମ୍ପ୍ରସାରଣ ନହେବା ଯୋଗୁଁ ବ୍ୟବସାୟୀଙ୍କର ବହୁତ କ୍ଷତି ହେଉଛି । ଅନ୍ୟପକ୍ଷରେ ଭିଡ଼ ଯୋଗୁଁ ବେଳେ ବେଳେ ଅଗ୍ନିଶମ ଓ ଆମ୍ବୁଲାନ୍ସ ଭଳି ଜରୁରୀ ସେବାରୁ ଲୋକେ ବଞ୍ଚିତ ହେଉଛନ୍ତି ବୋଲି ବିଧାୟକ ସମସ୍ତଙ୍କୁ ବୁଝାଇଥିଲେ । ବିଧାୟକଙ୍କ ପରାମର୍ଶ କ୍ରମେ ଦୋକାନୀମାନେ ଦୁଇଦିନ ମଧ୍ୟରେ ନିଜ ନିଜର ଦୋକାନ ସାମଗ୍ରୀ ଉଠାଇ ନେବେ ବୋଲି ରାଜି ହୋଇଥିଲେ । ଯଦି ଦୁଇଦିନ ମଧ୍ୟରେ ସେମାନେ ନିଜର ଜିନିଷପତ୍ର ନ ଉଠାନ୍ତି ତାହଲେ ପୁଣି ଉଚ୍ଛେଦ ଜାରି ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ