ମୋଦିଙ୍କ ବିପକ୍ଷରେ ଲଢ଼ିବେ ପ୍ରିୟଙ୍କା!

ନୂଆଦିଲ୍ଲୀ(ଏଜେନ୍ସି): କଂଗ୍ରେସ ମହାସଚିବ ଏବଂ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧି, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ବାରାଣାସୀରୁ ନିର୍ବାଚନ ଲଢ଼ିପାରନ୍ତି । ବିଶେଷ ସୂତ୍ରରୁ ମିଳିଥିବା ଏହି ସୂଚନା ସମ୍ପର୍କରେ କଂଗ୍ରେସ ପକ୍ଷରୁ ଅବଶ୍ୟ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ । ଅନ୍ୟପକ୍ଷେ ପ୍ରିୟଙ୍କା ଗାନ୍ଧି ନିଜେ ବାରାଣାସୀରୁ ନିର୍ବାଚନ ଲଢିବା ନେଇ ଗମ୍ଭୀରତାର ସହ ଚିନ୍ତା କରୁଥିବା କୁହାଯାଉଛି । ତେବେ ପ୍ରିୟଙ୍କା ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ହେବାକୁ ଚାହୁଁଥିବା ନିକଟରେ କହିସାରିଥିବାବେଳେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ଚୂଡାନ୍ତ ନିଷ୍ପତ୍ତି ଛଡାଯାଇଛି । ରାହୁଲଙ୍କ ନିଷ୍ପତ୍ତି ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି କଂଗ୍ରେସ କହିଛି ।
କଂଗ୍ରେସର ମହାସଚିବ ଦାୟିତ୍ୱ ପାଇବା ପରେ ପ୍ରିୟଙ୍କା ରାଜନୀତିରେ ବେଶ୍ ସକ୍ରି ହୋଇପଡିଛନ୍ତି । ଏବେ ସେ ଉତ୍ତରପ୍ରଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଚଳିତ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ପ୍ରିୟଙ୍କା ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ ବୋଲି ଦଳୀୟକର୍ମୀମାନେ ଇଚ୍ଛା ପ୍ରକାଶ କରିଥିଲେ । ଏବେ ପ୍ରିୟଙ୍କା ସେମାନଙ୍କ ଅନୁରୋଧ ରକ୍ଷା କରି ଏଥିରେ ରାଜି ହୋଇଯାଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ହେବାକୁ ନିଜ ଇଚ୍ଛା ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ