ମୋଦିଙ୍କ ମନ୍ କି ବାତ୍‌କୁ ବିରୋଧ କରି ମାଷ୍ଟର କ୍ୟାଣ୍ଟିନରେ ଥାଳି ବାଡ଼େଇ ପ୍ରତିବାଦ କଲା ନବନିର୍ମାଣ କୃଷକ ସଂଗଠନ

ଭୁୁବନେଶ୍ୱର, (ଓ୍ବାଇଏନ୍ଏସ୍):କୃଷକ ବିରୋଧୀ ତିନି କଳା ଆଇନ୍ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଚାଲିଥିବା ଦୀର୍ଘଦିନ ଧରି ଚାଷୀ ଆନ୍ଦୋଳନକୁ କ୍ରିୟାଶୀଳ କରି ଏହି ଆନ୍ଦୋଳନକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଦିଆଯାଇଥିବା ଆହ୍ୱାନ ଅନୁଯାୟୀ ଆଜି ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀଙ୍କ ନେତୃତ୍ୱରେ ଥାଳି ବାଡ଼େଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଠିକ୍ ଦିବା ୧୧ ଘଟିକା ସମୟରେ ନରେନ୍ଦ୍ର ମୋଦି ମନ୍ କି ବାତ ବକ୍ତବ୍ୟ ଆରମ୍ଭ ବେଳେ ‘କଳା କାନୁନ୍ ୱାପସ ଲୋ’ କୃଷି ବିରୋଧୀ ନୀତି କୃଷି ପ୍ରଧାନ ଦେଶରେ ଚଳିବ ନାହିଁ, କୃଷି କ୍ଷେତ୍ରକୁ କର୍ପୋରେଟ ହାତକୁ ଟେକିଦେବା ଚଳିବ ନାହିଁ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଇନ ପରିବର୍ତ୍ତନ କାହିଁକି କଲ ଜବାବ ଦିଅ, ସ୍ୱାମୀନାଥନ କମିଶନ ସୁପାରିଣ କାର୍ଯ୍ୟକାରୀ ନକରି କଳା କୃଷି କାନୁନ କାହା ସ୍ୱାର୍ଥରେ ଆଣିଛ ଜବାବ ଦିଅ ଆଦି ସ୍ଲୋଗାନ ଦେଇ, ଥାଳି ପିଟି, ଘଣ୍ଟ ବାଡ଼େଇ ଚାଷୀମାନେ ପ୍ରତିବାଦ କରିଥିଲେ । ଗଣମାଧ୍ୟମକୁ ସମ୍ବୋଧିତ କରି ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ପ୍ରଥମରୁ ଭିତ୍ତିଭୂମିର ଅବହେଳା, କୃଷି କ୍ଷେତ୍ର ପ୍ରତି ଚରମ ଅବହେଳା କରିଥିବା କେନ୍ଦ୍ର ସରକାର ଏବେ ତିନି କଳା କାନୁନ ଆଣି ଚାଷୀ ଓ ଖାଉଟିଙ୍କ ପାଇଁ ବିପଦ ଡ଼ାକି ଆଣିଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଇନର ପରିବର୍ତ୍ତନ ପରେ ଭବିଷ୍ୟତରେ କୋଟି କୋଟି ଲୋକ ଖାଦ୍ୟ ଅଭାବରୁ ମରିଯିବେ । କମ୍ପାନୀ ହାତକୁ ଆଇନ ଅନୁଯାୟୀ ଚାଷ ଚାଲିଗଲା ପରେ ଧୀରେ ଧୀରେ ଦେଶରେ ଅନାହାର ମୃତ୍ୟୁ ଆରମ୍ଭ ହେବ । ଅଧିକାଂଶ ଗରିବ ଖାଉଟି କମ୍ପାନୀ ଅମଳ ଖାଦ୍ୟ ପଦାର୍ଥ ଖାଇବାକୁ ପାଇବେ ନାହିଁ । ଏହି କଥାକୁ ଚାଷୀମାନଙ୍କ ମଧ୍ୟରେ ପ୍ରଚାର କରିବା ପାଇଁ ଥାଳି ବାଡ଼େଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ଶ୍ରୀ ନନ୍ଦ କହିଥିଲେ । ଯୁବଛାତ୍ର ସଂଯୋଜକ ମନୱାର ଅଲ୍ଲୀ କହିଥିଲେ ଯେ, କେବଳ କୃଷକମାନେ ନୁହଁନ୍ତି, ମୋଦିଙ୍କ କୃଷକ ବିରୋଧୀ ବିଲ୍‌କୁ ଯୁବଛାତ୍ରମାନେ ମଧ୍ୟ ବିରୋଧ କରୁଛନ୍ତି ଓ ଆଗାମୀ ଦିନରେ ମଧ୍ୟ କରିବେ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ବରିଷ୍ଠ ନେତା ସୁରେନ୍ଦ୍ରନାଥ ମହାରଣା, ଯାଜପୁର ସଂଯୋଜକ ଦୁର୍ଗାପ୍ରସାଦ ଦାସ, ରାଜ୍ୟ କମିଟି ସଭ୍ୟ ମଧୁମିତା ସାମଲ, ସଂଗ୍ରାମ କିଶୋର, ଶୁଭେନ୍ଦୁ ମଲ୍ଲିକ, ଅଭୟ ଭୋଳ, ବିଜୟ ମହାପାତ୍ର, ଛାତ୍ରନେତା ଅମିତ ଜେନା, ଗାନ୍ଧିବାଦୀ ସାମାଜିକ କର୍ମୀ ରାଜନାରାୟଣ ଜେନା, ନିରଞ୍ଜନ ପ୍ରଧାନ ପ୍ରମୁଖ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ