ମୋଦିଙ୍କ ଲକଡାଉନ୍ ସଂକ୍ରାନ୍ତ ଘୋଷଣାକୁ ଦେଖିଛନ୍ତି ୧୯୭ ନିୟୁତ ଭାରତୀୟ

ନୂଆଦିଲ୍ଲୀ: ଭାରତରେ କୋରୋନା ବିଭୀଷିକାକୁ ରୋକିବା ସକାଶେ ସାମାଜିକ ଦୂରତା ଉପରେ ଗୁରୁତ୍ବ ପ୍ରଦାନ ପୂର୍ବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି। ଗତ ମଙ୍ଗଳବାର ରାତି ୮ଟା ବେଳେ ସେ ଟିଭି ମାଧ୍ୟମରେ ଏହି ଘୋଷଣା କରିଥିବା ବେଳେ ଏହାକୁ ଦେଶର ପାଖାପାଖି ୧୯୭ ନିୟୁତ ଦର୍ଶକ ଦେଖିଛନ୍ତି ବୋଲି ପ୍ରସାର ଭାରତୀ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ପ୍ରସାର ଭାରତୀ ପକ୍ଷରୁ ଶୁକ୍ରବାର ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଗତବର୍ଷ ଆଇପିଏଲର ଦ୍ବାଦଶ ସଂସ୍କରଣ ଦେଖିଥିବା ଦର୍ଶକଙ୍କଠାରୁ ପ୍ରଧାନମନ୍ତ୍ରୀଙ୍କ ମଙ୍ଗଳବାରର ଘୋଷଣା ଅଧିକ ଦର୍ଶକ ଦେଖିଛନ୍ତି। ଗତବର୍ଷ ଆଇପିଏଲକୁ ଟିଭିରେ ୧୩୩ ନିୟୁତ ଦର୍ଶକ ଦେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉକ୍ତ ଘୋଷଣାର ସିଧା ପ୍ରସାରଣ ପ୍ରସାର ଭାରତୀର ଦୂରଦର୍ଶନ ସମେତ ଦେଶର ୨୦୧ଟି ଚାନେଲରେ କରାଯାଇଥିଲା।
ପ୍ରସାର ଭାରତୀ ସିଇଓ ଶଶି ଶେଖର ଭେମ୍ପାତି ବ୍ରଡକାଷ୍ଟ୍ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍ (ବାର୍କ) ପକ୍ଷରୁ ଉପଲବ୍ଧ ସୂଚନାକୁ ଭିତ୍ତି କରି କହିଛନ୍ତି ଯେ ଗତ ମାର୍ଚ୍ଚ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକଡାଉନ ସଂକ୍ରାନ୍ତ ଘୋଷଣାକୁ ଆଇପିଏଲଠାରୁ ଅଧିକ ଦର୍ଶକ ଦେଖିଛନ୍ତି। ସେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଦୂରଦର୍ଶନ ସମେତ ୨୦୧ଟି ଭାରତୀୟ ଚାନେଲ୍ ଛଡ଼ା ପ୍ରଧାନମନ୍ତ୍ରୀଙ୍କ ଉକ୍ତ ଘୋଷଣାକୁ ସୋସାଲ୍ ମିଡିଆରେ ମଧ୍ୟ ଅନେକ ଲୋକ ଦେଖିଛନ୍ତି। ଦୂରଦର୍ଶନ ଓ ରାଜ୍ୟସଭା ଚାନେଲର ୟୁଟ୍ୟୁବରେ ମଧ୍ୟ ଲକ୍ଷାଧିକ ଲୋକ ଏହି ଘୋଷଣାର ସିଧା ପ୍ରସାରଣ ଦେଖିଥିବା ଭେମ୍ପାତି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ