ମୋଦିମୟ ହେଲା ଆମେରିକାର ହଷ୍ଟନ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସପ୍ତାହ ପାଇଁ ଆମେରିକା ଗସ୍ତରେ ଅଛନ୍ତି । ଏହି ଅବସରରେ ଟେକସାସ୍ର ହଷ୍ଟନରେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ୫୦ ହଜାରରୁ ଅଧିକ ଭାରତୀୟ ବଂଶାଭବଙ୍କୁ ସମ୍ବୋଧିତ କରିବେ । ମୋଦିଙ୍କ ଗସ୍ତକୁ ନେଇ ହଷ୍ଟନର ପୂରା ପରିବେଶ ମୋଦିମୟ ହାଇପଡ଼ିଛି । ରାସ୍ତାର ଦୁଇ ପାଶ୍ୱର୍ରେ “ହାଉଡି ମୋଦି’ କାର୍ଯ୍ୟକ୍ରମର ପୋଷ୍ଟର ମରାଯାଇଛି ।
ଏଥିସହ ରାଲି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯାଉଛି । ଏଥିସହ ଗତକାଲି ହଷ୍ଟନରେ ଏକ କାର୍ ରାଲି ବାହାରିଥିଲା । ଏହି କାରରେ ଭାରତ-ଆମେରିକା ପତାକା ସହ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାର କରାଯାଇଥିଲା । ମୋଦି ଆଜି ହଷ୍ଟନରେ ପହଞ୍ଚିବେ । ସେଠାରେ ସେ ଅନେକ ଉଦ୍ୟୋଗୀଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ସୂଚନା ଯୋଗ୍ୟ, ମୋଦିଙ୍କ ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହେବେ । ପ୍ରଥମ ଥର ପାଇଁ ଏପରି ଏକ କାର୍ଯ୍ୟକ୍ରମରେ ଦୁଇ ଦେଶର ନେତା ସାମିଲ ହେଉଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ଆମେରିକା ରାଷ୍ଟ୍ରପତି ଭାରତ ପାଇଁ ବଡ ଘୋଷଣା କରିପାରନ୍ତି । ରାଷ୍ଟ୍ରପତିଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଆମେରିକାର କେତେକ ସାଂସଦ ଓ ରିପବ୍ଲିକାନ ଏବଂ ଡେମୋକ୍ରାଟିକ ପାର୍ଟିର କିଛି ନେତା ସାମିଲ ହୋଇପାରନ୍ତି ।