ମୋଦି ଆଉଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହାଁନ୍ତ ମୁଲାୟମ

ନୂଆଦିଲ୍ଲୀ (ଏଜେନ୍ସି): ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଦେଶକୁ ଏକ ଉନ୍ନତ ତଥା ବିକାଶୋନ୍ମୁଖୀ ସ୍ତରରେ ପହଞ୍ଚାଇବା ଦିଗରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ଯାହା କରିଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ । ଏହି ବିକାଶ ଧାରାକୁ ଅବିଚ୍ଛିନ୍ନ ଭାବେ ଜାରି ରଖିବାକୁ ହେଲେ ମୋଦିଙ୍କୁ ପୁନର୍ବାର ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବାକୁ ହେବ । ମୋଦିଙ୍କ ସହ ତାଙ୍କ ଦଳରେ ଥିବା ସମସ୍ତ ନେତା ଓ ମନ୍ତ୍ରୀ ମଧ୍ୟ ପୁନଃ ନିର୍ବାଚିତ ହୋଇ ସଂସଦକୁ ଆସନ୍ତୁ ବୋଲି ମୁଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଆଜି ସଂସଦୀୟ ଅଧିବେଶର ଶେଷ କାର୍ଯ୍ୟଦିବସ ଅବସରରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଏମିତି କିଛି ମନ୍ତବ୍ୟ ରଖିଛନ୍ତି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ମୁଖ୍ୟ ଏଚଡି ଦେବଗୌଡ଼ା ମଧ୍ୟ ଆଜି ଲୋକସଭାରେ ମୋଦି ଓ ତାଙ୍କ ସରକାରଙ୍କ ପ୍ରଶଂସା କରିଛନ୍ତି । ଗୋଟିଏ ପଟେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ମୁଲାୟମ ସିଂହଙ୍କ ପୁଅ ଅଖିଳେଶ ଯାଦବ, ଏବଂ କର୍ଣ୍ଣାଟକରେ ଜେଡିଏସ୍ ନେତା ତଥା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ (ଦେବଗୌଡାଙ୍କ ପୁଅ) ମୋଦି ଓ ବିଜେପି ବିରୋଧୀ ଅଭିଯାନରେ ସାମିଲ ହୋଇଥିବା ବେଳେ ମୁଲାୟମ ଓ ଦେବଗୌଡା ମୋଦିଙ୍କୁ ଏପ୍ରକାର ପ୍ରଶଂସା କରିବା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ହୋଇଛି । ତେବେ ମୁଲାୟମ ଓ ଦେବଗୌଡାଙ୍କ ଏପ୍ରକାର ଇଚ୍ଛାକୁ ସମ୍ମାନ ଜଣାଇ ଗୃହରେ ଉପସ୍ଥିତ ଥିବା ମୋଦି ହାତ ଯୋଡ଼ି ଉଭୟଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସମୟରେ ଏନଡିଏ ସାଂସଦମାନେ ଟେବୁଲ ବାଡ଼େଇ ଦୁଇ ନେତାଙ୍କ ମନ୍ତବ୍ୟକୁ ସମର୍ଥନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ